ଚର୍ମର ସୁରକ୍ଷା କବଚର ଯତ୍ନ

Advertisment
ଚର୍ମର ସୁରକ୍ଷା କବଚର ଯତ୍ନ

ଆମ ଚର୍ମର ବାହ୍ୟ ଆବରଣକୁ ‘ଷ୍ଟ୍ରାଟମ୍‌ କର୍ଣ୍ଣିଅମ୍‌’ କୁହାଯାଏ, ଯାହା ବିଭିନ୍ନ ବୀଜାଣୁ, ପ୍ରଦୂଷକ, ଧୂଳି ଓ ବିଷାକ୍ତ ପଦାର୍ଥ ଠାରୁ ଚର୍ମକୁ ସୁରକ୍ଷା ଯୋଗାଇଥାଏ। ଏହା ମଧ୍ୟ ଜଳୀୟକଣାକୁ ଧରିରଖିବା ସହ ତ୍ବଚାକୁ ଶୁଷ୍କ ହେବାକୁ ନଦେଇ ତାହାକୁ ସୁସ୍ଥ ତଥା ଦୀର୍ଘଜୀବୀ କରିଥାଏ। ତେଣୁ ଏକ ସୁନ୍ଦର ତଥା ସୁସ୍ଥ ତ୍ବଚା ପାଇଁ ‘ଷ୍ଟ୍ରାଟମ୍‌ କର୍ଣ୍ଣିଅମ୍‌’ ବା ‘ଚର୍ମ ପ୍ରତିବନ୍ଧକ’ର ଯତ୍ନ ନେବା ନିହାତି ଜରୁରି। ତାହାର କିଛି ସହଜ ଉପାୟ ବାବଦରେ ଜାଣିବା।

ମୁଖମଣ୍ଡଳ ଚର୍ମକୁ ସଫା କରିବା ଲାଗି ମଧ୍ୟମ ଧରଣର ତଥା ସଲ୍‌ଫେଟ୍‌ ରହିତ ଫେସ୍‌ଵାସ୍‌ ବ୍ୟବହାର କରିବା ଉଚିତ, ଯାହା ଚର୍ମର ପ୍ରାକୃତିକ ତୈଳ କ୍ଷରଣରେ ବାଧା ଉପୁଜାଇବ ନାହିଁ। ନଖଉଷୁମ ପାଣିରେ ସକାଳେ ଥରେ ଓ ରାତିରେ ଶୋଇବା ପୂର୍ବରୁ ଥରେ- ଏମିତି ଦିନକୁ ଦୁଇଥର ମୁହଁ ଧୋଇଲେ ଭଲ। ମୁହଁ ଧୋଇଲା ପରେ ବା ଚର୍ମ ଶୁଖିଲା ଲାଗିଲେ ନିଜ ଚର୍ମକୁ ସୁହାଇଲା ଭଳି ମଏଶ୍ଚରାଇଜର୍‌ ମାଲିସ୍ କରିବା ଉଚିତ। ମଏଶ୍ଚରାଇଜର୍‌ କିଣିବା ବେଳେ ସେଥିରେ ହାୟାଲୁରୋନିକ୍‌ ଅମ୍ଳ, ଗ୍ଲିସେରିନ୍‌ ଓ ସିରାମିଆଡ୍‌ସ ପରି ‘ଚର୍ମ ପ୍ରତିବନ୍ଧକ’କୁ ସଶକ୍ତ କରୁଥିବା ଉପାଦାନର ଉପସ୍ଥିତି ସୁନିଶ୍ଚିତ କରନ୍ତୁ। ଚର୍ମକୁ ପରିଷ୍କାର କରିବା ଲାଗି ସପ୍ତାହକୁ ଥରେ କିମ୍ବା ସର୍ବାଧିକ ଦୁଇ ଥର ଏକ୍ସଫୋଲିଏସନ୍‌ କଲେ ଭଲ। ମାତ୍ରାଧିକ ଏକ୍ସପୋଲିଏସନ୍‌ ଚର୍ମ ପ୍ରତିବନ୍ଧକରେ କ୍ଷତି ପହଞ୍ଚାଇଥାଏ। ସେହିପରି ପ୍ରତ୍ୟହ ସନ୍‌ସ୍କ୍ରିନ୍‌ ଲେପନ କରିବା ଭଲ। ଖରାରେ ବାହାରେ ବୁଲିବା ବେଳେ କି ସନ୍ତରଣ ପରେ କି ଝାଳ ବାହାରିବା ପରେ ପ୍ରତି ଦୁଇଘଣ୍ଟାରେ ଥରେ ସନ୍‌ସ୍କ୍ରିନ୍‌ ଲଗାଇଲେ ସୂର୍ଯ୍ୟର କ୍ଷତିକାରଣ ଅତିବାଇଗଣୀ ରଶ୍ମିରୁ ତ୍ବଚାକୁ ସୁରକ୍ଷା ମିଳିପାରିବ। ସେହିପରି ଭିଟାମିନ୍‌ ସି, ଭିଟାମିନ୍‌ ଇ ଓ ନିଆସିନାମାଇଡ୍‌ ପରି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ କ୍ରିମ୍‌ ଲଗାଇବା ଦ୍ବାରା ‘ଚର୍ମ ପ୍ରତିବନ୍ଧକ’କୁ ନଷ୍ଟ କରିଦେଉଥିବା ଫ୍ରି-ରାଡିକାଲ୍‌ କବଳରୁ ତ୍ବଚାକୁ ସୁରକ୍ଷିତ ରଖିହେବ।

ଅପରପକ୍ଷେ, କୌଣସି ପ୍ରକାର ଆଲ୍‌କୋହୋଲ୍‌ ସଂପନ୍ନ କି ସୁଗନ୍ଧଯୁକ୍ତ କି ତୀବ୍ର ପ୍ରିଜର୍ଭେଟିଭ୍‌ ପଦାର୍ଥ ଥିବା ମଲମ ଚର୍ମରେ ମାରିବା ଅନୁଚିତ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଚର୍ବିଳାମ୍ଲ, ଭିଟାମିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟପୂର୍ଣ୍ଣ ଚର୍ବିଳ ମାଛ, ପନିପରିବା, ଫଳମୂଳ ଓ ଶୁଷ୍କ ଫଳ ଆଦି ସାମିଲ ଥିବା ସନ୍ତୁଳିତ ଆହାର ଭୋଜନ କରିବା। ସେହିପରି ଦିନକୁ ଅତି କମ୍‌ରେ ୮ କପ୍‌ ପାଣି ଗ୍ରହଣ କରି ଚର୍ମକୁ ସର୍ବଦା ଆର୍ଦ୍ର ରଖିବା ଦରକାର। ଅଧିକ ଗରମ ପାଣିରେ ଗାଧୋଇବା ବଦଳରେ ଉଷୁମ ପାଣିରେ ଗାଧାନ୍ତୁ, କାରଣ ଗରମ ପାଣି ଚର୍ମର ବାହ୍ୟସ୍ତରକୁ କ୍ଷତିଗ୍ରସ୍ତ କରିଦେଇଥାଏ। ୧୦ରୁ ୧୫ ମିନିଟ୍‌ ଯାଏ ନଖଉଷୁମ ପାଣିରେ ଗାଧୋଇଲେ ଚଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe