ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ସୂର୍ପଣଖା

Advertisment
ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ସୂର୍ପଣଖା

ଶ୍ରୀରାମ ପଞ୍ଚବଟୀରେ ଅବସ୍ଥାନ କରିବା ସମୟର ଗୋଟିଏ ଘଟଣା। ସୂର୍ପଣଖା ରାମାୟଣର ଏକ ପ୍ରମୁଖ ପାତ୍ର ଏବଂ ରାମ-ରାବଣ ଯୁଦ୍ଧର ମୁଖ୍ୟ ସୁତ୍ରଧର କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହାର ପ୍ରକୃତ ନାମ ଥିଲା ମୀନାକ୍ଷି, କିନ୍ତୁ ନିଜର ଲମ୍ବ ଓ ସୂର୍ପ ସଦୃଶ ନଖ ହେତୁ ସେ ସୂର୍ପଣଖା ନାମରେ ପରିଚିତ। ପୁରାଣରେ ଅନେକ ରାକ୍ଷସ ଓ ରାକ୍ଷସୀଙ୍କର ପୂର୍ବଜନ୍ମ ସଂପର୍କରେ ଉଲ୍ଲେଖ ଦେଖାଯାଏ କି ସେମାନେ ପୂର୍ବଜନ୍ମରେ ଅପ୍‌ସରା, ଗନ୍ଧର୍ବ, ଯକ୍ଷ ଆଦି ଥିଲେ ଏବଂ କୌଣସି କାରଣରୁ ଅଭିଶପ୍ତ ହୋଇ ରାକ୍ଷସ ବା ରାକ୍ଷସୀ ଭାବରେ ଜନ୍ମ ଗ୍ରହଣ କରି ଋଷିମାନଙ୍କୁ ପୀଡ଼ନ କରୁଥିଲେ। ରାବଣ ଓ କୁମ୍ଭକର୍ଣ୍ଣଙ୍କର ପୂର୍ବଜନ୍ମ ସଂପର୍କରେ ମଧ୍ୟ ଏପରି ସୂଚନା ରହିଛି। କିନ୍ତୁ ସୂର୍ପଣଖା ସଂପର୍କରେ ସେପରି କୌଣସି ସୂଚନା ମିଳେ ନାହିଁ। ସେ ମୁନି ବିଶ୍ରବା ଓ ରାକ୍ଷସୀ ନିକସାର କନିଷ୍ଠାକନ୍ୟା ଥିଲା ଏବଂ କାଳକେୟ ଦାନବକୁଳ ସଂଭୂତ ବିଦ୍ୟୁତ୍‌ଜିହ୍ୱକୁ ବିବାହ କରିଥିଲା। ଦାନବ ଓ ରାକ୍ଷସମାନଙ୍କ ମଧ୍ୟରେ ସୁସଂପର୍କ ନ ଥିବାରୁ ସୂର୍ପଣଖାର ଏ ବିବାହରେ ରାବଣ ଅସନ୍ତୁଷ୍ଟ ଥିଲା। ଏ ବିବାଦ ହେତୁ କ୍ରୋଧିତ ରାବଣ ବିଦ୍ୟୁତ୍‌ଜିହ୍ୱକୁ ହତ୍ୟା କରି ସୂର୍ପଣଖାକୁ ଦଣ୍ଡକାରଣ୍ୟ ମଧ୍ୟସ୍ଥ ଜନ୍ମସ୍ଥାନକୁ ପଠାଇ ଦେଇଥିଲା। ସେହି ରାକ୍ଷସମାନଙ୍କ ବିଚରଣ ଭୂମିରେ ସୂର୍ପଣଖା ରହିଥିଲା।

ସେ ଯେମିତି କୁରୂପା ଥିଲା, ତା’ର ଗୁଣଗ୍ରାମ ମଧ୍ୟ ସେମିତି ରୁଚିହୀନ ଥିଲା। ଲମ୍ବ ଉଦର, ଜ୍ୱଳନ୍ତଅଗ୍ନିସଦୃଶ ନେତ୍ର, ତମ୍ବାସଦୃଶ କେଶ ରାଶି ତଥା ବିକରାଳ କଣ୍ଠସ୍ୱର ନେଇ ସେ ଋଷିମାନଙ୍କର ରକ୍ତପାନ କରି ଦଣ୍ଡକାରଣ୍ୟରେ ବିଚରଣ କରୁଥିଲା। ଏହି ଦୁରାଚାରିଣୀ ରାକ୍ଷସୀ ବୁଲୁବୁଲୁ ନୟନାଭିରାମ ଶ୍ରୀରାମଙ୍କୁ ଦର୍ଶନ କରି କାମମୋହିତ ହୋଇ ପଡ଼ିଲା ଏବଂ ଏକ ସୁନ୍ଦରୀ ତରୁଣୀ ରୂପ ଧାରଣ କରି ଶ୍ରୀରାମଙ୍କୁ ବିବାହ କରିବାପାଇଁ ପ୍ରସ୍ତାବ ଦେଲା। ଶ୍ରୀରାମ ଏଥିରେ ଆଶ୍ଚର୍ଯ୍ୟ ହେଲେ। ତାହାର ପୂର୍ଣ୍ଣ ପରିଚୟ ପାଇ, ସେ ବିବାହିତ ହୋଇଥିବାରୁ ଏବଂ ପତ୍ନୀ ସହିତ ଥିବାରୁ, ଏହି ପ୍ରସ୍ତାବ ଲକ୍ଷ୍ମଣଙ୍କୁ ଦେବାପାଇଁ ତାଙ୍କୁ ଲକ୍ଷ୍ମଣଙ୍କ ପାଖକୁ ପଠାଇଦେଲେ। ଲକ୍ଷ୍ମଣ ସୂର୍ପଣଖାର ନିର୍ଲଜ୍ଜ ପ୍ରସ୍ତାବରେ କ୍ରୋଧିତ ହୋଇ ତାକୁ କଠୋର ବାକ୍ୟରେ ବିଦ୍ଧ କରି ପୁନଶ୍ଚ ରାମଙ୍କ ପାଖକୁ ପଠାଇଦେଲେ। ନିର୍ଲଜ୍ଜା ସୂର୍ପଣଖା ଲଜ୍ଜିତ ହେବା ବଦଳରେ କ୍ରୋଧିତ ହୋଇ, ଭୟଙ୍କର ରୂପ ଧାରଣ କରି, ସୀତାଙ୍କୁ ଗ୍ରାସ କରିବାକୁ ଧାବିତ ହେବାରୁ ରାମଙ୍କ ସଂକେତରେ ଲକ୍ଷ୍ମଣ ଅସ୍ତ୍ର ପ୍ରୟୋଗ କରି ତାକୁ ନାକ କାନ ବିହୀନ କରିଦେଲେ। ଏହାକୁ ଲକ୍ଷ୍ୟ କରି ତୁଳସୀ ଦାସ ଲେଖିଛନ୍ତି- “ସତେ ଯେପରି ସେ ତାହାରି ହାତରେ ରାବଣକୁ ଯୁଦ୍ଧ ନିମନ୍ତେ ଆହ୍ୱାନ ଦେଲେ।” ଏହାହିଁ ସତ୍ୟ ହେଲା। ସୂର୍ପଣଖା ପ୍ରଥମେ ଖରଦୂଷଣ ଓ ତାର ଚଉଦ ହଜାର ରାକ୍ଷସ ସୈନ୍ୟକୁ ନେଇ ରାମ ଓ ଲକ୍ଷ୍ମଣଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ପ୍ରେରିତ କଲା। ଯାହା ଫଳରେ ସେ ଯୁଦ୍ଧରେ ସମସ୍ତ ଜନସ୍ଥାନ ରାକ୍ଷସଶୂନ୍ୟ ହୋଇଗଲା ଏବଂ ତାର ଛଳନାରେ ପ୍ରେରିତ ହୋଇ ରାବଣ ସୀତାହରଣ ପରି ଦୁଷ୍କର୍ମ କରି ମୃତ୍ୟୁବରଣ କଲା। ‘ଗର୍ଗସଂହିତା’ର ବର୍ଣ୍ଣନା ଅନୁସାରେ, ନିଜର କୃତକର୍ମ ପାଇଁ ଅନୁତାପ କରିବା ସହିତ ଶ୍ରୀରାମଙ୍କ ସାନ୍ନିଧ୍ୟ ଲାଭ କରିବାପାଇଁ ଦଶହଜାର ବର୍ଷ ଧରି ଜଳ ମଧ୍ୟରେ ରହି ତପସ୍ୟା କରିଥିବାରୁ ଶିବଙ୍କ ଆଶୀର୍ବାଦରେ ସେ ପରଜନ୍ମରେ (ଦ୍ୱାପର ଯୁଗରେ) କୁବୁଜା ଭାବରେ ଜନ୍ମ ଗ୍ରହଣ କରି ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟ ଲାଭ କରିଥିଲା।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe