ତୁ ନୂଆ ସାୟରି, ନା ନୂଆ କବିତା, ମତେ ପାଗଳ କଲା ଆହିସ୍ତା ଆହିସ୍ତା....। ହଁ, ସତରେ ଯେ କେହି ବି ପାଗଳ ହେଇଯା’ନ୍ତି ତାଙ୍କର ଏ ମତୁଆଲା ସ୍ବରରେ ଆଉ ହ୍ୟାଣ୍ଡସମ୍ ଷ୍ଟାଇଲିସ୍ ଲୁକ୍ରେ। ଖାଲି ନୂଆ ସାୟରି ନୁହେଁ ପଲ୍ ପଲ୍ ତତେ ଚାହେଁ... ଠୁ ନେଇ ମ୍ୟୁଜିକ୍ କଭର୍ ‘ମୋର ଭୂଗୋଳରେ ଭଲ ହେଉଥିଲା’... ଏବଂ ଓଡ଼ିଆ ସଂଗୀତରେ ଭୋକାଲ୍ ଫ୍ରାଏ ଦେଉଥିବା ନୂଆପିଢ଼ିର ଏହି ଗାୟକଙ୍କର ସେପ୍ ଅଫ୍ ୟୁ..., ଏନ୍ରିକ୍ ହିରୋ... ପରି ଇଂରାଜୀ-ଓଡ଼ିଆ-ହିନ୍ଦୀ ଗୀତ ଯିଏ ଶୁଣିଛି ସେ ତାଙ୍କୁ ନିଶ୍ଚେ ଜାଣିପାରିବ।
ସ୍ବୟମ୍ ପାଢ଼ୀଙ୍କ ବିଷୟରେ....
ଯଦିଓ ପେସାରେ ସେ ଇଂଜିନିୟର୍; ହେଲେ ନିଶା ଓ ପେସା ବି ତାଙ୍କର ସଂଗୀତ। ନାଁ ସ୍ବୟମ୍ ପ୍ରଭାସ ପାଢ଼ୀ। ବାପା ସେନ୍ତାଷ କୁମାର ପାଢ଼ୀ ଓ ମାଆ ଭାରତୀ ପାଢ଼ୀ। ଜନ୍ମ ବ୍ରହ୍ମପୁରରେ; ହେଲେ ବାପାଙ୍କ ସରକାରୀ ଚାକିରି ହେତୁ ବାରମ୍ବାର ବଦଳି। ଏଣୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାଙ୍କର ପିଲାଦିନ ବିତିଛି। ସ୍କୁଲ୍ପଢ଼ା ପଶ୍ଚିମ ଓଡ଼ିଶାରେ, କଲେଜ ପଢ଼ା ବ୍ରହ୍ମପୁରରେ ଏବଂ ଇଞ୍ଜିନିୟରିଂ କରିଛନ୍ତି ଭୁବନେଶ୍ବରରେ।
ସ୍ବୟମ୍ଙ୍କର ସଂଗୀତର ମୂଳଦୁଆ ପଡ଼ିଥିଲା ପିଲାବେଳୁ। ତାଙ୍କ ମାଆ ଗୀତ ଗାଇବାକୁ ଚାହୁଥିଲେ। ହେଲେ ପୁରୁଣା ସମୟ ଯୋଗୁଁ ତାଙ୍କୁ ସୁଯୋଗ ମିଳିନଥିଲା। ସ୍ବୟମ୍ଙ୍କ ଅଜା ବିନା ପ୍ରଶିକ୍ଷଣରେ ଛାନ୍ଦ, ଚମ୍ପୁ ଆଦି ଗାଉଥିଲେ। ମାମୁଘର ଓ ବାପା-ଭାଇ ବି ତାଙ୍କୁ ବେଶ୍ ସମର୍ଥନ କରୁଥିଲେ। ସେହିଠାରୁ ହିଁ ପ୍ରେରଣା ମିଳିଥିଲା କୁନି ସ୍ବୟମ୍ଙ୍କୁ। ୫/୬ ବର୍ଷ ବୟସ ବେଳକୁ ତାଙ୍କ ସ୍କୁଲ୍କୁ ଜଣେ ସଂଗୀତ ଶିକ୍ଷକ ଆସୁଥିଲେ, ସେହିଠାରୁ ତାଙ୍କର ସାରେଗାମା ଗାୟନ ଆରମ୍ଭ ହୋଇଥିଲା। ପରେ ବ୍ରହ୍ମପୁରର ଗଞ୍ଜାମ କଳାପରିଷଦରୁ ସେ ବିଧିବଦ୍ଧ ସଂଗୀତ ଶିକ୍ଷା ନେଇଥିଲେ। ଭୁବନେଶ୍ବର ଆସିବା ପରେ ସେ ଓଡ଼ିଶୀ ଭୋକାଲ୍ ଓ ହିନ୍ଦୁସ୍ତାନୀ କ୍ଲାସିକାଲ୍ ସହିତ ସ୍ବୟମ୍ ୱେଷ୍ଟର୍ନ ଭୋକାଲ୍ ଶିଖିଛନ୍ତି। ଏଥିପାଇଁ ସେ କଲିକତାରେ ଗୁରୁ ସର୍ମୀ ଚକ୍ରବର୍ତ୍ତୀଙ୍କ ପାଖକୁ ଯାଇ ଶିକ୍ଷାଲାଭ କରିଛନ୍ତି। ଏବେ ସେ ଗୁରୁ କୃଷ୍ଣଚନ୍ଦ୍ର ମହାରଣାଙ୍କଠାରୁ ହିନ୍ଦୁସ୍ତାନୀ କ୍ଲାସିକାଲ୍ ଶିକ୍ଷା ଜାରି ରଖିଛନ୍ତି।
ଭଏସ୍ ଅଫ୍ ଓଡ଼ିଶା, ସାରେ ଗାମା ପା ପରି ରିୟଲିଟି ସୋ’ରେ ଭାଗନେଇଛନ୍ତି ସ୍ବୟମ୍। ଏହାପରେ ସେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ମ୍ୟୁଜିକାଲ୍ କଭର୍ ବନାଇବାକୁ ଲାଗିଲେ। ହୃଦୟର ଏହି ଶୂନ୍ୟତାକୁ, ଏଇ ଝୁମା ଝୁମା ଗୋଲାପି ବେଳାରେ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର ପରି ଗୀତର କଭର୍ ବନାଇଛନ୍ତି ସେ। ସ୍ବୟମ୍ଙ୍କ ପ୍ରତିଭାକୁ ଦେଖି ଅଭିଜିତ୍ ମଜୁମ୍ଦାର ‘ସୁନ୍ଦରଗଡ଼ର ସଲ୍ମାନ୍’ ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ ଏବଂ ସେହି ଫିଲ୍ମର ‘ତୁ ନୂଆ ସାୟରି...’ ଗୀତଟି ବେଶ୍ ଲୋକପ୍ରିୟ ହୋଇଥିଲା। ଓଡ଼ିଶାର ସବୁ ସଂଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ପ୍ରାୟ ୭/୮ ହଜାର ଗୀତ ଗାଇସାରିଛନ୍ତି ସ୍ବୟମ୍। ବଲିଉଡ୍କୁ ଯିବାପାଇଁ ଏବେ କୌଣସି ପ୍ଲାନ୍ ନାହିଁ ହେଲେ ସୁଯୋଗ ମିଳିଲେ ନିଶ୍ଚିତ ଯିବେ ବୋଲି କହନ୍ତି ସ୍ବୟମ୍ ପ୍ରଭାସ।
ଭବିଷ୍ୟତ ପିଢ଼ିଙ୍କୁ କ’ଣ କହନ୍ତି ସ୍ବୟମ୍:
‘‘ଓଡ଼ିଶାରେ ସଂଗୀତକୁ ନେଇ ବହୁତ ସ୍କୋପ୍ ଅଛି। ସେଥିପାଇଁ ନିଜର କ୍ବାଲିଟି ଓ ସଂଗୀତ ସାଧନାକୁ ବଢ଼ାଇବାକୁ ପଡ଼ିବ ଏବଂ ନିଶ୍ଚିତ ଆପଣ ସଫଳ ହେବେ। ମୁଁ ପାଠପଢ଼ି, ସଂଗୀତ ସାଧନା କରି ଯଦି ମୋ ପରିବାର ଚଳାଇପାରୁଛି ତେବେ ନୂଆପିଢ଼ି ସେମାନଙ୍କ କ୍ୟାରିୟର୍ ନିହାତି ଗଢ଼ି ପାରିବେ ବୋଲି ମୋର ମତ। ଏଥିପାଇଁ ପ୍ରୟାସ ଓ ସାଧନା ଜାରି ରଖିବାକୁ ହେବ’’ ବୋଲି କହନ୍ତି ସ୍ବୟମ୍ ପ୍ରଭାସ ପାଢ଼ୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/06/untitled-30-2025-12-06-18-44-42.jpg)