ଆସ ମାତେ ପ୍ରକଟ ହୁଅ…! ବଧ କର ଆମ ଆସୁରିକ ପ୍ରବୃତ୍ତିକୁ… ନହେଲେ ପ୍ରତିବର୍ଷ ମାଟିର ମହିଷାସୁର ମରୁଥିବ, ମଣିଷ ଭିତରର ମହିଷାସୁର ହସୁଥିବ…

ଆସ ମାତେ ! ବିନାଶ କର ମଣିଷ ମନରେ ଲୁଚି ରହିଥିବା ମହିଷାସୁର ମାନଙ୍କୁ…ଏବେ ସେହି ସମୟ ଉପନୀତ ମାଆ… ଆଉ ଡେରି କରନି… ଆସିଯାଅ… ଆମେ ଯୋଡ ହସ୍ତରେ ନିବେଦନ କରୁଛୁ… ଧରାରୁ ପାପର ଭାର କମ କର...

r 1

ଭୁବନେଶ୍ବର: ମହିଷାସୁର କିଏ ? ମହିଷାସୁର କେଉଁଠି ଥାଏ ? ମହିଷାସୁର ସତରେ କି ମରେ ? ଏ ପ୍ରଶ୍ନ ଯେବେ ଉଠେ ତାର ସରଳ ଉତ୍ତର ଆମକୁ ଆମ ଗୁରୁଜନମାନେ ଦିଅନ୍ତି କି ମହିଷାସୁରର ଅତ୍ୟାଚାର ବଢିବାରୁ ମାଆ ଦୁର୍ଗା ଦଶଭୂଜା ସାଜି ପାପୀର ବିନାଶ କରିଥିଲେ ଆଉ ତାକୁ ବଧ କରିଥିଲେ । ତେଣୁ ତ ମାଆ ଦୁର୍ଗାଙ୍କୁ ମହିଷାମର୍ଦ୍ଦିନୀ ବୋଲି କୁହନ୍ତି । ମହିରେ ଯେବେଯେବେ ଆସୁରିକ ଶକ୍ତିର ଉତ୍ପାତ ବଢେ, ଆସୁରିକ ପ୍ରବୃତି ଦେଖାଯାଏ ସେବେସେବେ ଧରାବତରଣ କରନ୍ତି ମାଆ ଦୁର୍ଗା ଆଉ ମହିଷାସୁରର ବିନାଶ କରନ୍ତି ।

New Project (3)

ପ୍ରତିବର୍ଷ ଦୁର୍ଗାପୂଜା ଆସିଲେ ପେଣ୍ଡାଲରେ ମାଆ ଦୁର୍ଗତୀନାଶିନୀ, ଜଗଦମ୍ବେ ମହିଷାସୁରକୁ ତ୍ରିଶୂଳରେ ଆଘାତ କରି ବଧ କରୁଥିବା ଦେଖିବାକୁ ମିଳେ । ପ୍ରତିବର୍ଷ ଆମେ ମାଟିର ମହିଷାସୁର ମରୁଥିବାର ଦେଖୁ… ହେଲେ ମଣିଷ ଭିତରର ମହିଷାସୁର କେବେ ମରେ ତାହା କେହି କେବେ ଦେଖିନି କି ମନରେ ଥିବା ମହିଷାସୁର କେବେ ମରିବ କେହି ବି ଜାଣିନି… କୁହ ମାଆ କୁହ ! ମଣିଷ ଭିତରର ସେ ମହିଷାସୁର କେବେ ମରିବ ? ତାକୁ କିଏ ମାରିବ ? ତୁମ୍ଭେ ପୁନଶ୍ଚ କରିବ କି ଧରାବତରଣ ?

ଆଜିକାଲି ଦୁନିଆରେ ଅପରାଧ ବଢି ବଢି ଚାଲିଛି । ପ୍ରତିଦିନ ହତ୍ୟା, ଲୁଟ୍, ଦୁଷ୍କର୍ମ, ଚୋରି ଭଳି ନାରକୀୟ କାଣ୍ଡ ଘଟୁଛି । ସବୁଦିନ ଖବର କାଗଜର ପୃଷ୍ଠା ଅପରାଧରେ ଭରି ଯାଉଥିବା ବେଳେ ଏବେ ଘରେ ଘରେ, ଭାଇ ଭାଇ ଭିତରେ ମନୋମାଳିନ୍ୟ ଦେଖିବାକୁ ମିଳୁଛି । ବାପାମାଆ, ବାପପୁଅଙ୍କ ଭିତରେ ଝଗଡା ବଢୁଛି, ଜମିକୁ ନେଇ ଜଘଣ୍ୟକାଣ୍ଡ, ରକ୍ତପାତ ଭଳି ଘଟଣା ଘଟୁଛି । ଯାହା ପାପର ଅନ୍ୟ ଏକ ନାମ ବି କୁହାଯାଇପାରେ ।

ଆଧୁନିକ ଯୁଗରେ ଆସୁରିକ ଶକ୍ତିର ବିତ୍ପାତ ଦେଖିବାକୁ ମିଳୁଛି । ହଁ ସେମାନେ ଅସୁର ନୁହଁନ୍ତି ମାତ୍ର ମାନବ ଦେହଧାରୀ, କିନ୍ତୁ ଆସୁରିକ ପ୍ରବୃତିର ଅଧିକାରୀ । ଯେଉଁମାନେ ସଞ୍ଜ ହେଲେ ପେଟେ ମଦ୍ୟପାନ କରି ଛକ ଛକରେ ଲୁଟପାଟ କରୁଛନ୍ତି, ଯେଉଁମାନେ ନାରୀଟିଏକୁ ନିଛାଟିଆ ରାସ୍ତାରେ କି ଏକୁଟିଆ ଦେଖିଲେ ଝୁଣି ପକାଉଛନ୍ତି, ତାପ୍ରତି ରାକ୍ଷସ ଭଳି ବ୍ୟବହାର କରୁଛନ୍ତି… କେହି କେହି ବି ପ୍ରେର ଆଳରେ ପ୍ରତାରଣ କରି ସୈତାନ ସାଜୁଛନ୍ତି । ଖାଲି କଣ ପୁରୁଷ- ଏଠି ନାରୀଟିଏ ବି ସୈତାନର ମୁଖା ପିନ୍ଧି ବୁଲୁଛି । ନିଜ ସ୍ବାମୀକୁ ପର ପୁରୁଷ ପାଇଁ ବି ହନିମୁନ ନେଇ ହତ୍ୟା କରୁଛି । କେତେବେଳେ ଏ ଦେଶ ନୀଳଡ୍ରମର ଆତଙ୍କ ଦେଖିଲାଣି ତ କେତେବେଳେ ହନିମୁନ ହରର । ଜୀବନ ଏକପ୍ରକାର ଆତଙ୍କିତ ହୋଇଗଲାଣି ।

New Project (1)

ସମାଜରେ ସମ୍ପର୍କକୁ ନେଇ ଲୋକେ ଏବେ ସନ୍ଦୀହାନ । ସମ୍ପର୍କର ସଂଜ୍ଞା ବଦଳୁଥିବାରୁ ନା ପୁରୁଷ, ନା ନାରୀ କେହି କାହା ଉପରେ ବିଶ୍ବାସ କରି ପାରୁ ନାହାନ୍ତି । ଏପରି ସ୍ଥଳରେ ମନକୁ ଆୟତ୍ତ କରିବା ଏକ ବଡ ଚାଲେଞ୍ଜ ପାଲଟିଛି । ନିଶା, ଜୁଆଖେଳ, ସୋସିଆଲ ମିଡିଆରେ ଅନ୍ୟର ଚରିତ୍ର ସଂହାର, ପରକୀୟା ପ୍ରୀତି, ବାପାମାଆଙ୍କ ଉପରେ ଅତ୍ୟାଚାର ଭଳି ଅନେକ ଅପରାଧ ସମାଜରେ ବଢୁଛି… ଖାଲି ବଢୁଛି ନୁହେଁ ଏହା ସୀମା ବି ଟପିଲାଣି । କେଉଁଠି ନାରୀଟିଏ ନ୍ୟାୟ ନପାଇ ଜଳିଯାଉଛି ତ କେଉଁଠି ପୁଣି ନାରୀଟେ ଅନ୍ୟର ମିଛ ଜାଲରେ ଫଶି ନିଜ ଇଜ୍ଜତ ବଞ୍ଚାଇବା ପାଇଁ ଆତ୍ମହତ୍ୟା କରୁଛି…

ତେଣୁ ଆଉ ନୁହେଁ- ବହୁତ ହେଇଗଲା ମାଆ… ଏବେ ଆଉ ପାରିହେଉନି କି ସହିହେଉନି… ଅପରାଧ ରୂପରେ ପାପର ଭାର ବଢିଗଲାଣି । ଏବେ ତ ଆସ, ଏବେ ତ ଧରାବତରଣ କର… ଶୁଣିଥିଲୁ ଯେବେ ପାପର ଭାର ଧରାରେ ବଢିଯାଏ ଆପଣ ସେବେ ଦୁର୍ଗତୀନାଶିନୀ ସାଜି ଦୁଃଖ, ଦାନବଙ୍କ ନାଶ ପାଇଁ ଧରାବଚରଣ କରନ୍ତି… ଏବେ ସେହି ସମୟ ଉପନୀତ ମାଆ… ଆଉ ଡେରି କରନି… ଆସିଯାଅ… ଆମେ ଯୋଡ ହସ୍ତରେ ନିବେଦନ କରୁଛୁ… 

New Project (2)

ହେ ! ଖଡ୍ଗଧାରିଣୀ, ସିଂହବାହିନୀ, ଚକ୍ରଧାରିଣୀ, ଧନୁ ଧାରିଣୀ, ପଦ୍ମ ଧାରିଣୀ, ତ୍ରିଶୂଳ ଧାରିଣୀ, ପାପନାଶିନୀ, ମହିଷାମର୍ଦ୍ଦିନୀ ମାଆ ଦୁର୍ଗେ… ମହିଷାସୁରକୁ ମାରିବା ପରି ଆସ ଆମ୍ଭ ମନରେ ବସିଥିବା ମହିଷାସୁରକୁ ବଧ କର । ଆସ ମାତେ ! ବିନାଶ କର ମଣିଷ ମନରେ ଲୁଚିରହିଥିବା ମହିଷାସୁର ମାନଙ୍କୁ… ନହେଲେ ପ୍ରତିବର୍ଷ ମାଟିର ମହିଷାସୁର ମରୁଥିବ, ମଣିଷ ଭିତରର ମହିଷାସୁର ହସୁଥିବ… 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe