ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କର ଦୟାଳୁ ଏବଂ ସକ୍ରିୟତା ହେତୁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଟ୍ୱିଟ କରି ଏକ ରେସ୍ତୋରାଁ ଯିବାକୁ ପ୍ରତିଶ୍ରୃତି ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ ତରଳି ଯାଇଥିଲା ଏବଂ ସେ ସର୍ବସାଧାରଣରେ ପିତାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିବା ଦୁଇ ଛୋଟ ପିଲାଙ୍କୁ ଏକ ପ୍ରତିଶ୍ରୃତି ଦେଇଛନ୍ତି। ଏହି ପ୍ରତିଶ୍ରୃତିରେ ସେ କହିଛନ୍ତି, ଏଣିକି ଯେତେବେଳେ ବି ଅମୃତସର ଯିବେ ନିଶ୍ଚିତ ଭାବରେ ଦୁଇଭାଇଙ୍କ ଏହି ରେସ୍ତୋରାଁକୁ ଯିବେ।
କିଛିଦିନ ତଳେ ଅମୃତସର ୱାର୍କିଂ ଟୁର୍ସ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ ହୋଇଥିଲା । ଏହି ଭିଡିଓରେ ୧୭ବର୍ଷର ଜଶନଦୀପ ସିଂ ଏବଂ ୧୧ ବର୍ଷିୟ ଅନଶଦୀପ ସିଂଙ୍କ କାହାଣୀ ଉଲ୍ଳେଖ ରହିଛି। ଦୁହେଁ ଅମୃତସରରେ ଟପ ଗ୍ରିଲ ନାମରେ ଏକ ରେସ୍ତୋରାଁ ଚଳାଉଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁଇ ପିଲାଙ୍କ ପିତା କିଛି ମାସ ପୂର୍ବରୁ ଏହି ରେସ୍ତୋରାଁ ଆରମ୍ଭ କରିଥିଲେ। କିନ୍ତୁ ୨୦୨୧ ମସିହା ଡିସେମ୍ବର ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଦୁଇଭାଇ ଏକାଠି ଏହି ରେସ୍ତୋରାଁ ଚଳାଉଛନ୍ତି। ଏଭଳି ସମୟରେ ଦୁହିଁଭାଇଙ୍କୁ ଭଡ଼ା ଦେବାରେ ବହୁତ ଅସୁବିଧା ହେଉଛି।
ସେଥିପାଇଁ ଭିଡିଓ ଶେଷରେ ଅନଶଦୀପ ସିଂ ତାଙ୍କ ରେସ୍ତୋରାଁକୁ ଆସିବାକୁ ଲୋକଙ୍କୁ ନିବେଦନ କରୁଥିବା ଶୁଣିବାକୁ ମିଳୁଛି। ଅଧିକ ଗ୍ରାହକ ଆସିଲେ ଦୁଇଭାଇ ଦୁଇପଇସା ରୋଜଗାର କରି ପାରିବେ। ଯାହାକି ତାଙ୍କୁ ଭଡ଼ା ଦେବାରେ ସହାୟକ ହୋଇପାରିବ।
ଏହି ୧୧ ବର୍ଷ ନିରୀହ ବାଳକର କଥା ଶୁଣି ଆନନ୍ଦ ମହିନ୍ଦ୍ରା ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇଛନ୍ତି । ଏହି ଭିଡିଓ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ବାର୍ତ୍ତା ଲେଖିଛନ୍ତି।
ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ମୁଁ ଅମୃତସରକୁ ଭଲ ପାଏ ଏବଂ ମୁଁ ପ୍ରାୟତଃ ଏହି ସହରକୁ ଯାଇ ଦୁନିଆର ସବୁଠାରୁ ସୁସ୍ବାଦ ଜଲେବି ଖାଏ, କିନ୍ତୁ ଏବେ ଏହି ରେସ୍ତୋରାଁ ମୋ ତାଲିକାରେ ଅଛି ଏବଂ ପରବର୍ତ୍ତୀ ସମୟରେ ମୁଁ ଏହି ସହରକୁ ଯିବାବେଳେ ନିଶ୍ଚିତ ଭାବରେ ସେଠାକୁ ଯିବି।’
Follow Us