ଲୌହ ଫୁସ୍‌ଫୁସ୍‌ରେ ସାତ ଦଶନ୍ଧି

ଲୌହ ଫୁସ୍‌ଫୁସ୍‌ରେ ସାତ ଦଶନ୍ଧି

representational immage- Daily Star

୧୯୫୦ ଦଶକରେ ମରଣାନ୍ତକ ପୋଲିଓ ରୋଗରେ ଆକ୍ରାନ୍ତ ଆମେରିକାର ପଲ୍‌ ଆଲେକ୍‌ଜାଣ୍ଡାରଙ୍କ ଅବସ୍ଥା ଯାହା, ସେ ଆଉ ବଞ୍ଚିବା ଉଚିତ ହେବନାହିଁ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିପ୍ପଣୀ କରିଥିଲେ। ମାତ୍ର ‘ପୋଲିଓ ପଲ୍‌’ ଭାବେ ବହୁଳ ପରିଚିତ ଆଲେକ୍‌ଜାଣ୍ଡାର ନାନା ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଦୀର୍ଘ ୭୦ ବର୍ଷ ହେଲା ଏକ କୃତ୍ରିମ ଲୌହ ଫୁସ୍‌ଫୁସ୍‌ ଭିତରେ ବଞ୍ଚି ରହିଛନ୍ତି। ଖାଲି ସେତିକି ନୁହେଁ, ସେ ଶିକ୍ଷାଲାଭ କରି ଜଣେ ପେସାଦାର ଆଇନଜୀବୀ ମଧ୍ୟ ହୋଇପାରିଛନ୍ତି। ଏପରିକି ନିଜ ହସ୍ତଚାଳନା କରିପାରୁନଥିବା ପଲ୍‌ ପାଟିରେ କଲମ କାମୁଡ଼ି ନିଜର ଆତ୍ମଜୀବନୀ ଲେଖି ମଧ୍ୟ ସମସ୍ତଙ୍କୁ ବିସ୍ମିତ କରି ଦେଇଛନ୍ତି। ୧୯୫୨ ମସିହାରେ ତାଙ୍କୁ ଯେତେବେଳେ ମାତ୍ର ୬ ବର୍ଷ, ସେ ପୋଲିଓରେ ଭୀଷଣ ଭାବରେ ଆକ୍ରାନ୍ତ ହୋଇଥିଲେ।

ଏଥିରେ ତାଙ୍କର ସୁଷୁମ୍ନା କାଣ୍ଡ ପ୍ରଭାବିତ ହୋଇ ତାଙ୍କ ହାତ, ଗୋଡ଼, ମୁଣ୍ଡ, ବେକ ଓ ପାଟି ଆଦି ନିଶ୍ଚଳ ହୋଇଯାଇଥିଲା। ତେବେ ତାଙ୍କର ବଞ୍ଚିବାର ସମସ୍ତ ସମ୍ଭାବନା ଛାଡ଼ିଦେଇଥିବା ଚିକିତ୍ସାକାରୀ ଦଳ ତାଙ୍କୁ ଏକ ଲୌହ ଫୁସ୍‌ଫୁସ୍‌ ଭେଣ୍ଟିଲେଟର ଭିତରେ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଉକ୍ତ ଯନ୍ତ୍ରଟି ହେଉଛି ସାତ ଫୁଟ ଲମ୍ବର ଏକ ବାୟୁରୁଦ୍ଧ ସମ୍ପୁଟ ବା କ୍ୟାପସୁଲ ଯାହା ବିଯୁକ୍ତ ଚାପରେ ଅମ୍ଳଜାନ ଶୋଷିଥାଏ ଯଦ୍ଦ୍ବାରା ରୋଗୀର ଫୁସ୍‌ଫୁସ୍‌ କୃତ୍ରିମ ଭାବରେ ସମ୍ପ୍ରସାରିତ ହୋଇ ଶ୍ବାସକ୍ରିୟା ସାଧନ ହୋଇଥାଏ। ପଲ୍‌ଙ୍କର ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ପାଠ ପଢ଼ିବା ପାଇଁ ପ୍ରବର୍ତ୍ତାଇଥିଲା। ସେ ହାତରେ ଲେଖିପାରୁନଥିବାରୁ କିମ୍ବା କୌଣସି ବହିଖାତା ଧରିପାରୁନଥିବାରୁ ସବୁ ମନେ ରଖି ରଖି ଶିକ୍ଷାଗ୍ରହଣ କରିଥିଲେ। ଫଳସ୍ବରୂପ ଶ୍ରେଣୀଗୃହକୁ ଆଦୌ ଯାଇନଥିବା ପ୍ରଥମ ବିଦ୍ୟାର୍ଥୀ ଭାବେ ସେ ଆଇନ ଶାସ୍ତ୍ରରେ ସ୍ନାତକ ଏବଂ ୧୯୮୪ରେ ଆଇନରେ ଡକ୍ଟରେଟ୍‌ କରି ପେସାଦାର ଓକିଲ ହୋଇଥିଲେ। ଏଥି ସହିତ ଦୀର୍ଘ ପାଞ୍ଚ ବର୍ଷ କାଳ ପାଟିରେ କଲମ ଧରି ସେ ତାଙ୍କର ଆତ୍ମଜୀବନୀ ମଧ୍ୟ ଲେଖିବାରେ ସକ୍ଷମ ହୋଇଛନ୍ତି। ଏବେ ୭୭ ବର୍ଷୀୟ ‘ପୋଲିଓ ପଲ୍‌’ ଲୌହ ଫୁସ୍‌ଫୁସ୍‌ ମାଧ୍ୟମରେ ଦୀର୍ଘତମ ସମୟ ବଞ୍ଚି ରହିବାର ଗିନିସ୍‌ ବିଶ୍ବ ରେକର୍ଡ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe