ଭୁବନେଶ୍ବର: ଜୀବନ ଚାଲିଗଲା, ହେଲେ ଯିବା ପୂର୍ବରୁ ଆଉ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି। ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ଭୁବନେଶ୍ୱରର ସୁଚିତ୍ରା ଦାଶ। ସୁଚିତ୍ରାଙ୍କ ଦୁଇଟି କିଡନି ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହୋଇଛି। ୫୪ବର୍ଷିୟ ଜଗନ୍ନାଥ ସୁର ଏବଂ ମୀନତି ସାମନ୍ତରାୟ ପାଇଛନ୍ତି ନୂଆ ଜୀବନ।
ବ୍ରେନଡେଡ୍ ଘୋଷିତ ସୁଚିତ୍ରା ଦାଶଙ୍କ ଅଙ୍ଗଦାନ ପାଇଁ ଗତ କାଲି ସଂଧ୍ୟାରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଆପୋଲୋ ଡାକ୍ତର ଓ ବିଶେଷଜ୍ଞଙ୍କ ଟିମ୍ ଜରୁରୀ ପରୀକ୍ଷା କରିଥିଲେ। ତାପରେ ୩ଘଣ୍ଟା ଧରି ଚାଲିଥିଲା ଅପରେସନ୍। ସଫଳତାର ସହ ସୁଚିତ୍ରାଙ୍କ ଶରୀରରୁ ଦୁଇଟି କିଡନି ବାହାର କରାଯାଇଥିଲା। ଗୋଟିଏ କିଡନି ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିିବା ଗଂଜାମ ଜିଲ୍ଲାର ଜଗନ୍ନାଥ ସୁରଙ୍କ ଦେହରେ ପ୍ରତିରୋପଣ ହୋଇଥିଲା ଏବଂ ଅନ୍ୟ କିଡନିଟିକୁ ବେଶ୍ ସୁରକ୍ଷାର ସହ ଆମ୍ରି ହସପିଟାଲ ପଠାଯାଇଥିଲା। ରାତି ପ୍ରାୟ ୩ଟାରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ମୀନତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିଲା ଦ୍ୱିତୀୟ କିଡନି।
ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ସଫଳ ହୋଇଛି କାଡାଭରିକ ପ୍ରତିରୋପଣ। ପ୍ରିୟଙ୍କାଙ୍କ ପରେ ସୁଚିତ୍ରାଙ୍କ କିଡନିକୁ ସଫଳତାର ସହ ଅନ୍ୟ ଦୁଇଜଣଙ୍କଠାରେ ପ୍ରତିରୋପଣ କରି ଇତିହାସ ରଚିଛି ଓଡ଼ିଶା ଏବଂ ଆଗକୁ ବଢିଛି ସୂରଜ ଓ ପ୍ରିୟଙ୍କାଙ୍କ ଅଙ୍ଗଦାନ ଅଭିଯାନ। ତେବେ ପୁରୀ ସ୍ବର୍ଗଦ୍ୱାରରେ ସୁଚିତ୍ରାଙ୍କ ଜୁଇ ଜଳିଯାଇଛି। ହେଲେ ସୁଚିତ୍ରାଙ୍କ ପାଇଁ ନୂଆ ଜୀବନ ପାଇଥିବା ଅନ୍ୟ ଦୁଇଜଣ ସୁଚିତ୍ରାଙ୍କ ମହତ ଅବଦାନକୁ ମନେ ପକାଉଛନ୍ତି ଏବଂ ମରି ମଧ୍ୟ ଅମର ହୋଇଯାଇଛନ୍ତି ସୁଚିତ୍ରା ଦାଶ।
Follow Us