ପୃଥିବୀ ପୃଷ୍ଠରେ ସଂଘଟିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ସୁନାମି ସବୁଠାରୁ ଭୟଙ୍କର ଓ ଏକ ଅନିୟନ୍ତ୍ରିତ ଘାତକ ସାବ୍ୟସ୍ତ ହୋଇଛି। ଜାତିସଂଘ ରିପୋର୍ଟ କହୁଛି, ବିଗତ ୧୦୦ ବର୍ଷ ମଧ୍ୟରେ ଘଟିଥିବା ୫୮ଟି ସୁନାମିରେ ପ୍ରାୟ ୨,୬୦,୦୦୦ ଜୀବନହାନି ହୋଇଛି। କିନ୍ତୁ ବାସ୍ତବ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ସୁନାମିର ଭୟଙ୍କର ପ୍ରଭାବକୁ ଲକ୍ଷ୍ୟ କରି ୨୦୧୫ ଡିସେମ୍ବର ମାସରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ବିଶ୍ୱରେ ସୁନାମି ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ବର୍ଷ ନଭେମ୍ବର ୫ ତାରିଖ ଦିନ ବିଶ୍ୱ ସୁନାମି ଦିବସ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି।
ସୁନାମି ହେଉଛି ଏକ ଜାପାନୀ ଶବ୍ଦ, ଯାହାର ଅର୍ଥ ‘ପୋତାଶ୍ରୟ ଢେଉ’ ବା ହାରବର୍ ୱେଭ୍। ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାର୍ (ବହୁ ସକ୍ରିୟ ଆଗ୍ନେୟଗିରି ପରିବେଷ୍ଟିତ ଅଞ୍ଚଳ) ଭିତରେ ପ୍ରାୟ ୮୦% ସୁନାମି ଘଟିଥାଏ। ସମୁଦ୍ର ଗର୍ଭରେ ବଡ଼ଧରଣର ଭୂକମ୍ପ କିମ୍ବା ଆଗ୍ନେୟଗିରି ଉଦ୍ଗିରଣ କାରଣରୁ ସୁନାମି ଉତ୍ପନ୍ନ ହୁଏ। ସୁନାମି ହେଲେ ସମୁଦ୍ର ପାଣି ଘଣ୍ଟା ପ୍ରତି ୫୦୦ ମାଇଲ୍ (ଘଣ୍ଟାକୁ ୮୦୫ କିଲୋମିଟର୍) ବେଗରେ ଉପକୂଳକୁ ମାଡ଼ି ଆସିଥାଏ। ସୁନାମିର ବେଗ ଗୋଟିଏ ଜେଟ୍ ବିମାନର ବେଗ ସହ ପ୍ରାୟ ସମାନ।
ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ବର୍ତ୍ତମାନ ସମୁଦ୍ର ଏବଂ ଭୂ-ପଦାର୍ଥବିଜ୍ଞାନୀମାନେ ପ୍ରାୟ ଏକ କିଲୋମିଟର ଗଭୀରକୁ ଖନନ କରୁଛନ୍ତି। ଏହି ଖନନ ପ୍ରକ୍ରିୟା ସୁନାମି ସମ୍ପର୍କରେ ଅନେକ ସୂଚନା ପ୍ରଦାନ କରିବ ବୋଲି ବୈଜ୍ଞାନିକ ରୋନ୍ ହ୍ୟାକେନ୍ କହିଛନ୍ତି। ଖନନ ଅଭିଯାନର ନିର୍ଦ୍ଦେଶକ ହ୍ୟାକେନ୍ଙ୍କ ଅନୁସାରେ, ଏହି ଅନୁସନ୍ଧାନ ପ୍ରଶାନ୍ତ ମହାସାଗରର ଟେକ୍ଟୋନିକ୍ ପ୍ରକ୍ରିୟା ବିଷୟରେ ଅଧିକ ଜ୍ଞାନ ଆହରଣରେ ସହାୟକ ହେବ ଏବଂ ସମଗ୍ର ବିଶ୍ୱରେ ସୁନାମି ବିପଦର ଆକଳନ ଓ ଏହାକୁ ମୁକାବିଲା କରିବାର ରଣନୀତି ପ୍ରସ୍ତୁତିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଏହି ଖନନ ଅଭିଯାନ ସୁନାମି ପ୍ରସଙ୍ଗରେ ଅଧିକରୁ ଅଧିକ ସୂଚନା ସଂଗ୍ରହ କରିବାକୁ ଜାରି ରହିଥିବା ଅନ୍ତର୍ଜାତୀୟ ମହାସାଗର ଆବିଷ୍କାର କାର୍ଯ୍ୟକ୍ରମ (ଆଇଓଡିପି)ର ଏକ ଅଂଶ।
ଗତ ଏକ ଦଶନ୍ଧି ମଧ୍ୟରେ ଏହି କାର୍ଯ୍ୟକ୍ରମର ୫୮ତମ ତଥା ଅନ୍ତିମ ଅଭିଯାନରୁ ସଂଗୃହୀତ ସମସ୍ତ ସୂଚନାକୁ ଏକତ୍ର କରାଯାଇଛି। ଜାପାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ର ୮୧ ଜଣ ଅନୁସନ୍ଧାନକାରୀ ଏହି ବୈଜ୍ଞାନିକ ଖନନ ଅଭିଯାନରେ ଅଂଶଗ୍ରହଣ କରି ସମୁଦ୍ର ଗର୍ଭର ପ୍ରାୟ ୧୦୦ କିଲୋମିଟର ଅନୁସନ୍ଧାନ କରି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ଏହି ଅନୁସନ୍ଧାନକୁ ଅଧିକ ତ୍ୱରାନ୍ୱିତ କରାଯାଇ ସୁନାମି ବିପଦରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାର ସମସ୍ତ ପ୍ରୟାସ ପାଇଁ ବିଶ୍ୱ ପ୍ରତିଶ୍ରୁତିବଦ୍ଧ। ସଂଗୃହୀତ ନମୁନାର ପରୀକ୍ଷାନିରୀକ୍ଷା ପାଇଁ ବହୁବର୍ଷ ଲାଗିବ। ୨୦୧୧ରେ ହୋଇଥିବା ସୁନାମି ପରେ ସେହି ସ୍ଥାନର ଶିଳାସ୍ତରରେ କିପରି ପରିବର୍ତ୍ତନ ହୋଇଛି ତାହା ପରୀକ୍ଷା କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି ବୋଲି ଅନ୍ୟତମ ଭୂ-ପଦାର୍ଥବିଜ୍ଞାନୀ ୱିଲ୍ ଗ୍ରାଣ୍ଟ୍ ସୂଚନା ଦେଇଛନ୍ତି।
Follow Us