କୋରାପୁଟ: ଆଦିବାସୀ ବହୁଳ ତଥା ଉପାନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୨୦୧୭ରେ କୋରାପୁଟରେ କାର୍ଯ୍ୟକ୍ଷମ ହୋଇଥିଲା ସହିଦ ଲକ୍ଷ୍ମଣ ନାୟକ (ଏସ୍ଏଲ୍ଏନ୍) ମେଡିକାଲ କଲେଜ। ଆରମ୍ଭରୁ ଖାଲି ପଡ଼ିଥିବା ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦ ପୂରଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବ୍ୟାହତ ହୋଇଛି ରୋଗୀ ସେବା। ଆବଶ୍ୟକ ଚିକିତ୍ସା ମିଳୁନଥିବାରୁ ଅଧିକାଂଶ ରୋଗୀ ଏବେ ବି ଆନ୍ଧ୍ର ଉପରେ ନିର୍ଭରଶୀଳ। ଡାକ୍ତରୀ ଛାତ୍ରଙ୍କ ପାଠପଢ଼ାରେ ବି ସମସ୍ୟା ସୃଷ୍ଟି ହେଉଛି।
ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରୁ ରୋଗୀ ରେଫର୍ ହୋଇ ଆସିଥାନ୍ତି। କିନ୍ତୁ ଆବଶ୍ୟକ ପ୍ରଫେସର ନଥିବାରୁ ରୋଗୀଙ୍କୁ ଅଧିକ ଚିକିତ୍ସା ଲାଗି ବ୍ରହ୍ମପୁର ଓ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଦୈନିକ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସୁଛନ୍ତି। ଗତ ଅଗଷ୍ଟରେ ୬୫୦ ଶଯ୍ୟା ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲ କୋଠାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ଘାଟନ କରିଥିଲେ। ହେଲେ ଉଦ୍ଘାଟନର ୩ମାସ ପରେ ବି ୫୦୦ ଶଯ୍ୟା ହସ୍ପିଟାଲରେ ହିଁ ରୋଗୀ ସେବା ଚାଲିଛି। ଯାହାକୁ ନେଇ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୧ଟି ବିଭାଗ ପାଇଁ ପ୍ରଫେସର ପଦବି ମଞ୍ଜୁର ହୋଇଛି। ସେଥି ମଧ୍ୟରୁ ୮ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଆନାଟୋମି, କମ୍ୟୁନିଟି ମେଡିସିନ୍, ଅର୍ଥୋପେଡିକ, ଟିବି ଓ ଚେଷ୍ଟ, ରେଡିଓ ଡାଇଗ୍ନୋସିସ୍, ଇଏନ୍ଟି, ଇମରଜେନ୍ସି ମେଡିସିନ୍ ଓ ଫିଜିକାଲ ମେଡିସିନ୍ ବିଭାଗରେ ମୁଖ୍ୟ ପ୍ରଫେସର ନାହାନ୍ତି। ସେହିପରି ୨୯ ଆସୋସିଏଟ୍ ପ୍ରଫେସର ପଦରୁ ୧୧ଟି ଖାଲିପଡ଼ିଛି। ବାୟୋକେମିଷ୍ଟ୍ରି, ପାଥୋଲୋଜି, ଫାର୍ମାକୋଲୋଜି, ରେଡିଓ ଡାଇଗ୍ନୋସିସ୍, ଡେଣ୍ଟିଷ୍ଟ୍, ମାଇକ୍ରୋବାୟୋଲୋଜି, ସାଇକିଆଟ୍ରିକ୍, ଇଏନ୍ଟି, ଇମରଜେନ୍ସି ମେଡିସିନ୍, ଫିଜିକାଲ ମେଡିସିନ୍ ଓ ଏଫ୍ଏମ୍ଟି ବିଭାଗରେ ଆସୋସିଏଟ୍ ପ୍ରଫେସର ନାହାନ୍ତି। ସାଇକିଆଟ୍ରିକ୍, ରେଡିଓଲୋଜି, ଇଏନ୍ଟି ଓ ଫିଜିକାଲ ମେଡିସିନ୍ ବିଭାଗରେ ପ୍ରଫେସର କିମ୍ବା ଆସୋସିଏଟ୍ ପ୍ରଫେସର ନଥିବାରୁ ଏହି ୪ଟି ବିଭାଗ ସହକାରୀ ପ୍ରଫେସରରେ ଚାଲିଛି। ଅନ୍ୟ ଖାଲି ପଡ଼ିଥିବା ପଦ ମଧ୍ୟରେ ସହକାରୀ ପ୍ରଫେସର ୩, ସିନିଅର ରେସିଡେଣ୍ଟ୍ ୩୪, ଟ୍ୟୁଟର ୩, ଜୁନିଅର ରେସିଡେଣ୍ଟ୍ ୯ଟି ପଦ ଖାଲି ପଡ଼ିଛି।
ମେଡିକାଲ କଲେଜରେ ଅଧ୍ୟୟନ ପାଇଁ ପ୍ରାରମ୍ଭରେ ୧୦୦ଟି ଏମ୍ବିବିଏସ୍ ସିଟ୍ ଥିଲା। ଏବେ ସିଟ୍ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୦୦ ସିଟ୍ ଅନୁଯାୟୀ ହିଁ ପଦ ମଞ୍ଜୁରି ହୋଇଛି। ବୃଦ୍ଧି ହୋଇଥିବା ସିଟ୍ ଅନୁଯାୟୀ ଆହୁରି ୩୯ଟି ପଦ ଆବଶ୍ୟକ ପଡ଼ିବ। ମେଡିକାଲ କଲେଜ କାର୍ଯ୍ୟକ୍ଷମକୁ ଇତିମଧ୍ୟରେ ୮ବର୍ଷ ବିତିଥିଲେ ମଧ୍ୟ କେବଳ ଏମ୍ବିବିସ୍ ପାଠ୍ୟକ୍ରମ ହିଁ ଉପଲବ୍ଧ ରହିଛି। ପିଜି ପାଠ୍ୟକ୍ରମ ଖୋଲିପାରିନି। ଏ ସମ୍ପର୍କରେ ଏସ୍ଏଲ୍ଏନ୍ ଡିନ୍ ହରିକୃଷ୍ଣ ଦଳେଇଙ୍କୁ ପଚାରିବାରୁ ସରକାରଙ୍କୁ ଏ ନେଇ ଅବଗତ କରାଯାଇଛି ବୋଲି କହିଛନ୍ତି।
Follow Us