ବିଶେଷ କଥନ: ଭାରତ ଭୁଲିଯାଇଥିବା କାହାଣୀ, ରକ୍ଷିତା ମୋହରୁ ରାଜଗାଦି ଗଲା

୧୯୨୫ ମସିହା ଜାନୁଆରି ୧୨ ତାରିଖ। କାର୍‌ରେ ବମ୍ବେ ନଗରୀ ଉପକଣ୍ଠଗାମୀ ଧନିକ ଦମ୍ପତିଙ୍କ ଉପରେ ଅତର୍କିତ ଆକ୍ରମଣ ହେଲା। ସ୍ବାମୀଙ୍କୁ ଗୁଳିମାରି ଦୁର୍ବୃତ୍ତମାନେ ସ୍ତ୍ରୀଙ୍କୁ ଅପହରଣ କରିବାକୁ ଚେଷ୍ଟାକଲେ।

adgdagdazvv

୧୯୨୫ ମସିହା ଜାନୁଆରି ୧୨ ତାରିଖ। କାର୍‌ରେ ବମ୍ବେ ନଗରୀ ଉପକଣ୍ଠଗାମୀ ଧନିକ ଦମ୍ପତିଙ୍କ ଉପରେ ଅତର୍କିତ ଆକ୍ରମଣ ହେଲା। ସ୍ବାମୀଙ୍କୁ ଗୁଳିମାରି ଦୁର୍ବୃତ୍ତମାନେ ସ୍ତ୍ରୀଙ୍କୁ ଅପହରଣ କରିବାକୁ ଚେଷ୍ଟାକଲେ। କିନ୍ତୁ, ବ୍ରିଟିସ୍‌ ସୈନିକଙ୍କ ତତ୍ପରତା ହେତୁ ଜଣେ ଦୁର୍ବୃତ୍ତ ଧରାପଡ଼ିଗଲା ଓ ଆହତ ମହିଳା ପୁଲିସ ହେପାଜତରେ ରହିଲେ। ମାମୁଲି ହତ୍ୟାକାଣ୍ଡ ପରି ମନେହେଉଥିଲେ ବି ଏହା ଅନ୍ତରାଳେ ଥିଲା ବିରାଟ ଷଡ୍‌ଯନ୍ତ୍ର। ଏ ହତ୍ୟାକାଣ୍ଡ ବ୍ରିଟିସ୍‌ ଅମଳର ସବୁଠୁ ଭୟାବହ ଅପରାଧ ବୋଲି ତତ୍‌କାଳୀନ ସମ୍ବାଦପତ୍ର ଓ ପତ୍ରିକା ସବୁ ପ୍ରକ‌ାଶ କରିଥିଲେ। 

ଗଣିକା ଉଦ୍ଧାର ପାଇଁ ଗୁଳି
ଅସଲରେ ଆକ୍ରମଣ ଶିକାର ପୁରୁଷ ଓ ନାରୀ ଦମ୍ପତି ନଥିଲେ। ଗୁଳିମାଡ଼ରେ ନିହତ ଯୁବକ ଥିଲେ ବମ୍ବେର ପ୍ରଭାବଶାଳୀ କପଡ଼ା ବ୍ୟବସାୟୀ ତଥା ନଗରୀର ସର୍ବକନିଷ୍ଠ ପୌରପାଳିକା ଅଧିକାରୀ ୨୫ ବର୍ଷୀୟ ଅବ୍‌ଦୁଲ୍‌ କାଦିର୍‌ ବାୱଲା। ତାଙ୍କ ସହଯାତ୍ରିଣୀ ଥିଲେ ମମ୍‌ତାଜ୍‌ ବେଗମ୍‌ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀ। ମମ୍‌ତାଜ୍‌ ଥିଲେ ଇନ୍ଦୋର୍‌ର ପ୍ରଖ୍ୟାତ ଗଣିକା। ଇନ୍ଦୋର୍‌ ରାଜାଙ୍କ ମହଲରୁ ପଳାଇଆସି ଅଳ୍ପ କେଇମାସ ହେବ ସେ ବାୱଲାଙ୍କ ସହିତ ରହୁଥିଲେ।

ସିନେମା ଶୈଳୀରେ ହତ୍ୟା
ସେଦିନ ସନ୍ଧ୍ୟାରେ ମାଲାବାର୍‌ ହିଲ୍‌ସ୍‌ ଅଞ୍ଚଳରେ କାର୍‌ରେ ଯାଉଥିଲେ ବାୱଲା, ମମ୍‌ତା‌ଜ୍‌ ବେଗମ୍‌ ଓ ଆଉ ତିନିଜଣ। ହଠାତ୍‌ ଆଉ ଗୋଟାଏ କାର୍‌ ସେମାନଙ୍କ ‌କାର୍‌କୁ ଧକ୍କାଦେଲା। ଗାଡ଼ି ଅଟକିବା ମାତ୍ରେ ସେଥିରୁ ଦୁର୍ବୃତ୍ତମାନେ ବାହାରିଆସି ଚିତ୍କାର କଲେ, ‘‘ସେ ମହିଳାକୁ ଛାଡ଼ିଦିଅ।’’ ତା’ପରେ ସେମାନେ ବାୱଲାଙ୍କୁ ଗୁଳିକରି ମାରିଦେଲେ।

ବ୍ରିଟିସ୍‌ ସୈନିକଙ୍କ ସହ ସଂଘର୍ଷ
ଯୋଗକୁ ଗଲ୍‌ଫ୍‌ ଖେଳିସାରି ସେବାଟେ ଆସୁଥିବା ଦଳେ ବ୍ରିଟିସ୍‌ ସୈନିକ ଗୁଳିଫୁଟା ଶବ୍ଦଶୁଣି ଘଟଣାସ୍ଥଳକୁ ଧାଇଁଗଲେ। ଦୁର୍ବୃତ୍ତମାନେ ସେମାନଙ୍କ ଉପ‌ରକୁ ବି ଗୁଳି ଚଳାଇଲେ। ଗୁଳିମାଡ଼ରେ ଜଣେ ବ୍ରିଟିସ୍‌ ସୈନିକ ଆହତହେଲେ। ସେଠାରୁ ଖସିପଳାଇବା ଆଗରୁ ଦୁର୍ବୃତ୍ତ ମାନେ ବ୍ରିଟିସ୍‌ ସୈନିକଙ୍କଠାରୁ ଆହତ ମମ୍‌ତାଜ୍‌ଙ୍କୁ ଛଡ଼ାଇ ଆଣିବାକୁ ଉଦ୍ୟମକରି ବିଫଳହେଲେ। ଆକ୍ରମଣକାରୀଙ୍କ ମଧ୍ୟରୁ ସୈନିକମାନେ ଜଣଙ୍କୁ ଧରିପକାଇଲେ। 

ଇନ୍ଦୋର୍‌ରେ ଷଡ୍‌ଯନ୍ତ୍ର
ଧରାପଡ଼ିଥିବା ଆକ୍ରମଣକାରୀ ଶାଫି ଅହମଦ୍‌ଠାରୁ ସୂଚନା ଆଦାୟକରି ବମ୍ବେ ପୁଲିସ ଇନ୍ଦୋର୍‌ରୁ ଆଉ ସାତଜଣଙ୍କୁ ଗିରଫକଲା। ଗିରଫ ହୋଇଥିବା ଅଧିକାଂଶ ଆକ୍ରମଣକାରୀ ପ୍ରାଦେଶିକ ରାଜ୍ୟ ଇନ୍ଦୋରରେ ଚାକିରି କରୁଥିଲେ। ଛୁଟି ଆବେଦନକରି ‌ସେମାନେ ବମ୍ବେ ଆସିଥିଲେ। ହତ୍ୟାକାଣ୍ଡ ବମ୍ବେରେ ଘଟିଥିଲେ ବି ଯୋଜନା ବ୍ରିଟିସ୍‌ ସରକାରଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଇନ୍ଦୋର୍‌ରେ ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଲା। ଘଟଣା ବ୍ରିଟିସ୍‌ ସରକାରଙ୍କୁ ବଡ଼ ଅଡୁଆରେ ପକାଇଦେଲା। ବ୍ରିଟିସ୍‌ ରାଜ୍‌ର ଶକ୍ତିଶାଳୀ କରଦ ରାଜ୍ୟ ହୋଇଥିବାରୁ ଇନ୍ଦୋର୍‌ ରାଜାଙ୍କୁ ବିତାଡ଼ିତ କରିବା ଦୁରୂହ ବ୍ୟାପାର ଥିଲା। ତେଣୁ, ହତ୍ୟାକାଣ୍ଡରେ ଇନ୍ଦୋର୍‌ର ରାଜା ସଂଶ୍ଳିଷ୍ଟ ବୋଲି ହଠାତ୍‌ ବ୍ରିଟିସ୍‌ ସରକାର ଜଣାଇଲେ ନାହିଁ। କିନ୍ତୁ, ଅନୌପଚାରିକ ଭାବେ ଏକଥା ସର୍ବସାଧାରଣ ଅବଗ‌ତ ହେଲେ। 

ମମ୍‌ତାଜ୍‌ଙ୍କ ମାୟାରେ ମହାରାଜା
ମୁସଲ୍‌ମାନ ହୋଇଥିଲେ ବି ମମ୍‌ତାଜ୍‌ ରହୁଥିଲେ ଇନ୍ଦୋର୍‌ର ହିନ୍ଦୁ ମହାରାଜା ତୃତୀୟ ତୁକୋଜୀ ରାଓ ହୋଲ୍‌କର୍‌ଙ୍କ ମହଲରେ। ଅସାମାନ୍ୟା ସୁନ୍ଦରୀ ମମ୍‌ତାଜ୍‌ଙ୍କ ସୌନ୍ଦର୍ଯ୍ୟର ତୁଳନା ନ ଥିଲା। ସେଥିପାଇଁ ମହାରାଜା ସବୁବେଳେ ତାଙ୍କୁ ନିଜ ପାଖାପାଖି ରଖୁଥିଲେ। ମମ୍‌ତାଜ୍‌ଙ୍କୁ କେବଳ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହିତ ଦେଖା କରିବାକୁ ଅନୁମତି ଥିଲା। ସେତେବେଳେ ବି ମମ୍‌ତାଜ୍‌ଙ୍କ ନିକଟରେ ମହାରାଜାଙ୍କର କେହି ନା କେହି ଜଣେ ରହୁଥିଲେ। ନଜରବନ୍ଦୀ ରହିବା ଯୋଗୁଁ ମମ୍‌ତାଜ୍‌ ଖୁବ୍‌ କ୍ଷୁବ୍ଧ ହେଉଥିଲେ। କ୍ରମେ ମହାରାଜା ଓ ମମ୍‌ତାଜ୍‌ଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଗଲା।

ଇନ୍ଦୋର୍‌, ଅମୃତସର ଓ ବମ୍ବେ
ଇନ୍ଦୋର୍‌ରେ ମମ୍‌ତାଜ୍‌ ଝିଅଟିଏ ଜନ୍ମଦେଲେ, କିନ୍ତୁ ଜନ୍ମ ହେବ‌ାକ୍ଷଣି ସେ ମରିଗଲା। ମମ୍‌ତାଜ୍‌ ରାଜାଙ୍କ ପାଖେ ଅଭିଯୋଗ କଲେ ଯେ ଜନ୍ମିତ ଶିଶୁଟି ଝିଅ ହୋଇଥିବାରୁ ନର୍ସମାନେ ତାକୁ ମାରିଦେଲେ। ତେଣୁ ତାଙ୍କର ଆଉ ଇନ୍ଦୋର୍‌ରେ ରହିବାକୁ ଇଚ୍ଛାନାହିଁ। ଅଳ୍ପକିଛି ମାସ ଭିତରେ ମମ୍‌ତାଜ୍‌ ଅନ୍ତଃପୁରରୁ ଖସି ତାଙ୍କ ମାଆଙ୍କ ଜନ୍ମସ୍ଥାନ ଅମୃତସର ଚାଲିଗଲେ। କିନ୍ତୁ, ସେଠାରେ ବି ପହଞ୍ଚିଗଲେ ମହାରାଜା। ମମ୍‌ତାଜ୍‌ଙ୍କୁ ଫେରିଯିବାକୁ ନିବେଦନ କଲେ। କିନ୍ତୁ, ମମ୍‌ତାଜ୍‌ ବମ୍ବେ ପଳାଇ ଆସିଲେ।

ମମ୍‌ତାଜ୍‌ ଅପହରଣ ପାଇଁ ଯୋଜନା
ବମ୍ବେ ପୋଲିସ୍‌ କମିସନର୍‌ ପ୍ୟାଟ୍ରିକ୍‌ କେଲି ବ୍ରିଟିସ୍‌ ସରକାରଙ୍କୁ ଜଣାଇଲେ ଯେ ଇନ୍ଦୋର୍‌ ରାଜା ଦୁର୍ବୃତ୍ତମାନଙ୍କୁ ଲଗାଇ ମମ୍‌ତାଜ୍‌ଙ୍କୁ ଅପହରଣ କରି ଆଣିବା ପାଇଁ ହିଁ ଯୋଜନା କରିଥିଲେ। ବିଭିନ୍ନ ଆଡୁ ସରକାର ଚାପଗ୍ରସ୍ତ ହେଲେ। ଅପରାଧୀକୁ ଧରିବାକୁ ବାୱଲାଙ୍କ ଧନବାନ୍‌ ମେମୋନ୍‌ ସମ୍ପ୍ରଦାୟ ସରକାରଙ୍କ ଉପରେ ଚାପ ପକାଇଲେ। ସହଯୋଗୀ ପୌର ଅଧିକାରୀମାନେ ବି ଚିନ୍ତାପ୍ରକଟ କଲେ। ଭାରତୀୟ ସାଂସଦମାନେ ବ୍ରିଟିସ୍‌ ଇଣ୍ଡିଆ ଉଚ୍ଚସଦନରେ ଉତ୍ତର ଦାବିକଲେ। ବ୍ରିଟିସ୍‌ ହାଉସ୍‌ ଅଫ୍‌ କମନ୍‌ସ୍‌ରେ ଏ ପ୍ରସଙ୍ଗ ଆଲୋଚିତ ହେଲା।

ହାଇକୋର୍ଟରେ ଫଏସଲା ହେଲା
ଶେଷରେ ବିଚାର ନିମନ୍ତେ ମାମଲା ବମ୍ବେ ହାଇକୋର୍ଟରେ ଆଗତ କରାଗଲା। ଅଦାଲତ ଏହି ମାମଲାରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ ଓ ତିନିଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ। ଏହି ମାମଲାରେ ଅଦାଲତ ମହାରାଜାଙ୍କୁ କୌଣସି ପ୍ରକାର ଦାୟୀ କଲେନାହିଁ। କିନ୍ତୁ, ବିଚାରପତି ଏଲ୍‌ସି କ୍ରମ୍ପ୍‌ କହିଲେ, ‘‘ଆତତାୟୀଙ୍କୁ ମୁତୟନ କରିଥିବା ଲୋକଙ୍କୁ ଠିକ୍‌ ଭାବେ ଚିହ୍ନଟ କରାଯାଇ ପାରୁନାହିଁ। କିନ୍ତୁ, ଇନ୍ଦୋର ମହାରାଜାଙ୍କ ପାଖରେ ୧୦ ବର୍ଷ ରକ୍ଷିତା ଥିବା ଜଣେ ରମଣୀଙ୍କୁ ଅପହରଣ କରିବା ଲାଗି ଉଦ୍ୟମ କରାଯାଇଥିଲା। ତେଣୁ ସେଠାରୁ ଆକ୍ରମଣ ମସୁଧା କରାଯାଇଥିବା କଥା ଏଡ଼ାଇ ଦିଆଯାଇ ନ ପାରେ।’’ ଅବିଳମ୍ବେ ବ୍ରିଟିସ୍‌ ସରକାର ମହାରାଜାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଟି ବିକଳ୍ପ ଦେଲେ- ତଦନ୍ତ ପାଇଁ କମିସନ୍‌ଙ୍କ ଆଗରେ ହାଜର ହୁଅ ନଚେତ୍‌ ରାଜପଦ ଛାଡ଼। ମହାରାଜା ରାଜପଦ ପରିତ୍ୟାଗ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe