ଲକ୍ଷ୍ମୌ: ଉତ୍ତରପ୍ରଦେଶର ହାପୁଡ଼ ଥାନା ଅଧୀନସ୍ଥ ରସୁଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଳାପୁଳା ସାପଙ୍କ ଭିତରୁ ମାଟି ତଳୁ ଏକ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଶିବରାତ୍ରୀ ପୂର୍ବରୁ ଶିବଲିଙ୍ଗ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିବଲିଙ୍ଗଙ୍କୁ ଉଦ୍ଧାର କରିବା ପରେ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି।
ଏହି ଘଟଣାକୁ ନେଇ ବାବୁଗଢ଼ର ରସୁଲପୁର ଗ୍ରାମରେ ବାସବାସ କରୁଥିବା ରାଜେନ୍ଦ୍ର ସିଂହ କହିଛନ୍ତି, ‘ଗୁରୁବାର ସକାଳେ ମୁଁ ନିତ୍ୟକର୍ମ ସାରିବା ପାଇଁ ଜଙ୍ଗଲକୁ ଯାଇଥିଲି। ଏହି ସମୟରେ ମାଟି ଉପରେ ଏକ ସ୍ଥାନରେ ପୁଳାପୁଳା ସାପ ଥିବା ଦେଖିବାକୁ ପାଇଥିଲି। ଏ ଦୃଶ୍ୟ ଦେଖି ଭୟଭୀତ ହୋଇ ମୁଁ ଘଟଣାସ୍ଥଳରୁ ଚାଲି ଆସି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲି।
ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ସାପଗୁଡ଼ିକୁ ଏଡ଼ାଇ ମାଟି ତଳେ କିଛି ଥିବାର ସନ୍ଦେହ କରି ଖୋଳିବା ଆରମ୍ଭ କରିଥିଲେ। କିଛି ଗଭୀର ପର୍ଯ୍ୟନ୍ତ ମାଟି ଖୋଳିବା ପରେ ସେଥିରୁ ଏକ ଶିବଲିଙ୍ଗ ବାହାରିଥିଲେ। ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଶିବରାତ୍ରୀକୁ ଆଉ କିଛିଦିନ ବାକିଥିବା ବେଳେ ମାଟିତଳୁ ଶିବଲିଙ୍ଗ ମିଳିବା ଘଟଣାକୁ ଗ୍ରାମବାସୀ ଭଗବାନଙ୍କ ଆର୍ଶୀବାଦ ମାନି ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି। ଶିବଲିଙ୍ଗ ମିଳିଥିବା ସ୍ଥାନଟି ସ୍ଥାନୀୟଲୋକଙ୍କ ଶଙ୍ଖ, ହୁଳହୁଳି ଦାନରେ କମ୍ପି ଉଠୁଛି।
Follow Us