ଲକ୍ଷ୍ମୌ: ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ଜଣେ ଯୁବକ ତାଙ୍କ ମୃତ ପ୍ରେମିକାଙ୍କୁ ବିବାହ କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ପରେ ଯୁବତୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ପୂର୍ବରୁ ପ୍ରେମିକ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ଦାନ କରିବା ସହିତ ଅନ୍ୟାନ୍ୟ ବିବାହ ରୀତିନୀତି ସମ୍ପନ୍ନ କରିଥିଲେ। ଏହି ଦୁଃଖଦ ଘଟଣାକୁ ସହ୍ୟ କରି ନପାରି ପ୍ରେମିକ ଚେତାଶୂନ୍ୟ ହୋଇପଡ଼ିଥିଲେ।
ସୂଚନାଯୋଗ୍ୟ, ନିଚଲୌଲ ସହରରେ ବସବାସ କରୁଥିବା ପ୍ରିୟଙ୍କାଙ୍କ ବିବାହ କିଛି ମାସ ପୂର୍ବରୁ ସନ୍ନି ମଧେସିଆଙ୍କ ସହିତ ସ୍ଥିର ହୋଇଥିଲା। ଉଭୟ ଅନେକ ଦିନରୁ ପରସ୍ପରକୁ ଭଲ ପାଇ ଆସୁଥିଲେ। ଘରେ ଦୁହେଁ ବିବାହ ପ୍ରସ୍ତାବ ଦେବା ପରେ ପରିବାରଲୋକ ଦୁହିଁଙ୍କ ବିବାହ ଆସନ୍ତା ନଭେମ୍ବର ମାସରେ ସ୍ଥିର କରିଥିଲେ। ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁ୍ତି ବି ଆରମ୍ଭ ହୋଇଯାଇଥିଲା। ଏଭଳି ଖୁସିର ସମୟରେ ଯୁବତୀ ପ୍ରିୟଙ୍କାଙ୍କ ହଠାତ ମୃତ୍ୟୁ ହେବା ଘଟଣାରେ ଉଭୟ କନ୍ୟା ଓ ବର ପକ୍ଷର ଲୋକେ ଭାଙ୍ଗି ପଡ଼ିଛନ୍ତି।
ପ୍ରିୟଙ୍କାଙ୍କ ମୃତ୍ୟୁ ଖବର ପାଇ ପ୍ରେମିକ ତଥା ଭାବି ସ୍ବାମୀ ପରିବାର ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ନି ଉଭୟ ପରିବାରଲୋକଙ୍କ ଅନୁମତି ନେଇ ପ୍ରିୟଙ୍କାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ।
ଏହାପରେ ପରିବାରଲୋକଙ୍କ ଉପସ୍ଥିତିରେ ସନ୍ନି ପ୍ରିୟଙ୍କାଙ୍କ ମଥାରେ ସିନ୍ଦୂର ଦେଇ ବିବାାହ କରିଥିଲେ। ବିବାହ ପରେ ସ୍ତ୍ରୀକୁ ସାଥୀରେ ନିଜ ଘରକୁ ନେବା ପରିବର୍ତ୍ତେ ସନ୍ନି କାନ୍ଧରେ ବୋହି ଶ୍ମଶାସନକୁ ନେଇ ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏଦୃଶ୍ୟକୁ ଦେଖି ଭୋଭୋ ହୋଇ କାନ୍ଦି ଉଠିଥିଲେ।
ପ୍ରିୟଙ୍କାଙ୍କ ମୃତ୍ୟୁକୁ ନେଇ ଏସଓ ଅଖିଳେଶ କୁମାର ବର୍ମା କହିଛନ୍ତି, ‘ ଯୁବତୀଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ି ପାରିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।’
Follow Us