ବ୍ୟାପକ ଲୋକପ୍ରିୟତା ହେତୁ କ୍ରିକେଟ୍କୁ କେହି କେହି ଆମ ଦେଶର ଅଘୋଷିତ ଧର୍ମ ବୋଲି କହିଥାଆନ୍ତି। ଷୋଡ଼ଶ ଶତାବ୍ଦୀର ଏହି ଖେଳ ଭାରତରେ ଊନବିଂଶ ଶତାବ୍ଦୀରୁ କାୟା ବିସ୍ତାର କରିଛି। କିନ୍ତୁ ଅଧିକାଂଶ ଖେଳକୁଦ ଭଳି କ୍ରିକେଟ୍ ବି ରାଜ ରାଜୁଡ଼ାଙ୍କ ସଉକରୁ ଆଗକୁ ବଢ଼ିଥିଲା ବୋଲି ଜନମାନସରେ ଧାରଣା ରହିଆସିଛି। ଏଥିରେ ଦ୍ବିରୁକ୍ତିର ବି କିଛି କାରଣ ନାହିଁ। କୌଣସି ବି ଖେଳ ପେସାଦାର ରୂପ ନେବା ପୂର୍ବରୁ ରାଜକୀୟ ସ୍ପର୍ଶ ତଥା ପ୍ରୋତ୍ସାହନ ପାଇ ଆଗକୁ ବଢ଼ିଥାଏ। ପୁଣି କିଛି ଖେଳରେ ପେସାଦାର ଢଙ୍ଗରେ ରାଜ ରାଜୁଡ଼ାଙ୍କ ପ୍ରବେଶ ବି ଦେଖିବାକୁ ମିଳିଛି। ଏହାର ଏକ ସଦ୍ୟତମ ଉଦାହରଣ ହେଉଛନ୍ତି ପୂର୍ବତନ କ୍ରିକେଟର ଅଜୟ ଜାଡ଼େଜା।
ସୁରେଶ ସ୍ବାଇଁ
ପ୍ରାୟ ଅଢ଼େଇ ଦଶନ୍ଧି ତଳୁ କ୍ରିକେଟ୍ ଖେଳ ଛାଡ଼ିଥିବା ଅଜୟ ଜାଡ଼େଜା ସମ୍ପ୍ରତି ଗୁଜରାଟ ଜାମ୍ନଗର ତଥା ନୱାନଗରର ନୂଆ ରାଜା ମନୋନୀତ ହୋଇଛନ୍ତି। ଏହା ଭାରତୀୟ କ୍ରିକେଟ୍ ସହ ରାଜକୀୟ ସମ୍ପର୍କର ପୁରୁଣା ଧାରାକୁ ଆଗକୁ ନେଇଛି। ଦେଶର କ୍ରିକେଟ୍ ପ୍ରଶଂସକଙ୍କ ମନରେ ଅନେକ କ୍ରିକେଟର୍ ଯୁବରାଜଙ୍କ ଭଳି ରାଜ୍ କରିଥାନ୍ତି। ଏବେ ଜଣେ ମହାରାଜା ବି ରାଜ୍ କରିବାକୁ ଆସିଯାଇଛନ୍ତି। ଏକଦା କ୍ରିକେଟପ୍ରେମୀଙ୍କ ପସନ୍ଦର ଖେଳାଳି ଥିବା ଅଜୟ ଜାଡ଼େଜା ଯେ ଏକ ରାଜପରିବାରରୁ ଆସିଥିଲେ ଏହି କଥାଟିକୁ ଅନେକ ଭୁଲିଯାଇଥିଲେ ଅବା ଜାଣି ନଥିଲେ। ଗତ ଦଶହରା ଦିନ ଜାମ୍ନଗର ରାଜା ସାହେବ ଶତ୍ରୁଶଲ୍ୟସିଂହଜୀ ଜାଡ଼େଜା ନିଜ ପୁତୁରା ଅଜୟ ଜାଡ଼େଜାଙ୍କୁ ନୂଆ ରାଜା ଘୋଷଣା କରିବା ଅବସରରେ ଏକ ଭାବପୂର୍ଣ୍ଣ ଉକ୍ତି ବି ଜାରି କରିଛନ୍ତି- ‘‘ଦଶହରା ଉତ୍ସବକୁ ପାଣ୍ଡବଙ୍କ ବିଜୟ ରୂପରେ ପାଳନ କରାଯାଇଥାଏ। ମୁଁ ବି ଏହି ଦିବସରେ ଅତ୍ୟନ୍ତ ଖୁସି, କାରଣ ଏକ ଦ୍ବନ୍ଦ୍ବକୁ ଦୂର କରିବାର ବାଟ ପାଇଥିବାରୁ। ଜାମ୍ନଗରର ଉତ୍ତରାଧିକାରୀ ଦାୟିତ୍ବ ଗ୍ରହଣ କରିବାକୁ ରାଜି ହୋଇଥିବାରୁ ଅଜୟ ଜାଡ଼େଜାଙ୍କୁ କୃତଜ୍ଞତା ଜଣାଇବି। ଜାମ୍ନଗରବାସୀଙ୍କ ସେବା ପାଇଁ ଏହା ଏକ ଭଲ ନିଷ୍ପତ୍ତି।’’
ଅଜୟ ଜାଡ଼େଜାଙ୍କ କ୍ରିକେଟ୍ ଜୀବନ ଢେର୍ ଉତ୍ଥାନ ପତନ ଦେଇ ଗତି କରିଥିଲା। ଦେଶ ପାଇଁ ୧୫ ଟେଷ୍ଟ୍ ଓ ୧୯୬ ଦିନିକିଆ ମ୍ୟାଚ୍ ଖେଳିଥିଲେ ଏହି ଅଲ୍ରାଉଣ୍ଡର୍। ମ୍ୟାଚ୍ ଫିକ୍ସିଂ କାରଣରୁ ତାଙ୍କ ଚରିତ୍ରକୁ କଳଙ୍କିତ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ଅଭିଯୋଗରୁ ସେ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିଲେ ମଧ୍ୟ ଆଉ ଭାରତୀୟ ଦଳରୁ ଖେଳିପାରି ନଥିଲେ। ତଥାପି କିଛି ଋତୁ ଘରୋଇ କ୍ରିକେଟ୍ ଖେଳିଥିଲେ। ଶେଷରେ ଭାଷ୍ୟକାର ଓ ମାର୍ଗଦର୍ଶକ ଭାବେ କାମ କରି ଢେର୍ ସୁନାମ ଅର୍ଜନ କରିଛନ୍ତି। ଗତବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ ସମୟରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ବିନା ପାରିଶ୍ରମିକରେ କାମ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ଜାଡ଼େଜା। ବିଶେଷକରି ପାକିସ୍ତାନ ଓ ଇଂଲଣ୍ଡ ଭଳି ବଡ଼ ଦଳ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରିବା ପରେ ଅଜୟ ଜାଡ଼େଜାଙ୍କୁ ଏହାର ଶ୍ରେୟ ମିଳିଥିଲା।
ଅଜୟ ଜାଡ଼େଜାଙ୍କୁ ଜାମ୍ନଗର ମହାରାଜା ନିଯୁକ୍ତି କରାଯିବା ଭାରତୀୟ କ୍ରିକେଟ୍ ପାଇଁ ନୂଆ କଥା ନୁହେଁ। ୫୩ ବର୍ଷୀୟ ଅଜୟ ଜାଡ଼େଜା ଏଭଳି ଏକ ରାଜ ପରିବାରରୁ ଆସିଛନ୍ତି ଯେଉଁଠି କ୍ରିକେଟ୍ ଓ ରାଜନୀତିର ପୁରୁଣା ପରମ୍ପରା ବି ରହିଛି। ରଣଜୀ ଟ୍ରଫି ଓ ଦଲିପ ଟ୍ରଫି ଭଳି ଦେଶର ଦୁଇ ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ତାଙ୍କ ପୂର୍ବପୁରୁଷଙ୍କ ଅବଦାନ କାରଣରୁ ସେମାନଙ୍କ ନାମରେ ନାମିତ ରହିଛି। ଅଜୟ ଜାଡ଼େଜାଙ୍କୁ ନିଯୁକ୍ତି ଦେଇଥିବା ପୂର୍ବ ଜାମ୍ ସାହେବ ଶତ୍ରୁଶଲ୍ୟସିଂହଜୀ ମଧ୍ୟ ରଣଜୀ ଟ୍ରଫିରେ ଖେଳିଥିଲେ ଏବଂ ୧୯୬୬-୬୭ ଋତୁରେ ସୌରାଷ୍ଟ୍ର ଦଳର ଅଧିନାୟକ ଥିଲେ। ସେ ସୌରାଷ୍ଟ୍ର କ୍ରିକେଟ୍ ସଂଘର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଅଜୟ ଜାଡ଼େଜା କିନ୍ତୁ ଜାମ୍ ସାହେବଙ୍କ ମଧ୍ୟରୁ ସବୁଠାରୁ ସଫଳ ତଥା ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର୍। ୧୯୯୨ରୁ ୨୦୦୦ ମସିହା ମଧ୍ୟରେ ଖେଳି ସେ ଭାରତୀୟ କ୍ରିକେଟ୍ ପାଇଁ ଅନେକ ସ୍ମରଣୀୟ ସ୍ମୃତି ସାଉଁଟିଥିଲେ। ବେଙ୍ଗାଲୁରୁରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ୧୯୯୬ ବିଶ୍ବକପ୍ କ୍ବାର୍ଟର୍ଫାଇନାଲ୍ରେ ୨୫ ବଲ୍ରେ ୪୫ ରନ୍ ସଂଗ୍ରହ କରିଥିଲେ। ୱାକର୍ ୟୁନିସ୍ଙ୍କ ଶେଷ ଦୁଇ ଓଭର୍ରୁ ୪୦ ରନ୍ ଆଦାୟ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା।
କ୍ରିକେଟ୍ ପାଇଁ ତ ଅଜୟ ଜାଡ଼େଜା ସବୁଠୁ ଅଧିକ ଅାଲୋଚିତ ଓ ବିଶ୍ବବିଦିତ। ତାଙ୍କ ବ୍ୟକ୍ତିଗତ ଜୀବନ ବି ବେଶ୍ ଚର୍ଚ୍ଚିତ। ରାଜ ପରିବାରରୁ ଆସିଥିଲେ ମଧ୍ୟ ସେ ସାଧାରଣ ବ୍ୟକ୍ତିଟିଏ ଭଳି ସମସ୍ତଙ୍କ ସହ ମିଶିଯାଆନ୍ତି ଏବଂ ଥଟ୍ଟା ପରିହାସ କରିବାକୁ କୁଣ୍ଠିତ ହୋଇ ନଥାନ୍ତି। ନିଜ ସ୍କୁଲ ବାଂଧବୀ ଅଦିତି ଜେଟ୍ଲୀଙ୍କୁ ବିବାହ କରିଛନ୍ତି। ଐମାନ ଓ ଅମୀରା ସେମାନଙ୍କ ଦୁଇ ସନ୍ତାନ। କ୍ରିକେଟ୍ ଜୀବନ ବାହାରେ ଅଜୟ ଜାଡ଼େଜା ମଧ୍ୟ ବଲିଉଡ୍ରେ କିଛି ସମୟ ବିତାଇଛନ୍ତି। ୨୦୦୩ରେ ସନ୍ନି ଦେଓଲ୍ ଓ ସୁନିଲ ସେଟ୍ଟୀଙ୍କ ସହ ‘ଖେଲ୍’ ଏବଂ ୨୦୦୯ରେ ବିକେ କୁମାରଙ୍କ ନିର୍ଦ୍ଦେଶିତ ‘ପଲ୍ ପଲ୍ ଦିଲ୍ କେ ସାଥ୍’ରେ ସେ ଅଭିନୟ ବି କରିଛନ୍ତି। ‘ଝଲକ୍ ଦିଖ୍ଲା ଯା’, ‘କମେଡି ସର୍କସ୍’, ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଞ୍ଜ୍’ ଭଳି ସୋ’ରେ ଅଜୟ ଜାଡ଼େଜାଙ୍କ ସମ୍ପୃକ୍ତିକୁ ବି ଅନେକ ଦର୍ଶକ ଭୁଲି ନଥିବେ। ‘କାଇ ପୋ ଚେ’ରେ ତାଙ୍କ ଛୋଟ ଅଭିନୟକୁ ବି ଦର୍ଶକ ପସନ୍ଦ କରିଥିଲେ। ବଲିଉଡ୍ ପ୍ରବେଶ ସମୟରେ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ୍ଙ୍କ ସହ ଏକ ଫଟୋ ସୁଟ୍କୁ ନେଇ ଉଭୟଙ୍କ ନିବିଡ଼ ସମ୍ପର୍କ ଢେର୍ ଚର୍ଚ୍ଚା ସୃଷ୍ଟି କରିଥିଲା। କୁହାଯାଏ ଅଜୟ ଜାଡ଼େଜା ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଫସିଯିବାରୁ ସେମାନଙ୍କ ମଧୁର ସମ୍ପର୍କରେ ଭଟ୍ଟା ପଡ଼ିଥିଲା।
Follow Us