ଶ୍ରୀଜଗନ୍ନାଥଙ୍କ ଦର୍ଶନପରେ କାହିଁକି ବଙ୍ଗୀୟ ମହିଳାଙ୍କ ଚରଣ ବନ୍ଦନା କରିଥିଲେ ଶ୍ରୀଚୈତନ୍ୟ ?

Advertisment
ଶ୍ରୀଜଗନ୍ନାଥଙ୍କ ଦର୍ଶନପରେ କାହିଁକି ବଙ୍ଗୀୟ ମହିଳାଙ୍କ ଚରଣ ବନ୍ଦନା କରିଥିଲେ ଶ୍ରୀଚୈତନ୍ୟ ?

ସନ୍ଧ୍ୟା ଆରତୀର ପାବନ ବେଳା। ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟିଘଣ୍ଟା, ମାଦଳ ବାଦ୍ୟ ସାଙ୍ଗକୁ ଶଙ୍ଖନାଦରେ କମ୍ପି ଉଠୁଥିଲା। ପ୍ରତିଦିନ ଭଳି ସେଦିନ ମଧ୍ୟ ଶ୍ରୀଚୈତନ୍ୟ ମହାପ୍ରଭୁ ଗରୁଡସ୍ତମ୍ଭ ନିକଟରେ ଦଣ୍ଡାୟମାନ ହୋଇ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରୁଥିଲେ। ଭାବାବେଗରେ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ତାଙ୍କ ଆଖିରୁ ଅଶ୍ରୁପାତ ହେଉଥାଉ। ସେତେବେଳେ ସାଂସରିକ ଜଗତରୁ ସେ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇଥାନ୍ତି।
ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କର ଦର୍ଶନାର୍ଥୀମାନଙ୍କର ଭିଡ ଲାଗିଥାଏ। ଜଣେ ବଙ୍ଗୀୟ ମହିଳା ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଉଦ୍ୟମ କରୁଥାନ୍ତି, ମାତ୍ର ସଫଳ ହୋଇପାରୁନଥିଲେ। ସେ କିଛି ନ ଭାବି ଗରୁଡସ୍ତମ୍ଭ ଉପରେ ଚଢିଗଲେ ଏବଂ ମହାପ୍ରଭୁଙ୍କ କାନ୍ଧ ଉପରେ ପାଦ ରଖି ଜଗନ୍ନାଥସ୍ୱାମୀଙ୍କ ଆରତୀର ଦର୍ଶନ କରିଲେ। ଏହି ଦୃଶ୍ୟ ଦେଖୁଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଜଣେ ଅନୁଗାମୀ ଶ୍ରୀ ଗୋବିନ୍ଦ ସ୍ୱାମୀ। ସେ ଉକ୍ତ ବଙ୍ଗୀୟ ମହିଳାଙ୍କୁ ତାଙ୍କ ଅଜ୍ଞାନତା ପାଇଁ ଖୁବ୍‌ ଧିକ୍କାର କରିଲେ। ସେତେବେଳେ ମହାପ୍ରଭୁ ମଧ୍ୟ ପ୍ରକୃତିସ୍ଥ ହୋଇସାରିଥିଲେ। ଶ୍ରୀଚୈତନ୍ୟ ମହାପ୍ରଭୁ ଗୋବିନ୍ଦସ୍ୱାମୀଙ୍କୁ ରୋକିବାକୁ ଯାଇ କହିଲେ, ‘‘ଏହି ଭଦ୍ରମହିଳା ଙ୍କୁ ପାଟି କର ନାହିଁ। ତାଙ୍କୁ ଭଗବାନ ଦର୍ଶନ କରିବାର ସୁଯୋଗ ଦିଅ। ତାଙ୍କ ଭାବର ତିରସ୍କାର କର ନାହିଁ।’’
ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ କଥା ଶୁଣିବା ମାତ୍ରେ ବଙ୍ଗୀୟ ମହିଳା ଦର୍ଶକ ନିଜର ଭୁଲ୍‌ ବୁଝିପାରିଲେ ଏବଂ ତତ୍‌କ୍ଷଣାତ୍‌ ତଳକୁ ଓହ୍ଲାଇ ଆସିଲେ। ସେ ଚୈତନ୍ୟ ମହାପ୍ରଭୁଙ୍କ ଚରଣରେ ଲୋଟିଗଲେ ଏବଂ ନିଜ ଅପରାଧପାଇଁ କ୍ଷମା ମାଗିଲେ।
ଶ୍ରୀଚୈତନ୍ୟ ମହାପ୍ରଭୁ ଉକ୍ତ ମହିଳାଙ୍କୁ ସାଦରରେ ଉଠାଇଲେ ଏବଂ କହିଲେ, ‘‘ପ୍ରଭୁ ତୁମକୁ ଯେଉଁ ଭଳି ଦର୍ଶନ ଦେଇଛନ୍ତି, ଯଦି ମତେ ସେଭଳି କୃପା ଦେଖାନ୍ତେ, ତେବେ ମୁଁ ବି ଧନ୍ୟ ହୋଇଯାଇଥାଅନ୍ତି। ତୁମେ ଭଗବାନଙ୍କ ଦର୍ଶନ ପାଇଁ ଯେଉଁ ଭଳି ବ୍ୟାକୁଳ ଥିଲ, ତାହା ପ୍ରକୃତରେ ପ୍ରଶଂସନୀୟ। ତୁମେ ଧନ୍ୟ ଅଟ ଭଉଣୀ। ମୁଁ ତୁମ ଚରଣର ବନ୍ଦନା କରିବାକୁ ଚାହେଁ, ଯାହାଦ୍ୱାରା ମୋତେ ମଧ୍ୟ ଏଭଳି ଭକ୍ତିଭାବ ତଥା ପ୍ରଭୁ ଦର୍ଶନର ସୁଯୋଗ ମିଳିପାରିବ।’’

publive-image
ଏହା କରିବାପରେ ସତକୁ ସତ ଶ୍ରୀଚୈତନ୍ୟ ମହାପ୍ରଭୁ ଉକ୍ତ ମହିଳାଙ୍କର ଚରଣ ବନ୍ଦନା କରିଲେ। ଏହା ଥିଲା ମହାପ୍ରଭୁଙ୍କ ଆଦର୍ଶ, ମହାନତା ଓ ଭାବପ୍ରବଣତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe