‘ଥଣ୍ଡା ହେଲା ବୋଲି ଡରି ଯାଇଥିଲୁ’

Advertisment
‘ଥଣ୍ଡା ହେଲା ବୋଲି ଡରି ଯାଇଥିଲୁ’

କଟକ : ‘ଏପ୍ରିଲରେ ଘରକୁ ଆସିଥାନ୍ତୁ, କିନ୍ତୁ କରୋନା ଆମକୁ ଏଠାରେ ଅଟକାଇ ଦେଇଛି। ଅନ୍ୟପକ୍ଷରେ, ମାସେ ହେଲା ଘରୁ ବାହାରି ପାରୁନୁ କି ବାହାରିବାକୁ ବି ଚାହୁଁନୁ।' 'ସମ୍ବାଦ' ସହିତ କଥା ହେଲାବେଳେ ଏହା କହିଛନ୍ତି ଆମେରିଆର ଇଣ୍ଡିଆନା ପୋଲିସ୍‌ ଅଞ୍ଚଳରେ ପରିବାର ସହ ରହୁଥିବା ସ୍ମିତାଞ୍ଜଳୀ ଦାଶ।

ସ୍ମିତାଞ୍ଜଳୀଙ୍କ ସ୍ବାମୀ ମନୋରଞ୍ଜନ ଆମେରିକାରେ ଆଇଟି ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରୁଛନ୍ତି। ୮ ବର୍ଷ ଧରି ସେମାନେ ସେଠାରେ ରହି ଆସୁଛନ୍ତି। କରୋନା ଜନିତ ପରିସ୍ଥିତି ସମ୍ପର୍କରେ ସ୍ମିତାରାଣୀ କୁହନ୍ତି ଯେ, ' ଆମେରିକାର ସ୍ଥିତି ତ ଆପଣମାନେ ସମସ୍ତେ ଦେଖିଥିବେ ଓ ଜାଣୁଥିବେ। ସ୍ଥିତି ଦେଖି ଭୟ ଲାଗୁଛି। ଲକ୍‌ଡାଉନ୍‌ କଟକଣା ‌ଯୋଗୁଁ ଘରେ ବସି କାମ କରୁଛୁ। ସବୁଜିନିଷ ହୋମ ଡେଲିଭରିରେ ମିଳିଯାଉଛି। ଡାକ୍ତର ମଧ୍ୟ ଅନ୍‌କଲ୍‌ରେ ଆସୁଛନ୍ତି। କିଛି ଦିନ ତଳେ ମୋତେ ହଠାତ୍‌ ଜୋର୍‌ରେ ଥଣ୍ଡା ହେଲା, ତେଣୁ ସମସ୍ତେ ଡରିଗଲୁ। କିନ୍ତୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶରେ ଥିବା ଡାକ୍ତରଙ୍କ ନମ୍ବରରେ କଲ୍‌ କରିବା ପରେ ଡାକ୍ତର ଆସି ଘରେ ଚିକିତ୍ସା କରି ଔଷଧ ଦେଲେ।'

ସ୍ମିତାଞ୍ଜଳୀ ଆହୁରି କହିଛନ୍ତି ଯେ, ' ସବୁବେଳେ ଓଡିଶା କଥା ମନେ ପଡୁଛି, ଘରକୁ ଯିବା ପାଇଁ ଇଚ୍ଛା ହେଉଛି। କିନ୍ତୁ ଯାଇପାରୁନୁ, କି ଯିବା‌ ବି ଠିକ୍‌ ନୁହେଁ ବୋଲି ଭାବୁଛୁ। ଏପ୍ରିଲରେ ଆମେ ରାଉଲକେଲା ଯିବାର ଥିଲା। କିନ୍ତୁ ତା ମଧ୍ୟ ବନ୍ଦ ହେଲା, ଆହୁରି କେତେଦିନ ଏଭଳି ସ୍ଥିତି ରହିବ ସେହି ଚିନ୍ତା ସବୁ ବେଳେ ମନରେ ଲାଗିରହୁଛି। '' ଓଡିଶାରେ ମୁଖ୍ୟମନ୍ତ୍ରୀ ଭଲ ପଦକ୍ଷେପ ନେଇଛନ୍ତି, ତେଣୁ ସ୍ଥିତି ଭଲ ଅଛି। ପରିବାର ଲୋକ ଭଲରେ ଥିବାରୁ ଆମକୁ ଆଶ୍ବସ୍ତ ମଧ୍ୟ ଲାଗୁଛି। ମୋର ସମସ୍ତଙ୍କୁ ଗୋଟିଏ ଅନୁରୋଧ ସରକାରଙ୍କ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ମାନନ୍ତୁ ଓ ସତର୍କତାର ସହ ଚଳନ୍ତୁ। ସତର୍କ ହେଲେ ସ୍ଥିତି ଭଲ ରହିବ,' ବୋଲି କହିଛନ୍ତି ସ୍ମିତାଞ୍ଜଳୀ।

(ସ୍ମିତାଞ୍ଜଳୀଙ୍କ ସହିତ କଥା ହୋଇଥିଲେ କଟକ ଜିଲ୍ଲାପ୍ରତିନିଧି ସୀମନ୍ତିକା ନନ୍ଦ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe