ନିଖୋଜର ୨ମାସ ପରେ ବାପା, ମା’ଙ୍କୁ ଭେଟିଲେ ରାଜେନ୍ଦ୍ର: ମଝିଆ ଭାଇର ଆତ୍ମହତ୍ୟା ଘଟଣାରେ ମାନସିକ ଭାରସାମ୍ୟ ହରାଇ ଘର ଛାଡିଥିଲେ

ନିଖୋଜର ୨ମାସ ପରେ ବାପା, ମା’ଙ୍କୁ ଭେଟିଲେ ରାଜେନ୍ଦ୍ର: ମଝିଆ ଭାଇର ଆତ୍ମହତ୍ୟା ଘଟଣାରେ ମାନସିକ ଭାରସାମ୍ୟ ହରାଇ ଘର ଛାଡିଥିଲେ

ଜୟପୁର: ଗତକାଲି ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କେନ୍ଦୁଝରର ରାଜେନ୍ଦ୍ର ଜେନାଙ୍କ ବାପା, ମା' ଓ ଅନ୍ୟ ପରିବାରବର୍ଗ ଆଜି ପହଚିଂଛନ୍ତି। ଗତ ୨ମାସ ହେବ ନିଖୋଜ ଥିବା ରାଜେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖି ବାପା ଆନନ୍ଦ ଜେନା ଓ ମା' ଖୁସିର ଲୁହ ନିଗାଡ଼ିବା ସହ ରାଜେନ୍ଦ୍ରକୁ ଖାଦ୍ୟ ଖୁଆଇଥିଲେ। ଏପରି ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ଯେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରିବାଠାରୁ ପାଖରେ ରହିଥିବା ସ୍ବେଚ୍ଛାସେବୀ ହେମରାଜ ପାଣିଗ୍ରାହୀ ବି କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରାଜେନ୍ଦ୍ରଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟସ୍ଥ ଖାଳିଆମେଣ୍ଟାରେ। ସେ ବାପା, ମା’ଙ୍କ ସହ ଘରେ ରହୁଥିଲେ। ମାଟ୍ରିକ ପଢ଼ିବା ପରେ ଆଇଟିଆଇ କରି ଏକ ଘରୋଇ କମ୍ପାନୀରେ ଚାକିରି ବି କରୁଥିଲେ। ଅଳ୍ପ କିଛି ମାସ ତଳେ ମଝିଆ ଭାଇ କୌଣସି କାରଣରୁ ଆତ୍ମହତ୍ୟା କରିବା ପରେ ରାଜେନ୍ଦ୍ର ଧିରେ ଧିରେ ମାନସିକ ଭାରସାମ୍ୟ ହରାଇଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମାନସିକ ଚିକିତ୍ସା ବି କରାଯାଇଥିଲା। ଦୁଇ ମାସ ତଳେ ଏକ ପାରିବାରିକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ସ୍କୁଟି ନେଇ ଯିବାକୁ କହିଥିଲେ ରାଜେନ୍ଦ୍ର | ତା'ପରଠାରୁ ସେ ଆଉ ଘରକୁ ଫେରି ନଥିଲେ। ଏ ନେଇ ପରିବାରବର୍ଗ ଘଷିପୁର ଥାନାରେ ଏତଲା ଦେବା ସହ ଦୀର୍ଘ ଦୁଇ ମାସ ହେବ ଖୋଜାଖୋଜି କରୁଥିଲେ। ସମାଜସେବୀ ହେମରାଜ ରାଜେନ୍ଦ୍ରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରକୁ ସୂଚନା ଦେଇଥିଲେ | ଏହା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜେନ୍ଦ୍ରଙ୍କ ବାପା, ମା’ ଓ ଅନ୍ୟ ପରିବାରବର୍ଗ ଜୟପୁର ଆସିଥିବା କହିଛନ୍ତି। ରାଜେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ହେଁ ମାନସିକ ଅବସ୍ଥାରେ ରାଜେନ୍ଦ୍ରର ସୁଧାର ଆସି ପାରିନି। ପରିବାରବର୍ଗ ନିଜ ସାଙ୍ଗରେ ଘରକୁ ନେଇ ଚିକିତ୍ସା କରାଇବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe