Image Courtesy of The Times of India
ୱାସିଂଟନ୍: ପ୍ରାପ୍ତବୟସ୍କ ଓ ବୃଦ୍ଧ ବ୍ୟକ୍ତିମାନଙ୍କ ତୁଳନାରେ ପିଲାମାନେ ଅପେକ୍ଷାକୃତ କମ୍ କୋଭିଡ୍-୧୯ରେ ଆକ୍ରାନ୍ତ ହେବାର ମୁଖ୍ୟ କାରଣ ବୈଜ୍ଞାନିକମାନେ ଜାଣିପାରିଛନ୍ତି। ଏହା ଫଳରେ କୋଭିଡ୍-୧୯ ନିମନ୍ତେ ଚିକିତ୍ସା କୌଶଳ ବିକଶିତ ହୋଇପାରେ ବୋଲି ଆଶା କରାଯାଉଛି।
ଯୁକ୍ତରାଷ୍ଟ୍ର ଆମେରିକାର ‘ଭ୍ୟାଣ୍ଡର୍ବିଲଡ୍ ୟୁନିଭର୍ସିଟି ମେଡିକାଲ୍ ସେଣ୍ଟର୍’ର (ଭିୟୁଏମ୍ସି) ଗବେଷକଙ୍କ ସମେତ ଏହି ଗବେଷଣାରେ ସମ୍ପୃକ୍ତ ଗବେଷକମାନଙ୍କ ମତରେ, ଫୁସ୍ଫୁସ୍ର ବାୟୁପ୍ରବେଶ ପଥରେ ଥିବା ‘ଏପିଥିଲିଆଲ୍ ସେଲ୍’କୁ ଆକ୍ରମଣ କରିବା ଲାଗି କରୋନାଭାଇରସ୍ ଆବଶ୍ୟକ କରୁଥିବା ‘ରିସେପ୍ଟର୍ ପ୍ରୋଟିନ୍’ର ପରିମାଣ ପିଲାଙ୍କଠାରେ କମ୍ ରହିଥିବାରୁ ସେମାନେ ଅପେକ୍ଷାକୃତ କମ୍ ସଂକ୍ରମିତ ହେଉଛନ୍ତି।
‘ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଇନ୍ଭେଷ୍ଟିଗେସନ୍’ରେ ପ୍ରକାଶିତ ଏହି ତଥ୍ୟ ଅନୁସାରେ, ଯଦି ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ କୌଣସି ପ୍ରକାରେ ‘ରିସେପ୍ଟର୍ ପ୍ରୋଟିନ୍’ କ୍ଷରଣ ଅବରୋଧ କରାଯାଇ ପାରନ୍ତା ତେବେ କୋଭିଡ୍-୧୯କୁ ପ୍ରତିରୋଧ କରି ହୁଅନ୍ତା କିଂବା ଚିକିତ୍ସା ନିମନ୍ତେ ନୂଆ ଉପାୟ ମିଳନ୍ତା।
Image Courtesy of Deccan Heraldଏହି ଅଧ୍ୟୟନର ସହ-ଲେଖକ ‘ଭିୟୁଏମ୍ସି’ର ଜେନିଫର୍ ସକ୍ରେ କହନ୍ତି, ନିର୍ଦ୍ଦିଷ୍ଟ କେତେକ କୋଳଛୁଆ ଏବଂ ଶିଶୁମାନେ କାହିଁକି କୋଭିଡ୍-୧୯ରେ ବିଶେଷ ସଂକ୍ରମିତ ହେଉ ନାହାନ୍ତି କିଂବା ସେମାନଙ୍କଠାରେ ରୋଗର କୌଣସି ସାଙ୍ଘାତିକ ଲକ୍ଷଣ ପରିଲକ୍ଷିତ ହେଉନାହିଁ? ଆମ ଅଧ୍ୟୟନରେ ତା’ର ଏକ ଜୈବିକ କାରଣ ଦର୍ଶାଇଛୁ। ଶିଶୁମାନଙ୍କ ଫୁସ୍ଫୁସ୍ ଓ ପ୍ରାପ୍ତ ବୟସ୍କଙ୍କ ଫୁସ୍ଫୁସ୍ ମଧ୍ୟରେ ଥିବା ପାର୍ଥକ୍ୟ। ସେଗୁଡ଼ିକୁ ଭୂତାଣୁ ସଂକ୍ରମଣ କରିବାର କେତେ ଆଶଙ୍କା ରହିଛି। ଏହା ଉପରେ ହିଁ ଆମ ଗବେଷଣା ପର୍ଯ୍ୟବେଶିତ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ବାସ୍ତବରେ ଆମେ ବିପରୀତ ଦିଗରୁ ଏହି ଅଧ୍ୟୟନ କରିଛୁ। ଆମେ ଦର୍ଶାଇବାକୁ ଚାହିଁଛୁ, କେଉଁ ପାର୍ଥକ୍ୟ ଯୋଗୁଁ ବିକାଶଶୀଳ ଫୁସ୍ଫୁସ୍ କୋଭିଡ୍-୧୯ ସଂକ୍ରମଣରୁ ନିରାପଦ ରହୁଛି।
Follow Us