କ୍ରୀଡ଼ା ସଂସାର: ରଞ୍ଜନଙ୍କୁ ରୋକି ପାରିନି ଦାରିଦ୍ର୍ୟ

ଦାରିଦ୍ର୍ୟର ପ୍ରତିବନ୍ଧକ ତାଙ୍କ ସ୍ବପ୍ନ ପଥରେ ବାଧକ ସାଜି ପାରିନାହିଁ। ବହୁ ବାଧାବିପତ୍ତି ଆସିଥିଲେ ବି ସେ ଲକ୍ଷ୍ୟ ସହ ସାଲିସ କରି ନାହାନ୍ତି। ନିଷ୍ଠା ଓ ସଙ୍କଳ୍ପ ତାଙ୍କୁ ସଫଳତା ଦିଗରେ ଅଗ୍ରସର କରାଇଛି।

fgfgvbvb

ଦାରିଦ୍ର୍ୟର ପ୍ରତିବନ୍ଧକ ତାଙ୍କ ସ୍ବପ୍ନ ପଥରେ ବାଧକ ସାଜି ପାରିନାହିଁ। ବହୁ ବାଧାବିପତ୍ତି ଆସିଥିଲେ ବି ସେ ଲକ୍ଷ୍ୟ ସହ ସାଲିସ କରି ନାହାନ୍ତି। ନିଷ୍ଠା ଓ ସଙ୍କଳ୍ପ ତାଙ୍କୁ ସଫଳତା ଦିଗରେ ଅଗ୍ରସର କରାଇଛି। ମା’ଙ୍କୁ ହରାଇବାର ଦୁଃଖ ଭିତରେ ବାପାଙ୍କ ପାଇଁ ସେ ବୋଝ ହୋଇନାହାନ୍ତି, ବରଂ ତିନି ଭଉଣୀଙ୍କ ବୋଝକୁ ନିଜ କାନ୍ଧରେ ନେଇଛନ୍ତି। ଏସବୁ ସଂଘର୍ଷ ଭିତରେ ପିଲାଟି ଦିନରୁ ବଡି ବିଲ୍‌ଡିଂରେ ସଫଳତା ପାଇବାକୁ ସ୍ବପ୍ନ ଦେଖିଥିବା ରଞ୍ଜନ ନାୟକ ନିଜ ଖେଳ ଜୀବନକୁ ଠିକଣା ପଥରେ ପରିଚାଳିତ କରି ସଫଳତା ସାଉଁଟୁଛନ୍ତି।

ସୁରେଶ ସ୍ବାଇଁ

ଓଡ଼ିଶାରେ ବଡି ବିଲ୍‌ଡିଂ‌ ତଥା ସୁନ୍ଦର ସ୍ବାସ୍ଥ୍ୟ କ୍ରୀଡ଼ାର ବେଶ୍‌ ଆଦର ରହିଛି। ବହୁ ପୁରଣା ଦିନରୁ ବି ଓଡ଼ିଶା ଖେଳାଳି ମିଷ୍ଟର୍ ଇଣ୍ଡିଆ ମୁକୁଟ ଜିତିବାର ଏକାଧିକ ଉଦାହରଣ ଅଛି। ଏବେ ବି ଓଡ଼ିଶାର ବଡି ବିଲ୍‌ଡର୍‌ ଏସୀୟ ଓ ବିଶ୍ବ ପ୍ରତିଯୋଗିତାରେ କୀର୍ତ୍ତି ଅର୍ଜନ କରୁଛନ୍ତି। ଏଭଳି ସଫଳତାକୁ ଦେଖି ଓଡ଼ିଶା ସରକାର ବଡି ବିଲ୍‌ଡିଂକୁ ‘ସ୍ବୀକୃତିପ୍ରାପ୍ତ ଖେଳ’ର ମାନ୍ୟତା ଦେଇଛନ୍ତି। କେବଳ ଏତିକି ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ବି ସେମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ଏହି ଖେଳକୁ ଅଧିକ ପ୍ରୋତ୍ସାହିତ କରିଛି। ଏହି ପ୍ରୋତ୍ସାହନରେ ଉତ୍ସାହିତ ହୋଇ ବଡି ବିଲ୍‌ଡିଂକୁ କ୍ୟାରିୟର୍ କରିବାକୁ ଆଗେଇ ଆସିଛନ୍ତି ରଞ୍ଜନ ନାୟକ। ଯାଜପୁର ଜିଲ୍ଲା କୁନ୍ଦପାଟଣା ନିକଟସ୍ଥ ଚାନ୍ଦମୋହିନୀ ଗାଁର ସୁବନ ନାୟକ ଓ ସସ୍ମିତା ନାୟକଙ୍କର ସେ ଏକମାତ୍ର ପୁଅ। ଆତ୍ମନିର୍ଭରଶୀଳ ହେବା ପୂର୍ବରୁ ମା’ଙ୍କୁ ହରାଇ ବସିବା ପରେ ରଞ୍ଜନଙ୍କ ଉପରେ ପଡ଼େ ଦୁଃସ୍ଥ ବାପା ଓ ୩ ଭଉଣୀଙ୍କ ବୋଝ। ତଥାପି ଦବି ଯାଆନ୍ତିନି ରଞ୍ଜନ। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ତାଙ୍କ ମାନସିକ ଦୃଢ଼ତା ଆଗରେ ହାର୍‌ ମାନେ। କ୍ୟାଣ୍ଟିନ୍ ପରିଚାଳନା ଓ କାର୍‌ ସୋ’ରୁମ୍‌ରେ ସାମୟିକ ଚାକିରି ଜରିଆରେ ହେଉଥିବା ଆୟରେ ଦୁଇ ଭଉଣୀଙ୍କ ବିବାହ କରାଇ ସାରିଛନ୍ତି। ଏସବୁ ଭିତରେ ବି ନିଜର ପ୍ରଥମ ପ୍ରେମ ବଡି ବିଲ୍‌ଡିଂକୁ ଜାବୁଡ଼ି ଧରି ସଫଳତାର ପାହାଚ ଚଢୁଛନ୍ତି ରଞ୍ଜନ।

ନିଜ ସଂଘର୍ଷ ଓ ସଫଳତାର କାହାଣୀ ବଖାଣି ରଞ୍ଜନ କହନ୍ତି, ‘‘ପିଲାଟି ଦିନରୁ ବଡି ବିଲ୍‌ଡିଂ ପ୍ରତି ମୋର ଅହେତୁକ ଦୁର୍ବଳତା ଥିଲା। ଯୁକ୍ତ ଦୁଇ ପଢ଼ିବା ପରେ ମୁଁ ଆଇଟିଆଇ କରିବାକୁ କଟକ ଚାଲି ଆସିଲି। ଆର୍ଥିକ ସମସ୍ୟା ସତ୍ତ୍ବେ ମୁଁ ସେଠାରେ ବଡି ବିଲ୍‌ଡିଂ ପ୍ରତି ଆକର୍ଷିତ ‌ହୋଇ ଜିମ୍‌ରେ ଯୋଗ ଦେଇଥିଲି। ଘର ଅବସ୍ଥା ଭଲ ନଥିବାରୁ କଟକରେ ଚଳିବା ଲାଗି କ୍ୟାଟରିଂ ବଏ ଭାବେ କାମ କଲି। ଭୁବନେଶ୍ବର ଆସିବା ପରେ ମୋର ବଡି ବିଲ୍‌ଡିଂର ଅନ୍ୟତମ ସଫଳ ଖେଳାଳି ତଥା ପ୍ରଶିକ୍ଷକ ରଶ୍ମିରଂଜନ ସାହୁଙ୍କ ସହ ସାକ୍ଷାତ ହେଲା। ତାଙ୍କ ଦିଗ୍‌ଦର୍ଶନ ଓ ସମର୍ଥନ ମିଳିବା ପରେ ମୁଁ ରାଜ୍ୟସ୍ତରରେ ପଦକ ଜିତିବା ସହ ଜାତୀୟସ୍ତରର ପ୍ରତିଯୋଗିତାରେ ବି ଅଂଶଗ୍ରହଣ କରିଛି। ଓଡ଼ିଶା ବଡି ବିଲ୍‌ଡିଂ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମୁହାସୁଆରଙ୍କ ସମର୍ଥନ ବି ମୋତେ ଆଗକୁ ବଢ଼ିବାକୁ ଦେଇଛି। କଳିଙ୍ଗ ଫିଟ୍‌ନେସ୍‌ ଜିମ୍ନାସିୟମ୍‌ର ସତ୍ତ୍ବାଧିକାରୀ ଜ‌ିତେଶ ସାର୍‌ଙ୍କ ସମର୍ଥନ ଓ ସରକାରଙ୍କଠାରୁ ପ୍ରୋତ୍ସାହନ ବି ପାଇଛି। ମୁଁ ନିଶ୍ଚୟ ରାଜ୍ୟ ପାଇଁ ଦିନେ ଅନ୍ତର୍ଜାତୀୟ ପଦକ ଜିତିବି।’’

ସୂଚନାଯୋଗ୍ୟ, ୨୦୧୮ରୁ ବଡି ବିଲ୍‌ଡିଂ କରୁଥିବା ରଞ୍ଜନ ଦୁଇ ଥର ମିଷ୍ଟର୍ ଓଡ଼ିଶାରେ ଦ୍ବିତୀୟ ସ୍ଥାନ, ରାଜ୍ୟସ୍ତରୀୟ ବିଜୁ କଳିଙ୍ଗ ପୁତ୍ରରେ ଦ୍ବିତୀୟ ସ୍ଥାନ, ଜିଲ୍ଲାସ୍ତରୀୟ ‘ଭୁବନେଶ୍ବର କୁମାର’ ପ୍ରତିଯୋଗିତାରେ ଦ୍ବିତୀୟ ଏବଂ କଳିଙ୍ଗ କୁମାର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ହୋଇପାରିଛନ୍ତି। ଲକ୍ଷ୍ନୌରେ ଅନୁଷ୍ଠିତ ମିଷ୍ଟର୍ ଇଣ୍ଡିଆ ଫେଡେରେସନ୍‌ କପ୍‌ ବଡି ବିଲଡିଂରେ ଅଂଶ୍ରଗହଣ କରି ଶୀର୍ଷ ୧୦ ଭିତରରେ ସ୍ଥାନ ପାଇଛନ୍ତି। ଏଯାବତ୍‌ ବିଶେଷ ବଡ଼ ସଫଳତା ପାଇ ନଥିଲେ ମଧ୍ୟ ରଞ୍ଜନଙ୍କ ଭବିଷ୍ୟତକୁ ନେଇ ଢେର୍‌ ଆଶାବାଦୀ ତାଙ୍କ ପ୍ରଶିକ୍ଷକ ରଶ୍ମିରଂଜନ ସାହୁ। ସେ କହନ୍ତି, ‘‘ରଞ୍ଜନକୁ ଆର୍ଥିକ ଅନଟନ ରୋକିପାରିନାହିଁ। ବଡି ବଲ୍‌ଡିଂରେ ତା’ ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ବଳ ବୋଲି ମୁଁ କହିବି। ସେ ଏଇମାତ୍ର ଆରମ୍ଭ କରିଛି। ପ୍ରତିଭାବାନ୍‌ ଓ ପରିଶ୍ରମୀ ହୋଇଥିବାରୁ କ୍ୟାରିୟର୍‌ରେ ସେ ଆଗକୁ ଯିବ। କଳିଙ୍ଗ ଜିମ୍ ଓ କଳିଙ୍ଗ ଷ୍ଟାଡିୟମ୍‌ ଜିମ୍‌ରେ ଅସ୍ଥାୟୀ ଚାକିରି କରି ସେ ବଡି ବିଲ୍‌ଡିଂ କରୁଛି। କେବଳ ପ୍ରାୟୋଜକ ଯୋଗାଡ଼ ହୋଇପାରିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe