କ୍ରୀଡ଼ା ସଂସାର: ଗୌତମ ଓ ନତାଶାଙ୍କ ପ୍ରେମକଥା

Advertisment
କ୍ରୀଡ଼ା ସଂସାର: ଗୌତମ ଓ ନତାଶାଙ୍କ ପ୍ରେମକଥା

ଜଣାଶୁଣା ଭାରତୀୟ କ୍ରିକେଟର୍‌ ଗୌତମ ଗମ୍ଭୀରଙ୍କୁ ସମ୍ପ୍ରତି ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଗୌତମଙ୍କ କ୍ରିକେଟ୍‌ ଖେଳ ଓ ରାଜନୈତିକ ଜୀବନ ବିଷୟରେ ଲୋକେ ଅନେକ କଥା ଜାଣନ୍ତି, କିନ୍ତୁ ସମ୍ଭବତଃ ତାଙ୍କ ପାରିବାରିକ ଜୀବନ ସମ୍ବନ୍ଧରେ ଏତେ ବେଶୀ ଜାଣନ୍ତି ନାହିଁ। କାରଣ ସେ ବିଷୟରେ କେହି ବିଶେଷ ଚର୍ଚ୍ଚା କରନ୍ତି ନାହିଁ। ଦୁଇ ସନ୍ତାନଙ୍କ ଜନକଜନନୀ ଗୌତମ ଗମ୍ଭୀର ଓ ନତାଶା ଜୈନ ପ୍ରେମ ବିବାହ କରିଥିଲେ। କେବଳ ସେତିକି ନୁହେଁ, ନତାଶାଙ୍କୁ ବାହା ହେବା ଆଗରୁ ଗୌତମ ଗୋଟାଏ ସର୍ତ୍ତ ବି ରଖିଥିଲେ।

ପାର୍ଟିରେ ଭେଟରୁ ପ୍ରେମ
ଗୌତମ ଗମ୍ଭୀରଙ୍କ ବାପା ବ୍ୟବସାୟୀ ଓ ନତାଶା ଝା’ଙ୍କର ବାପା ମଧ୍ୟ ବ୍ୟବସାୟୀ। ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ତିନି ଦଶନ୍ଧି ଧରି ମିତ୍ରତା ଓ ପାରିବାରିକ ଚିହ୍ନାଜଣା ଥିଲା। ୨୦୦୭ରେ ଗୌତମ ଓ ନତାଶା ପରସ୍ପରଙ୍କୁ ଜଣେ ବନ୍ଧୁଙ୍କ ପାର୍ଟିରେ ପ୍ରଥମ ଥର ଲାଗି ଭେଟିଥିଲେ। ଦୁହିଁଙ୍କୁ ପରସ୍ପର ସହିତ ପରିଚୟ କରାଇ ଦେଇଥିଲେ ସେମାନଙ୍କର ଜଣେ ବନ୍ଧୁ। ଅଚିରେ ଗୌତମ ଓ ନତାଶାଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା। ତା’ର କିଛି ମାସ ପରେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାହା ଭଲପାଇବାରେ ପରିଣତ ହୋଇଥିଲା। ମାତ୍ର ସେମାନେ ଏକଥା ଯଥାସମ୍ଭବ ଗୁପ୍ତ ରଖିଥିଲେ।

ପ୍ରେମର କାରଣ
ଏତେ ବଡ଼ କ୍ରିକେଟ୍‌ ଖେଳାଳି ହୋଇ ବି ଗୌତମଙ୍କ ମନରେ ଅହଂଭାବ ନ ଥିଲା। ଏଭଳି ବିନମ୍ର ସ୍ବଭାବ ଦେଖି ନତାଶ‌ାଙ୍କ ମନରେ ତାଙ୍କ ପ୍ରତି ସ୍ନେହ ଜାତ ହୋଇଥିଲା। ନତାଶାଙ୍କ ସରଳତା ଏବଂ ସେ କ୍ରିକେଟ୍‌ ପ୍ରଶଂସିକା ନ ହୋଇଥିବା କଥା ବି ଗୌତମଙ୍କୁ ଅଭିଭୂତ କରିପକାଇଥିଲା। ଏମିତି ଦୁହିଁଙ୍କର ମନ ମିଶି ଯାଇଥିଲା। ପ୍ରକାରାନ୍ତରେ କହିଲେ, ପାରିବାରିକ ଚିହ୍ନାଜଣା, ବିଶେଷକରି ବାପାଙ୍କ ବନ୍ଧୁତ୍ବ ହିଁ ସେମାନଙ୍କ ସ୍ନେହ ସମ୍ପର୍କ ସୁଦୃଢ଼ କରିବାର ଆଉ ଗୋଟାଏ କାରଣ ହୋଇପାରେ।

ବିଶ୍ବକପ୍‌ ସରିଲେ ବାହାହେବି
ଅଳ୍ପ କିଛି ବର୍ଷ ଧରି ଡେଟିଙ୍ଗ୍‌ କରିବା ପରେ ବାହା ହେବାକୁ ସ୍ଥିରକଲେ ଗୌତମ ଓ ନତାଶା। ବିଧିବିଧାନ ଅନୁସାରେ ନିର୍ବନ୍ଧ ହେଲା। ନିର୍ବନ୍ଧ ହେବାର ପ୍ରାୟ ବର୍ଷକ ପରେ ୨୦୧୧ରେ ଦୁହିଁଙ୍କର ବାହାଘର ହେଲା। ବାହାଘର ବିଳମ୍ବ ହେବାର କାରଣ ଥିଲା ଏହି ସର୍ତ୍ତ। ଗୌତମଙ୍କ କ୍ରିକେଟ୍‌ କ୍ୟାରିୟର୍‌ ସେତେବେଳେ ଶୀର୍ଷରେ ଥିଲା। ତେଣୁ, ସେ ନତାଶାଙ୍କ ପାଖରେ ସର୍ତ୍ତ ରଖିଲେ ଯେ ୨୦୧୧ ବିଶ୍ବକପ୍‌ ଶେଷ ହେଲେ ଯାଇ ସେ ତାଙ୍କୁ ବାହା ହେବେ। ଗୌତମଙ୍କ କଥା ରହିଲା। ଭାରତ ୨୦୧୧ ବିଶ୍ବକପ୍‌ ବିଜୟୀ ହେଲା ଏବଂ ୨୦୧୧ ଅକ୍ଟୋବର ୨୯ରେ ଦୁହେଁ ପଞ୍ଜାବୀ ପ୍ରଥା ଅନୁଯାୟୀ ବିବାହ କଲେ। ଆଉ ସେମାନଙ୍କ ବିବାହ ଅନୁଷ୍ଠାନ ମଧ୍ୟ ଗୋପନୀୟ ଭାବେ ଆୟୋଜନ କରାଯାଇଥିଲା। ସେଥିରେ କେବଳ ଦୁହିଁଙ୍କ ପରିବାରବର୍ଗ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ।

ଦାୟିତ୍ବବାନ୍‌ ସଂସାରୀ
୨୦୧୪ରେ ଗୌତମ ଓ ନତାଶାଙ୍କର ବଡ଼ଝିଅ ଆଜୀନ୍‌ ଏବଂ ୨୦୧୭ରେ ସାନଝିଅ ଅନୈଜା ଜନ୍ମ ହେଲେ। ପରିବାର କୁସୁମିତ ହେଲା। କ୍ରିକେଟ୍‌ ପଡ଼ିଆ ବାହାରେ ଗୌତମ ଗମ୍ଭୀରଙ୍କର ଆଚାରବ୍ୟବହାର ଜଣେ ଦାୟିତ୍ବବାନ୍‌ ସ୍ବାମୀ ଓ ବାପା ଭଳି। ଘରେ ଥିବା ବେଳେ ସେ କଦାପି କ୍ରିକେଟ୍‌ ଖେଳ ପ୍ରସଙ୍ଗ ଉଠାନ୍ତି ନାହିଁ, କି ସେ ବିଷୟରେ ଆଦୌ ଚର୍ଚ୍ଚା କରନ୍ତି ନାହିଁ। ଖ୍ୟାତି ଓ ପ୍ରସିଦ୍ଧି ତାଙ୍କ ସାଂସାରିକ ଜୀବନଯାତ୍ରାକୁ ତିଳେମାତ୍ର ପ୍ରଭାବିତ କରିନାହିଁ। ଏ ବିଷୟରେ ପଚାରିଲେ ଗୌତମ କହନ୍ତି, ‘‘ନତାଶା ମୋ ସଙ୍ଗେ କ୍ରିକେଟ୍‌ ଖେଳ କଥା ଗପେ ନାହିଁ। ମୁଁ ବି ବହୁତ ସମୟ କ୍ରିକେଟ୍‌ ଖେଳେ, ତେଣୁ ‌ଘରକୁ ଫେରି ପୁଣି କ୍ରିକେଟ୍‌ ଖେଳ କଥା ଉଠାଏ ନାହିଁ।’’ ସ୍ତ୍ରୀ ନତାଶା ଓ ଦୁଇ ଝିଅଙ୍କ ସହିତ ସେ ଶାନ୍ତିସନ୍ତୋଷରେ ଜୀବନ ବିତାନ୍ତି। ଘରପରିବାରକୁ ଗଣମାଧ୍ୟମଠାରୁ ଦୂରେଇ ରଖନ୍ତି। ସେହି କାରଣରୁ ତାଙ୍କ ଘରୋଇ ଜୀବନଧାରା ସମ୍ବନ୍ଧରେ ସାଧାରଣ ଜନତା ବିଶେଷ କିଛି ଜାଣିପାରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe