ସସ୍ମିତା ସାହୁ
ଦିନ ଥିଲା ହିନ୍ଦୀ ଛବିରେ ନାୟକ-ନାୟିକା ପିଆନୋ ବଜାଇ ଗୀତ ଗାଇବାର ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳୁଥିଲା। ସେତିକି ନୁହେଁ, ପିଆନୋର ମଧୁର ଶବ୍ଦଝଙ୍କାରକୁ ବି ଗୀତରେ ବ୍ୟବହାର କରାଯାଉଥିଲା। ପ୍ରାୟ ୩୦୦ ବର୍ଷ ତଳେ ଉଦ୍ଭାବିତ ଏହି ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ୧୯୪୦ ଦଶକରେ ଭାରତୀୟ ସଂଗୀତ ସହ ଯୋଡ଼ି ହୋଇଥିଲା। ମାତ୍ର ଇଲେକ୍ଟ୍ରୋନିକ୍ କି’େବାର୍ଡ ପ୍ରଚଳନ ପରେ ପିଆନୋ ଆଉ ଆଗଭଳି ଖୋଜାପଡୁନି। ହିନ୍ଦୀ ଛବି ‘ସାଜନ୍’ର ଗୀତ ‘ବହତ୍ ପ୍ୟାର୍ କର୍ତେ ହେଁ ତୁମ୍କୋ ସନମ୍’ ହେଉ ବା ‘୧୯୨୦’ ହରର୍ ଚଳଚ୍ଚିତ୍ରରେ ଅଭିନେତ୍ରୀ ଆଦାହ୍ ଶର୍ମାଙ୍କ ପିଆନୋ ଧୁନ୍; ଏମିତି ବହୁ ବଲିଉଡ୍ ଗୀତରେ ବ୍ୟବହୃତ ହୋଇଥିବା ପିଆନୋର ଚାହିଦା କମିଥିଲେ ବି ଚଳଚ୍ଚିତ୍ର ସଙ୍ଗୀତରେ ଏବେ ବି ତା’ର ଅସ୍ତିତ୍ବ ରହିଛି।
ଭାରତକୁ ପିଆନୋ ଆଣିଥିଲେ ଇଂରେଜ୍
ଇଟାଲୀର ବାର୍ଟୋଲୋମିଓ କ୍ରିଷ୍ଟିଫୋରି ୧୭୦୦ ମସିହାରେ ପିଆନୋ ବାଦ୍ୟଯନ୍ତ୍ର ଉଦ୍ଭାବନ କରିଥିଲେ। ଆଧୁନିକ ପିଆନୋ ପ୍ରସ୍ତୁତିର ଶ୍ରେୟ ତାଙ୍କୁ ଦିଆଯାଏ। ଇଟାଲୀୟ ଶବ୍ଦ ‘ପିଆନୋଫୋର୍ଟ’ରୁ ପିଆନୋର ଉତ୍ପତ୍ତି, ଯାହାର ଅର୍ଥ ହେଉଛି ‘କୋମଳ ଓ ଉଚ୍ଚସ୍ବର’। ତେବେ ପ୍ରାରମ୍ଭିକ ସ୍ତରରେ ପିଆନୋର ଆକୃତି ବର୍ତ୍ତମାନର ପିଆନୋଠାରୁ ଭିନ୍ନ ଥିଲା। ଧୀରେ ଧୀରେ ଏହା ବର୍ତ୍ତମାନ ଉପଲବ୍ଧ ପିଆନୋ ରୂପ ପାଇଥିଲା। ଊନବିଂଶ ଶତାବ୍ଦୀ ପ୍ରାରମ୍ଭରେ ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ଦ୍ୱାରା ପ୍ରଥେମ ଭାରତକୁ ପିଆନୋ ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଏହା ମୁଖ୍ୟତଃ ବ୍ରିଟିସ୍ ଓ ସମ୍ଭ୍ରାନ୍ତଶ୍ରେଣୀୟ ଭାରତୀୟଙ୍କ ଦ୍ୱାରା ବ୍ୟବହୃତ ହେବା ସହ ରାଜକୀୟ ପ୍ରତୀକ ପାଲଟିଥିଲା। ଧୀରେ ଧୀରେ ତତ୍କାଳୀନ ସଙ୍ଗୀତଜ୍ଞମାନେ ଏହି ପାଶ୍ଚାତ୍ୟ ବାଦ୍ୟକୁ ଭାରତୀୟ ସଙ୍ଗୀତରେ ବ୍ୟବହାର କରିବା ଆରମ୍ଭ କଲେ। କ୍ରମେ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ପିଆନୋ ବ୍ୟବହାର ଲୋକପ୍ରିୟ ହୋଇଉଠିଲା।
୧୯୪୨ରୁ ବଲିଉଡ୍ରେ ପିଆନୋ
ପିଆନୋ ବାଜିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଗୀତ କେଉଁଟି? ଏ ସଂପର୍କରେ ଏ ଯାବତ୍ ସ୍ପଷ୍ଟ ସୂଚନା ନାହିଁ। ୧୯୪୨ ମସିହାରେ ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର ‘ବସନ୍ତ’ର ‘ଏକ୍ ଦୁନିଆ ବସା ଲେ...’ ସମ୍ଭବତଃ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଗୀତ, ଯେଉଁଥିରେ ପିଆନୋ ବ୍ୟବହାର କରାଯାଇଥିଲା। ପଣ୍ଡିତ୍ ପନ୍ନାଲାଲ୍ ଘୋଷ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପାରୁଲ୍ ଘୋଷ୍ ଓ ଅରୁଣ କୁମାର କଣ୍ଠ ଦେଇଥିଲେ। ଏଥିରେ ମୁମ୍ତାଜ୍ ଶାନ୍ତି ଓ ଉଲ୍ହାସ୍ ଅଭିନୟ କରିଥିଲେ। ୧୯୫୦ ପରେ ହିନ୍ଦୀ ଫିଲ୍ମ ସଂଗୀତରେ ପିଆନୋ ବ୍ୟବହାର ବୃଦ୍ଧି ପାଇଥିଲା।
ଏହାପରେ ‘ବାବୁଲ୍’(୧୯୫୦) ଚଳଚ୍ଚିତ୍ରର ଦିଲୀପ କୁମାର ଓ ମୁନାୱାର୍ ସୁଲ୍ତାନ୍ଙ୍କ ଅଭିନୀତ ଗୀତ ‘ମିଲ୍ତେ ହି ଆଖେଁ ଦିଲ୍ ହୁଆ କିସିକା...’, ‘ଆରାମ୍’ (୧୯୫୧)ରେ ମଧୁବାଲା ଓ ପ୍ରେମ୍ନାଥ୍ଙ୍କ ଅଭିନୀତ ‘ଏ ଜାନେ ଜିଗର୍...’, ‘ଅନ୍ହୋନି’(୧୯୫୨)ରେ ରାଜ୍ କପୁର ଓ ନର୍ଗିସଙ୍କ ଅଭିନୀତ ‘ମେ ଦିଲ୍ ହୁଁ ଏକ୍ ଅର୍ମାନ୍ ଭରା...’, ‘ସଙ୍ଗ୍ଦିଲ୍’ (୧୯୫୨)ରେ ଦିଲୀପ କୁମାରଙ୍କ ଅଭିନୀତ ‘କାହାଁ ହୋ କାହାଁ ମେରେ ଜୀବନ ସାହାରେ...’, ‘କଠ୍ପୁତ୍ଲି’(୧୯୫୭)ରେ ବୈଜୟନ୍ତୀମାଳା ଓ ବଲ୍ରାଜ୍ ଶାହନିଙ୍କ ଅଭିନୀତ ‘ମଞ୍ଜିଲ୍ ୱହି ହୈ ପ୍ୟାର୍ କି...’, ‘ମାୟା’(୧୯୬୧)ରେ ଦେବ୍ ଆନନ୍ଦଙ୍କ ଅଭିନୀତ ‘କୋଇ ସୋନେ କା ଦିଲ୍ୱାଲା’, ‘ସଗୁନ୍’(୧୯୬୪)ରେ ୱାହିଦା ରେହ୍ମାନ୍, କମଲ୍ଜିତ୍ ଓ ନିବେଦିତାଙ୍କ ଅଭିନୀତ ‘ତୁମ୍ ଆପ୍ନେ ରାଞ୍ଝ-ଓ-ଗମ୍...’, ‘ୱକ୍ତ’(୧୯୬୫)ରେ ରାଜ୍ କୁମାର, ସୁନୀଲ୍ ଦତ୍ତ ଓ ସାଧ୍ନାଙ୍କ ଅଭିନୀତ ‘ଚେହ୍ରେ ପେ ଖୁସି ଛା ଜାତି ହୈ...’, ‘ତିନ୍ ଦେବୀୟାଁ’(୧୯୬୫)ର ଦେବ୍ ଆନନ୍ଦଙ୍କ ଅଭିନୀତ ‘ୱାବ୍ ହୋ ତୁମ୍ ୟା କୋଇ ହକିକତ୍...’, ଧର୍ମେନ୍ଦ୍ର-ତନୁଜାଙ୍କ ଅଭିନୀତ ‘ବାହାରେଁ ଫିର୍ ଭି ଆୟେଗେଁ’(୧୯୬୬)ର ‘ଆପ୍କେ ହସିନ୍ ରୁଖ୍...’ ଏବଂ ତରୁଣ ବୋଷ୍ ଓ ସୁରେଖାଙ୍କ ଅଭିନୀତ ‘ଅନୁପମା’(୧୯୬୬ ) ଚଳଚ୍ଚିତ୍ରର ‘ଧୀରେ ଧୀରେ ମଚଲ୍...’ ଆଦି ଗୀତରେ ପିଆନୋ ବ୍ୟବହାର ହୋଇଥିଲା। ଯଦିଓ ଇଲେକ୍ଟ୍ରୋନିକ୍ ସାମ୍ଫଲର୍ ଆସିବା ପରେ ପିଆନୋ ଭଳି ବାଦ୍ୟଯନ୍ତ୍ରର ବ୍ୟବହାର ବଲିଉଡ୍ ସଂଗୀତରେ କମିଯାଇଛି କିନ୍ତୁ କେତେକ କ୍ଷେତ୍ରରେ ସଂଗୀତ ନିର୍ଦ୍ଦେଶକମାନେ ଏହାକୁ ବ୍ୟବହାର କରିଛନ୍ତି। ‘କଲ୍ ହୋ ନା ହୋ...’, ‘ଜନମ୍ ଜନମ୍...’. ‘ବେଦର୍ଦିୟାଁ...’, ‘ପେହ୍ଲା ନଶା...’, ‘ଲଗ୍ ଯା ଗଲେ...’, ‘ଏ ମେରେ ହମ୍ସଫର୍’, ‘ତୁମ୍ ହି ହୋ...’, ‘ଅଗର୍ ତୁମ୍ ସାଥ୍ ହୋ...’, ‘ତୁମ୍ସେ ହି... ’ ଆଦି ଲୋକପ୍ରିୟ ଗୀତରେ ପିଆନୋର ଧୁନ୍ ବ୍ୟବହୃତ ହୋଇଛି।
ଓଡ଼ିଆ ଚଳଚ୍ଚିତ୍ର ଗୀତରେ ପିଆନୋ
ଖାଲି ହିନ୍ଦୀ ଚଳଚ୍ଚିତ୍ର ନୁହେଁ, ବହୁ ଓଡ଼ିଆ ଚଳଚ୍ଚିତ୍ର ଗୀତରେ ମଧ୍ୟ ପିଆନୋ ବାଦନ ହୋଇଛି। ଏନେଇ ସିନେସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି, ‘‘ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତରେ କିଏ ପ୍ରଥମେ ପିଆନୋ ବ୍ୟବହାର କରିଥିଲେ ବା କିଏ ଓଡ଼ିଶାକୁ ପ୍ରଥମେ ପିଆନୋ ଆଣିଥିଲେ, ସେ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ତେବେ କୋଲ୍କାତାରେ ଅବସ୍ଥାପିତ ସଙ୍ଗୀତ ନିର୍ଦ୍ଦେଶକ ଭି. ବାଲ୍ସରା ୫୦ରୁ ୭୦ ଦଶକ ମଧ୍ୟରେ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରରେ ଯନ୍ତ୍ରସଙ୍ଗୀତ ସଂଯୋଜନା କରିଥିଲେ। ସେ ହିଁ ଓଡ଼ିଆ ଗୀତରେ ପ୍ରଥମେ ପିଆନୋ ବ୍ୟବହାର କରିଥାଇ ପାରନ୍ତି ବୋଲି ବିଶ୍ବାସ କରାଯାଏ। ତେବେ ଓଡ଼ିଆ ଗୀତ ‘ଏଇ ଚୂନା ଚୂନା ତାରା ଫୁଲେ..’, ‘ଏ ଲଗନେ ମୋ ମନ...’, ‘ଟିକେ ଟିକେ ଅଚିହ୍ନା ତୁ...’ ଓ ‘ପ୍ରେମ ହେଇଗଲା ଜାଣିଲି...’ରେ ପିଆନୋ ବ୍ୟବହୃତ ହୋଇଥିଲା।’’
ଏବେ ଓଡ଼ିଆ ଗୀତରେ ପିଆନୋ ବ୍ୟବହାର ପ୍ରସଙ୍ଗରେ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହନ୍ତି, ‘‘ଚଳଚ୍ଚିତ୍ରର ଦୃଶ୍ୟକୁ ନଜରରେ ରଖି ଗୀତ ସ୍ବର କରାଯାଏ ଏବଂ ସେହି ଅନୁସାରେ ବାଦ୍ୟଯନ୍ତ୍ର ବ୍ୟବହାର ହୁଏ। ଓଡ଼ିଶାରେ ପିଆନୋର ପ୍ରଚଳନ ନାହିଁ। କାରଣ ଏଠାରେ ପିଆନୋ ବାଦକ ନାହାନ୍ତି। ପେସାଦାର ବାଦକ ନଥିବାରୁ କି-ବୋର୍ଡରେ ଯେତିକି ପିଆନୋ କି’ ରହିଛି, ତାହାକୁ ନେଇ ଆମେ ସଙ୍ଗୀତ ସଂଯୋଜନା କରିଦେଉ। ଓଡ଼ିଶାରେ ଭଲ ପିଆନୋ ଗୁରୁ କିମ୍ବା ତାଲିମପ୍ରାପ୍ତ ପ୍ରଶିକ୍ଷକ ବି ନାହାନ୍ତି। ଏଣୁ ଓଡ଼ିଶାରୁ ପିଆନିଷ୍ଟ୍ ବାହାରୁ ନାହାନ୍ତି। କିଛି ସଂଗୀତ ସୌଖୀନ୍ ସୋ’ପିସ୍ ଭାବେ ପିଆନୋ ଘରେ ରଖିଥିବା ବେଳେ ମୁଁ ମଧ୍ୟ ମୋ ମୁମ୍ବାଇ ଘରେ ପିଆନୋ ରଖିଛି।’’
Follow Us