ନିକଟରେ ଖୋଲିଥିବା ‘ଅମ୍ବା ୟାଲୁ କାନ୍ଦାଲାମା’ ରିସୋର୍ଟ ଶ୍ରୀଲଙ୍କାର ଆତିଥ୍ୟ ସେବା କ୍ଷେତ୍ର ସମେତ ନାରୀ ସଶକ୍ତୀକରଣର ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ସୂଚାଉଛି। ରାଜଧାନୀ କଲୋମ୍ବୋରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଅବସ୍ଥିତ ଏହି ରିସୋର୍ଟର ସବୁ କର୍ମଚାରୀ, ସଫେଇରୁ ଆରମ୍ଭ କରି ରୋଷେଇ ଓ ଅଭ୍ୟର୍ଥନା ପର୍ଯ୍ୟନ୍ତ, ହେଉଛନ୍ତି ମହିଳା। ଏପରିକି ରିସୋର୍ଟରେ ଅତିଥିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେନାରେ କାମ କରିଥିବା ସାତ ଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ପର୍ଯ୍ୟଟନ ଶିଳ୍ପରେ ଲିଙ୍ଗଗତ ଅସମାନତା ଦୂର କରିବାର ମୂଳ ଲକ୍ଷ୍ୟ ନେଇ ୪୨ ବର୍ଷୀୟା ଜୀଵନ୍ତୀ ଅଧିକାରୀ ଏହି ରିସୋର୍ଟ ଖୋଲିଛନ୍ତି। ଏବେ ଏଠାରେ ୭୫ ଜଣ ମହିଳା କାମ କରୁଛନ୍ତି ଏବଂ ସେମାନଙ୍କୁ ଦକ୍ଷତା ବୃଦ୍ଧିର ପ୍ରଶିକ୍ଷଣ ଦିଆଯାଉଛି।
ଶ୍ରୀଲଙ୍କାର ଆତିଥ୍ୟ ବା ହସ୍ପିଟାଲିଟି ଶିଳ୍ପରେ କାର୍ଯ୍ୟରତ ମାତ୍ର ୧୦% କର୍ମଚାରୀ ହେଉଛନ୍ତି ମହିଳା। ୨୦୧୯ର ଇଷ୍ଟର ବିସ୍ଫୋରଣ ଓ କୋଭିଡ୍ କାରଣରୁ ଶ୍ରୀଲଙ୍କାର ଜିଡିପିରେ ଆତିଥ୍ୟ ଶିଳ୍ପର ଅବଦାନ ୨୦୧୮ରେ ୫%ରୁ ଖସି ୨୦୨୩ରେ ମାତ୍ର ୨.୩%ରେ ପହଞ୍ଚିଥିଲା। ତେଣୁ ମହିଳାଙ୍କ ଶୂନ୍ୟସ୍ଥାନ ପୂରଣ କରିବା ସହିତ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ‘ଅମ୍ବା ୟାଲୁ କାନ୍ଦାଲାମା’ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
Follow Us