ବିଗତ ଗୋଟିଏ ଦଶନ୍ଧିରେ ଓଡ଼ିଶାକୁ ଏକ ନୂଆ ପରିଚୟ ଆଣି ଦେଇଛି ହକି। ପ୍ରଥମ ରାଜ୍ୟ ଭାବେ ଏକ ନିର୍ଦ୍ଦିଷ୍ଟ ଖେଳକୁ ପୋଷ୍ୟ ଭାବେ ଗ୍ରହଣ କରି ଲଗାତାର ପ୍ରାୟୋଜିତ କରିବା ଏବଂ ପ୍ରଥମ ଦେଶ ଭାବେ ଭାରତରେ କ୍ରମାଗତ ଏଫ୍ଆଇଏଚ୍ ବିଶ୍ବକପ୍ ଆୟୋଜନ କରିବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ଏଥିରୁ ଓଡ଼ିଶାର ଖେଳକୁ ପ୍ରତ୍ୟକ୍ଷ ଭାବେ ଫାଇଦା ମିଳୁନାହିଁ ବୋଲି ବହୁବାର ଅଭିଯୋଗ ଆସିଛି। ରାଜ୍ୟରେ ତୃଣମୂଳ ଖେଳ ସ୍ତର ଉପରକୁ ଉଠୁ ନଥିବା ନେଇ ସ୍ବର ବି ଉଠିଛି। ବିଳମ୍ବରେ ହେଲେ ବି ଏହାର ସୁଫଳ ମିଳିଛି ବୋଲି ଏହି ଲେଖକ ଅନୁଭବ କରିଛି। ବିଗତ ୨ ବର୍ଷ ଭିତରେ ଓଡ଼ିଶା ହକି ଯେଉଁ ନୂଆ ଦୁଇଟି ସଫଳତା ପାଇଛି ତାହା ହେଉଛି, ବରିଷ୍ଠ ବର୍ଗରେ ଆମେ ବିଜେତା ହୋଇପାରିଛେ। ୨୦୨୨ରେ ଓଡ଼ିଶା ମହିଳା ହକି ଦଳ ଏବଂ ୨୦୨୪ରେ ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ଟ୍ରଫି ଜିତିଛନ୍ତି। ଏଥିସହ ଓଡ଼ିଶା ହକିରେ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଛି।
ସୁରେଶ ସ୍ବାଇଁ
ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ହକି ଖେଳାଳି ରାଜ୍ୟ ପାଇଁ ଗୌରବ ଆଣିଥିଲେ, କିନ୍ତୁ ଏହା ବ୍ୟକ୍ତିଗତସ୍ତରରେ ସୀମିତ ରହିଥିଲା। କିନ୍ତୁ ହକି ଏକ ଦଳଗତ ଖେଳ ହୋଇଥିବାରୁ ଓଡ଼ିଶାକୁ ଜାତୀୟସ୍ତରରେ ସେତେଟା ଗୁରୁତ୍ବ ମିଳୁ ନଥିଲା। ଏକଥା ସତ ଯେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟିକରି ସୁନ୍ଦରଗଡ଼ ଭାରତୀୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ହୋଇସାରିଥିଲା। ପିଟର୍ ତିର୍କିଙ୍କଠାରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଧାରାକୁ ଦିଲୀପ ତିର୍କି, ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି, ୱିଲିୟମ୍ ଖାଲ୍କୋ, ରୋଶନ ମିଞ୍ଜ୍, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଜ୍ୟୋତି ସୁନିତା କୁଲୁ, ସୁଭଦ୍ରା ପ୍ରଧାନ, ଦୀପ ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ ଓ ନମିତା ଟୋପ୍ପୋ ପ୍ରମୁଖ ବଜାୟ ରଖିଥିଲେ। ଓଡ଼ିଶାକୁ ସର୍ବାଧିକ ଅନ୍ତର୍ଜାତୀୟ ଖେଳାଳି ଦେଇଥିବା ଖେଳ ହେଉଛି ହକି। କିନ୍ତୁ ଅନେକ ଓଡ଼ିଆ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରଚୁର ଖେଳାଳି ସୃଷ୍ଟି କରିଥିଲେ ମଧ୍ୟ ୨୦୨୨ ମଇ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ହକି ପ୍ରତିଯୋଗିତାରେ (ମୁଖ୍ୟ ବର୍ଗର ବରିଷ୍ଠ ପୁରୁଷ ଓ ମହିଳା) ଓଡ଼ିଶା କେବେ ବିଜେତା ଟ୍ରଫି ତୋଳି ଧରିପାରି ନଥିଲା। ଏହି ଦିନ ହିଁ ଭୋପାଳଠାରେ ଓଡ଼ିଶା ମହିଳା ଦଳ ୨-୦ରେ ଶକ୍ତିଶାଳୀ କର୍ଣ୍ଣାଟକକୁ ହରାଇ ପ୍ରଥମ ଥର ଟ୍ରଫି ସହ ଇତିହାସ ରଚିଥିଲା।
ମହିଳା ଦଳ ବାଟ ଦେଖାଇବା ପରେ ପୁରୁଷ ଦଳ ଏଭଳି ଅପୂର୍ବ ସଫଳତା ଅର୍ଜନ କରିଛି ୨୦୨୪ ମସିହାରେ। ଅର୍ଥାତ୍ ୯୬ ବର୍ଷର ଜାତୀୟ ପ୍ରତିଯୋଗିତା ଇତିହାସରେ ଓଡ଼ିଶା ପୁରୁଷ ଦଳ ପ୍ରଥମଥର ବିଜେତା ଟ୍ରଫି ଜିତିଛି। ଫାଇନାଲ୍ରେ ଦୁଇ ଥର ବିଜେତା ହରିୟାଣାକୁ ୫-୧ରେ ହରାଇ ଏହି ଗୌରବ ଆଣିଛି। ବରିଷ୍ଠ ବର୍ଗରେ ଜାତୀୟ ପ୍ରତିଯୋଗିତା ଜିତିବାର ଏହି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। କାରଣ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା ୧୯୨୮ ମସିହାରୁ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ହକି ଫେଡେରେସନ୍ (ଆଇଏଚ୍ଏଫ୍) ପରେ ୨୦୧୧ ମସିହାରୁ ଏହି ପ୍ରତିଯୋଗିତାକୁ ନୂଆ ଜାତୀୟ ସଂଘ ‘ହକି ଇଣ୍ଡିଆ’ ପରିଚାଳନା କରୁଛି। ୨୦୧୬ରେ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପଦକ (କାଂସ୍ୟ) ସ୍ପର୍ଶ ପାଇଥିବା ବେଳେ ଏବେ ସ୍ବର୍ଣ୍ଣିମ ଇତିହାସ ରଚିଛି। ହକି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଜୀବନ ଜିଇବାର ଅନ୍ୟତମ ମାଧ୍ୟମ ହୋଇପାରିଛି। ସ୍ବର୍ଣ୍ଣିମ ସଫଳତା ପାଇଥିବା ୧୮ଜଣିଆ ଓଡ଼ିଶା ଦଳରୁ ୧୭ ଜଣ ଥିଲେ ଏହି ଜିଲ୍ଲାର। ଏକମାତ୍ର ବ୍ୟତିକ୍ରମ ଥିଲେ ପ୍ରଥମ ପସନ୍ଦ ଗୋଲରକ୍ଷକ ସାହିଲ କୁମାର ନାୟକ, ଯିଏ କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିଲେ।
ପୂର୍ବରୁ ଓଡ଼ିଶା ପ୍ରଚୁର ହକି ଖେଳାଳି ସୃଷ୍ଟି କରିଥିଲେ ମଧ୍ୟ ଜାତୀୟ ସଫଳତା ଅର୍ଜନ କରି ନପାରିବାର ପ୍ରମୁଖ କାରଣ ଥିଲା ନିଯୁକ୍ତି। ସେମାନେ ବିଭିନ୍ନ ରାଜ୍ୟ ଓ ପେସାଗତ ଦଳରୁ ଖେଳୁଥିବାରୁ ଓଡ଼ିଶା ଦଳ ପ୍ରତିଭାବାନ୍ ଖେଳାଳିଙ୍କୁ ପାଉ ନଥିଲା। ଏହି ଧାରାରେ ପରିବର୍ତ୍ତନ ଘଟିଛି। ଅନ୍ତର୍ଜାତୀୟ ଅଭିଜ୍ଞ ଦୀପସାନ୍ ତିର୍କି, ଶୀଳାନନ୍ଦ ଲାକ୍ରା, ସୁଦୀପ ଚିର୍ମାକୋ, ନୀଲମ ସଂଜୀପ ଖେସ୍ଙ୍କ ଉପସ୍ଥିତି ସହ ଜାତୀୟ ଜୁନିୟର୍ ଶିବିରର କିଛି ଖେଳାଳିଙ୍କୁ ନେଇ ଓଡ଼ିଶା ଏକ ଫିଟ୍ ଦଳ ପଠାଇଥିଲା ଜାତୀୟ ପ୍ରତିଯୋଗିତାକୁ। ୨୬ ବର୍ଷୀୟ ଶୀଳାନନ୍ଦ ସେମିଫାଇନାଲ୍ ଓ ଫାଇନାଲ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଜୟ ପରେ ଓଡ଼ିଶା ଦଳ ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା ଏହାକୁ ରାଜ୍ୟବାସୀଙ୍କ ହକି ପ୍ରତି ଭଲ ପାଇବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
ଓଡ଼ିଶା ମହିଳା ହକି ଦଳ: ଅସୀମା ମିଞ୍ଜ୍ (ଗୋଲରକ୍ଷିକା), ପୁନମ ବାର୍ଲା, ଅସ୍ମିତା ବାର୍ଲା (ଅଧିନାୟିକା), ଭାରତୀ ଏକ୍କା, ଲକ୍ଷ୍ମୀ ଏକ୍କା, ପ୍ରେମିତା ବାରା, ରୋଜିତା କୁଜୁର, ଅସିମ କାଞ୍ଚନ ବାର୍ଲା, ଦୀପ୍ତି ଲାକ୍ରା, ଲିଲିମା ମିଞ୍ଜ୍, ବିମଳା ବାରୱା, ନେହା ଲାକ୍ରା, ଜାହ୍ନବୀ ପ୍ରଧାନ, ରାହିଲ ତିର୍କି, ଖୁସ୍ବୁ କୁଜୁର, କୁମୁଦିନୀ ଲାକ୍ରା (ଗୋଲରକ୍ଷିକା), ସୁନୀତା ଲାକ୍ରା, ପ୍ରେମାଞ୍ଜଳି ଟୋପ୍ପୋ। ପ୍ରଶିକ୍ଷକ: ଏଡ୍ଗାର୍ ମାସ୍କାରେନ୍ହାସ୍ ଜୁନିୟର୍, ପ୍ରବଂଧକ: ଲୁସେଲା ଏକ୍କା।
ଓଡ଼ିଶା ପୁରୁଷ ହକି ଦଳ: ସାହିଲ କୁମାର ନାୟକ (ଗୋଲରକ୍ଷକ), ଅମିତ କୁମାର ଟୋପ୍ପୋ, ସୁନିତ ଲାକ୍ରା, ଅମନଦୀପ ଲାକ୍ରା, ପ୍ରସାଦ କୁଜୁର, ମାଟିୟାସ ଲାକ୍ରା, ସୁମିତ କିଣ୍ଡୋ, ଶୀଳାନନ୍ଦ ଲାକ୍ରା, ଆଶିଷ କୁମାର ଟୋପ୍ନୋ, ନୀଲମ ସଂଜୀପ ଖେସ୍, ଦୀପସାନ୍ ତିର୍କୀ (ଅଧିନାୟକ), ଅଜୟ କୁମାର ଏକ୍କା, ରଜତ ଆକାଶ ତିର୍କି, ମଙ୍ଗଲ ଲୋହର, ସୁଦୀପ ଚିର୍ମାକୋ, କେରୋବିନ୍ ଲାକ୍ରା, ପ୍ରତାପ ଲାକ୍ରା, ଦିଲୀପ କୁମାର ସ’ (ଗୋଲରକ୍ଷକ)। ପ୍ରଶିକ୍ଷକ: ବିଜୟ କୁମାର ଲାକ୍ରା, ପ୍ରବଂଧକ-ପିଟର୍ ସୋରେଙ୍ଗ୍।
Follow Us