ଶ୍ରୀରାମଙ୍କ ପଥ: ଆମର ତୀର୍ଥ. ସୀତାହରଣ-ରାବଣମରଣ

ଲୋକକଥାରେ ଏକ ଉକ୍ତି ପ୍ରଚଳିତ- ସୀତା ହରଣ- ରାବଣ ମରଣ। ଅର୍ଥାତ୍‌ ସୀତାଙ୍କର ହରଣ ସହିତ ରାବଣର ମୃତ୍ୟୁ ସଂଯୁକ୍ତ  ରହିଥିଲା। ଏହା ଥିଲା ବିଧିର ନିର୍ଦ୍ଦେଶ। ଏ ସଂପର୍କରେ ମହାକବି ବାଲ୍ମୀକିକୃତ ‘ଅଦ୍ଭୁତ ରାମାୟଣ’ରେ  ଉଲ୍ଲେଖ ରହିଛି।

sfssfsf

Photograph: (gdg)

ଲୋକକଥାରେ ଏକ ଉକ୍ତି ପ୍ରଚଳିତ- ସୀତା ହରଣ- ରାବଣ ମରଣ। ଅର୍ଥାତ୍‌ ସୀତାଙ୍କର ହରଣ ସହିତ ରାବଣର ମୃତ୍ୟୁ ସଂଯୁକ୍ତ  ରହିଥିଲା। ଏହା ଥିଲା ବିଧିର ନିର୍ଦ୍ଦେଶ। ଏ ସଂପର୍କରେ ମହାକବି ବାଲ୍ମୀକିକୃତ ‘ଅଦ୍ଭୁତ ରାମାୟଣ’ରେ  ଉଲ୍ଲେଖ ରହିଛି। ରାବଣ ଯେତେବେଳେ କଠୋର ତପସ୍ୟାରେ ନିମଗ୍ନ ରହିଲା, ତାହାର ତେଜରେ ବ୍ରହ୍ମାଣ୍ଡ ସନ୍ତାପିତ ହେଲା। ଦେବତାଙ୍କ ଅନୁରୋଧରେ ବ୍ରହ୍ମା ପ୍ରକଟ ହୋଇ ରାବଣର ତପସ୍ୟାର କାରଣ ଜିଜ୍ଞାସା କଲେ।  ଅମରତ୍ବ ପ୍ରାପ୍ତି ମୋର ଲକ୍ଷ୍ୟ ବୋଲି ରାବଣ ଜଣାଇବାରୁ, ତାହା ମୃତ୍ୟୁଲୋକର ପ୍ରାଣୀ ପକ୍ଷରେ ଅସମ୍ଭବ ବୋଲି କହି ଅନ୍ୟ ବର ପ୍ରାର୍ଥନା କରିବାକୁ ବ୍ରହ୍ମା କହିଲେ।  

ରାବଣ ପ୍ରଥମ ବରରେ ଦେବତା, ଦାନବ, ଯକ୍ଷ, ରାକ୍ଷସ, ନାଗ ଆଦିଙ୍କ ଦ୍ବାରା ଅବଧ୍ୟ ହେବାକୁ ବର ମାଗିଲା ଏବଂ ଦ୍ବିତୀୟ ବର‌େର ମୋହବଶତଃ କହିଲା, ମୁଁ ଯଦି କେବେ ନିଜ କନ୍ୟା ପ୍ରତି ଆକୃଷ୍ଟ ହୁଏ ଏବଂ ସେ ତାକୁ ଅସ୍ବୀକାର କରେ, ତେବେ ମୋର ମୃତ୍ୟୁ ହେବ। ସମଗ୍ର ଜୀବନ ରାବଣ ଅନେକ ପ୍ରାଣୀଙ୍କୁ ସନ୍ତପ୍ତ କରିବାକୁ ଲାଗିଲା। କାରଣ ସେ ଜାଣିଥିଲା, ଦୁର୍ବଳ ମନୁଷ୍ୟ ଓ ବାନର ତାକୁ ମାରି ପାରିବେ ନାହିଁ। ତାର କୌଣସି କନ୍ୟା ସନ୍ତାନ ନ ଥିଲେ। ମନ୍ଦୋଦରୀ ଓ ଧାନ୍ୟମାଳୀ ଦୁହିଁଙ୍କର କେବଳ ପୁତ୍ର ସନ୍ତାନ ଥିଲେ। ସେ ଦୃଷ୍ଟିରୁ ରାବଣ ନିଶ୍ଚିନ୍ତ ଥିଲା। କିନ୍ତୁ ଦୈବର ବିଧାନ ଥିଲା ଭିନ୍ନ। ରାବଣର ଅଜାଣତରେ ତାର ଏକ କନ୍ୟା ସନ୍ତାନ ଜନ୍ମ ନେଇ ସାରିଥିଲା। ସେହି କନ୍ୟା ଭୂମିସୁତା ସୀତା। 

‘ଅଦ୍ଭୁତ ରାମାୟଣ’ର ବର୍ଣ୍ଣନା ଅନୁଯାୟୀ, ଏକଦା ଦଣ୍ଡକାରଣ୍ୟରେ ପରିଭ୍ରମଣ କଲାବେଳେ ରାବଣ ଦେଖିଲା, ବହୁ ତେଜସ୍ବୀ ମୁନିଋଷି ସେଠାରେ ତପସ୍ୟା କରୁଛନ୍ତି। ରାବଣ ଭାବିଲା, ଏମାନଙ୍କୁ ଜୟ ନ କଲେ ମୁଁ ତ୍ରିପୁରବିଜୟୀ କିପରି ହେବି? ପୁଣି ଭାବିଲା, ମୁନିଋଷିଙ୍କୁ ମାରି ମୋର କ’ଣ ବା ଲାଭ ହେବ? ତେଣୁ  ଶରମୂନରେ ମୁନିମାନଙ୍କର ରକ୍ତଶୋଷଣ କରି ସେ ଏକ କଳସୀରେ ଭରିଲା। ଦୈବଯୋଗକୁ ଗୃତ୍ସମଦ ନାମକ ଜଣେ ବ୍ରାହ୍ମଣ ଦେବୀ ଲକ୍ଷ୍ମୀଙ୍କୁ କନ୍ୟା ଭାବରେ ପାଇବା ନିମିତ୍ତ ଏକ କୁଶାଗ୍ରକୁ ଅଭିମନ୍ତ୍ରିତ କରି ଏକ ଦୁଗ୍‌ଧ କଳସୀରେ ଭରି ରଖି ବାନପ୍ରସ୍ଥରେ ଚାଲିଯାଇଥିଲେ। ରାବଣ ସେହି କଳସୀରେ ମୁନିମାନଙ୍କର ରକ୍ତ ଭରି ଲଙ୍କାକୁ ନେଇଗଲା ଏବଂ ମନ୍ଦୋଦରୀଙ୍କୁ ଦେଇ କହିଲା, ଏହା ହଳାହଳ ବିଷ, ଏହାକୁ ସମ୍ଭାଳି ରଖ। ଏହାପରେ ତ୍ରିପୁର ବିଜୟ ଖୁସିରେ ସେ କିନ୍ନରୀ, ଅପ୍‌ସରା ଓ ଯକ୍ଷକନ୍ୟାମାନଙ୍କୁ ନେଇ ସୁମେରୁ ଆଦି ପର୍ବତର ରମଣୀୟ ସ୍ଥାନମାନଙ୍କରେ ବିହାର କରିବାରେ ଲାଗିଲା। 

ସେଥିରେ ମନ୍ଦୋଦରୀ ନିଜକୁ ଉପେକ୍ଷିତା ମନେକଲେ। ଶୋକରେ ବିହ୍ବଳ ହୋଇ ଆତ୍ମହତ୍ୟା କରିବାକୁ ଇଚ୍ଛା କରି ରାବଣ ଦେଇଥିବା କଳସୀରୁ ହଳାହଳ ବିଷ ପାନ କରିଦେଲେ। ମାତ୍ର ଆଶ୍ଚର୍ଯ୍ୟର କଥା, ମୃତ୍ୟୁ ହେବା ପରିବର୍ତ୍ତେ ତାଙ୍କର ଗର୍ଭୋଦୟ ହେଲା ଏବଂ ସେହି ଗର୍ଭ ଅଗ୍ନିସଦୃଶ ଜାଜ୍ଜ୍ବଲ୍ୟମାନ ଥିଲା। ସେହି ଆଶ୍ଚର୍ଯ୍ୟକର ଘଟଣା ମନ୍ଦୋଦରୀଙ୍କୁ ବିଚଳିତ କରିଦେଲା। ରାବଣକୁ ସେ କି ଉତ୍ତର ଦେବେ ବୁଝି ନପାରି ଗର୍ଭପାତକୁ ଶ୍ରେୟସ୍କର ମନେ କରି କୁରୁକ୍ଷେତ୍ରକୁ ଯାଇ ସେଠାରେ ଗର୍ଭପାତ କଲେ। ସେହି ଗର୍ଭକୁ ଭୂମିରେ ପୋତିଦେଇ ସରସ୍ବତୀ ନଦୀରେ ସ୍ନାନ ସାରି ଲଙ୍କା ଫେରି ଅାସିଲେ। ମିଥିଳାରେ ପଡ଼ିଥିବା ଦୁର୍ଭିକ୍ଷର ନିରାକରଣ ନିମିତ୍ତ ରାଜର୍ଷି ଜନକ ଯେତେବେଳେ କୁରୁ ଜଙ୍ଗଲରେ ଯଜ୍ଞଭୂମି କର୍ଷଣ କଲେ, ଭୂମି ମଧ୍ୟରୁ ଏକ ଅପୂର୍ବ ତେଜମୟୀ କନ୍ୟାଙ୍କର ଉଦ୍‌ଭବ ହେଲା। ସେହି କନ୍ୟା ସୀତା। ରାବଣର କନ୍ୟା। ରାବଣ ସୀତାଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କୁ ଅପହରଣ କଲା। ସୀତାଙ୍କର ଅସ୍ବୀକାର ତାର ମୃତ୍ୟୁର କାରଣ ହେଲା। ନର ରୂପରେ ପ୍ରଭୁ ରାମଚନ୍ଦ୍ର ତାକୁ ବଧ କଲେ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe