ବାଲେଶ୍ବର: ସେଦିନ ଥିଲା ଜୁଳାଇ ୧୨ ତାରିଖ ଶନିବାର.. ଆଉ ଆଜି ଜୁଲାଇ ୧୯ ତାରିଖ ଶନିବାର..ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ଇତିମଧ୍ୟରେ ସପ୍ତାହେ ପୂରିଛି । ଦିନ ଯାଇଛି ହେଲେ ଦାଗ ଲିଭିନି । ଏବେବି ବଦନାମ ମୁଣ୍ଡାଇଥିବା କଲେଜ ପୂର୍ବ ଅବସ୍ଥାକୁ ଫେରିନି । ଛାତ୍ରୀ ଆତ୍ମାହୁତି ପରେ କ୍ୟାମ୍ପସରେ ଆତଙ୍କ ଓ ଭୟର ଯେଉଁ ବାତାବରଣ ଖେଳି ଯାଇଥିଲା ଏବେବି କେତେ ମାତ୍ରାରେ କଲେଜ ପରିସରରେ ଦେଖିବାକୁ ମିଳୁଛି । ସ୍ବାଭାବିକ ହୋଇନି ସ୍ଥିତି..
/filters:format(webp)/sambad/media/media_files/2025/07/19/no-crowd-2025-07-19-15-35-16.jpeg)
କଲେଜ କ୍ୟାମ୍ପସ୍ ଖାଁ ଖାଁ.. କ୍ଲାସ ଆସୁନାହାନ୍ତି ଛାତ୍ରଛାତ୍ରୀ, ଦେଖିବାକୁ ମିଳୁନି ପିଲାଙ୍କ ଗହଳି । ପଡ଼ିଆ ଖାଁ ଖାଁ, ଲାଇବ୍ରେରୀରେ କାଁ ଭାଁ ପିଲା । ପ୍ଲେ ଗ୍ରାଉଣ୍ଡ ପାଖ ସେ ସିମେଣ୍ଟ ବେଞ୍ଚରେ ବସୁ ନାହାନ୍ତି ବି ପିଲା । ସାଇନ୍ସ ବ୍ଲକରେ ସରଗରମ ହେଉନି ଆଉ ଆଗଭଳି ଖଟି । କଲେଜ ଉପରେ ଆକାଶ ମେଘାଚ୍ଛନ ହେଲେ କି କଳାହାଣ୍ଡିଆ ମେଘ ଘୋଟି ଆସିିଲେ ଛାନିରେ ଛନକା ପଶିଯାଉଛି । ଅଜଣା ଆତଙ୍କରେ ଲୋମ ମୁଳ ଟାଙ୍କୁରି ଉଠୁଛି.. ଟିକେ ନିଛାଟିଆରେ ଥିବା ଡିପାର୍ଟମେଣ୍ଟକୁ ଗଲା ବେଳେ ବାଟରେ ପଡୁଥିବା ସେ ଅନ୍ଧାରୀ ଗଳିରେ ଭାରି ଜୋରରେ ଭୟ ଘାରୁଛି । ସବୁଠି ନୀରବତା, ସବୁଠି ଶୂନଶାନ..
ଛାତ୍ରୀ ମୃତ୍ୟୁ ଘଟଣାକୁ ସପ୍ତାହେ ପୂରିଥିବା ବେଳେ ଏବେବି ମନରୁ ସେ ଦିନର ଚିତ୍ର ଲିଭୁନି । ସେହି ଘଟଣା କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ସମସ୍ତଙ୍କ ମଧ୍ୟରେ ଦୁଃଖ ଓ ନିରବତା ଦେଖିବାକୁ ମିଳିଛି । ଗତ ଶନିବାର ଠାରୁ ଆଜି ପର୍ଯ୍ୟନ୍ତ ବି କଲେଜର ମାହୋଲ୍ ସ୍ବାଭାବିକ ହୋଇ ପାରିନାହିଁ। ସପ୍ତାହେ ତଳେ କଲେଜ ପରିସର ଯେଉଁ ଗହଳି ଲାଗିଥିଲା, ଆତ୍ମାହୁତି ଘଟଣା ପରଠୁ କଲେଜ କ୍ୟାମ୍ପସ୍ ଛାତ୍ରଛାତ୍ରୀ ଶୂନ୍ୟ ହୋଇଛି । କାଁ ଭାଁ ଛାତ୍ରଛାତ୍ରୀ କଲେଜକୁ ଆସୁଥିବା ଦେଖିବାକୁ ମିଳିଥିଲା।
/filters:format(webp)/sambad/media/media_files/2025/07/19/fm-front-2025-07-19-15-34-35.jpeg)
ଛାତ୍ରୀ ଆତ୍ମାହୁତି ଘଟଣାର ଗୋଟିଏ ଦିନ ପରେ କ୍ଲାସ୍ ସସପେଣ୍ଡ ହୋଇଥିଲା । ପରେ ବାଲେଶ୍ବର ବନ୍ଦ ଏବଂ ପର ଦିନ ଓଡ଼ିଶା ବନ୍ଦ ପାଇଁ କଲେଜ ବନ୍ଦ ରହିଥିଲା । ଏମିତି ସପ୍ତାହେ ହେଲା କଲେଜରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ଯଦିଓ ଗତକାଲି ପାଠପଢ଼ା ଆରମ୍ଭ ହୋଇଥିଲା, ୨୦ ପ୍ରତିଶତ ବି ଛାତ୍ରଛାତ୍ରୀ ଆସିନଥିଲେ । ଯୁକ୍ତଦୁଇର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ । କିନ୍ତୁ ଦ୍ବିତୀୟ ବର୍ଷ ୧୨ ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୫ ଶହ ଛାତ୍ରଛାତ୍ରୀ ଆସିଥିଲେ ।
/filters:format(webp)/sambad/media/media_files/2025/07/19/campus-2025-07-19-15-34-16.jpeg)
ସେପଟେ ପିଲାଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିବା ବେଳେ କାହା କାହାର ଅଭିଭାବକ କଲେଜ ଛାଡ଼ିବାକୁ ଏବେ ମଙ୍ଗୁ ନାହାନ୍ତି । ପରିସ୍ଥିତି ଟିକେ ସୁଧୁରିଲେ କଲେଜ ଯିବାକୁ କହୁଥିବା ଜଣାପଡିଛି । ମାତ୍ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ନିୟମିତ କଲେଜକୁ ଆସୁଛନ୍ତି। ତେବେ ପାଠପଢ଼ା ପୂର୍ବରୁ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
/filters:format(webp)/sambad/media/media_files/2025/07/19/fmc-2025-07-19-15-33-51.jpeg)
ଏହି କାର୍ଯ୍ୟକ୍ରମରେ କେମିତି ଛାତ୍ରଛାତ୍ରୀ ବ୍ୟକ୍ତିତ୍ବର ବିକାଶ କରିବେ, ମାନସିକ ଚିନ୍ତାରେ ଥିଲେ କେମିତି ଦୃଢ଼ ଭାବେ ଏହାକୁ ସାମ୍ନା କରିବେ ବୋଲି ବୁଝାଯାଇଥିଲା । ସେହିପରି କଲେଜ ପକ୍ଷରୁ ବିଭିନ୍ନ ପ୍ରକାର ହେଲପ୍ ଲାଇନ୍ ସଂପର୍କରେ ପିଲାଙ୍କୁ ଅବଗତ କରାଯାଇଥିଲା। ସେମିତି ଆଣ୍ଟି ରାଗିଂ କମିଟିର ଯେଉଁମାନେ ସଦସ୍ୟ ଅଛନ୍ତି, ସେମାନଙ୍କ ନାମ ଓ ଫୋନ୍ ନମ୍ବର କଲେଜ ପରିସରରେ ଲଗାଯାଇଥିବା ବେଳେ ସମସ୍ୟା ନେଇ ସେମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଯୌନଉତ୍ପୀଡ଼ନ ନିରୋଧ କମିଟି ସଂପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିବା ଯୁକ୍ତ ତିନିର ଦୀପକ କୁମାର ଭୋଇ, ଯୁକ୍ତଦୁଇର ରାଜେଶ କୁମାର ଦାସ ଓ ଓମ୍ ପ୍ରକାଶ ମାନିକ୍ କହିଛନ୍ତି।
/filters:format(webp)/sambad/media/media_files/2025/07/19/fm-2025-07-19-15-33-33.jpeg)
ଏ ସଂପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ କୁମାର ପାଢ଼ୀ କହିଛନ୍ତି, ଏହି ଘଟଣା ସମସ୍ତଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ସମସ୍ତେ ଏକ ପ୍ରକାର ଚିନ୍ତାରେ ରହିଛନ୍ତି। ଘଟଣାକୁ ଏତେ ଦିନ ବିତିଥିଲେ ବି କେହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ତେବେ ପୂର୍ବ ଅପେକ୍ଷା ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କିଛି ଛାତ୍ରୀଛାତ୍ରୀ କଲେଜକୁ ଆସିଛନ୍ତି। ଆଶା, ଆଗାମୀ ଦିନରେ ପରିସ୍ଥିତି ସ୍ବାଭାବିକ ହେବ। ସେପଟେ ଆଜି ବି କଲେଜରେ ତନାଘନା ଜାରି ରହିଛି । କଲେଜରେ ପଢୁଥିବା କିଛି ଏବିଭିପି ପିଲାଙ୍କୁ ଡାକି ଘଟଣା ବାବଦରେ ପଚରା ଉଚରା କରାଯାଇଛି ।
Follow Us