ସୌରମଣ୍ଡଳ ବାହାରେ ପୃଥିବୀତୁଲ୍ୟ ଗ୍ରହ ଖୋଜା

Advertisment
ସୌରମଣ୍ଡଳ ବାହାରେ ପୃଥିବୀତୁଲ୍ୟ ଗ୍ରହ ଖୋଜା

ଆମ ପାଇଁ ଯୋଗାଯୋଗ ଓ ଗମନାଗମନ ସୁବିଧା ଏତେ ବ୍ୟାପକ ହୋଇଯାଇଛି ଯେ ସମଗ୍ର ପୃଥିବୀ ସଂକୁଚିତ ହୋଇଗଲା ପରି ମନେ ହେଉଛି। ତେଣୁ ବୈଜ୍ଞାନିକମାନେ ପୃଥିବୀ ବାହାରେ କେଉଁଠି ବସବାସ କରିବା ପାଇଁ ଉଦ୍ୟମରତ। ଏହି କ୍ରମରେ ପୃଥିବୀର ଉପଗ୍ରହ ଚନ୍ଦ୍ରପୃଷ୍ଠରେ କି ପୃଥିବୀ ସହ କିଛି ସାମଞ୍ଜସ୍ୟ ରଖୁଥିବା ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି। ତେବେ ଚୀନୀ ବୈଜ୍ଞାନିକମାନେ ଆଉ ପାଦେ ଆଗେଇ ଯାଇ ସୌରମଣ୍ଡଳ ବାହାରେ ପୃଥିବୀ ଅନୁରୂପ ବାସୋପଯୋଗୀ ଗ୍ରହ ଖୋଜିବା ଲାଗି ମନ ବଳାଇଛନ୍ତି। ସୂଚନାଯୋଗ୍ୟ, ଆମ ବିଶ୍ବବ୍ରହ୍ମାଣ୍ଡରେ ଅସଂଖ୍ୟ ଛାୟାପଥ ରହିଛି ଏବଂ ପ୍ରତି ଛାୟାପଥରେ କୋଟି କୋଟି ନକ୍ଷତ୍ର ରହିଛନ୍ତି। ଆମର ହର୍ତ୍ତାକର୍ତ୍ତା ସୂର୍ଯ୍ୟ ହେଉଛି ଏକ ମଧ୍ୟମ ଧରଣର ଛାୟାପଥ ‘ଆକାଶଗଙ୍ଗା’ର ଏକ ମଧ୍ୟମ ଧରଣର ନକ୍ଷତ୍ର ଏବଂ ପୃଥିବୀ ହେଉଛି ସୂର୍ଯ୍ୟର ଏକ ମଧ୍ୟମ ଧରଣର ଗ୍ରହ ଯେଉଁଠି ଜୀବସତ୍ତା ସମ୍ଭବ। ସୁତରାଂ ଏହି ବିଶାଳ ବ୍ରହ୍ମାଣ୍ଡରେ ଅଜସ୍ର ସୂର୍ଯ୍ୟସମ ନକ୍ଷତ୍ର ଏବଂ ପୃଥିବୀତୁଲ୍ୟ ଗ୍ରହ ରହିଥିବା କଳ୍ପନା କରାଯାଇପାରେ।

ତେଣୁ ସୌରମଣ୍ଡଳ ବାହାରେ ସେଭଳି ଏକ ମଣିଷ ବାସୋପଯୋଗୀ ଗ୍ରହ ଖୋଜିବା ଲାଗି ଚୀନୀ ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ‘ପୃଥିବୀ ୨.୦’ ନାମକ ସେମାନଙ୍କର ଏହି ଯୋଜନା ଆମେରିକାର ନାସା ଦ୍ବାରା ପରିଚାଳିତ କେପଲର ଯୋଜନା ସଦୃଶ ହେବ ବୋଲି ଜଣାଯାଇଛି। ତେବେ ଏହି ଗବେଷଣା ଅନ୍ତର୍ଗତ ସେମାନେ ମହାକାଶରେ ସ୍ଥାପିତ ସାତଟି ବିଭିନ୍ନ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସୌରମଣ୍ଡଳ ବାହାରର ବ୍ରହ୍ମାଣ୍ଡକୁ ନିରୀକ୍ଷଣ ଜାରି ରଖିବାର ଯୋଜନା ରଖିଥିବା ବେଳେ କେପଲର ଯୋଜନାର ଏହା ହଜାରେ ଗୁଣ ଫଳ ଆଣିପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ସେହିପରି ଆକାଶର ୫୦୦ ବର୍ଗଡିଗ୍ରି ପରିସରରେ ସେମାନେ କିଛି ବର୍ଷ ଭିତରେ ୧୨ ଲକ୍ଷ ସଂଖ୍ୟକ ନକ୍ଷତ୍ରରେ ସଂଘଟିତ ବିଭିନ୍ନ ମହାଜାଗତିକ ଲୀଳାକୁ ଅନୁଧ୍ୟାନ କରି ଅତି କମ୍‌ରେ ଡଜନେ ପୃଥିବୀତୁଲ୍ୟ ଗ୍ରହ ଠାବ କରିପାରିବେ ବୋଲି ଭରସା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe