ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମହାମୁନି ଅଗସ୍ତ୍ୟ

Advertisment
ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମହାମୁନି ଅଗସ୍ତ୍ୟ

ମହାମୁନି ଅଗସ୍ତ୍ୟ ପୁରାଣର ଏକ ବହୁଚର୍ଚ୍ଚିତ ଚରିତ୍ର। ଏହାଙ୍କର କୀର୍ତ୍ତିକଳାପ ତ୍ରିଭୁବନରେ ବିଦିତ। ବହୁ ଅଲୌକିକ କାର୍ଯ୍ୟ ସଂପାଦନ କରି ସେ ସଂସାରର ନାନା ହିତ ସାଧନ କରିଥିଲେ ବୋଲି ଦେବତାମାନେ ତାଙ୍କର ପୂଜା କରନ୍ତି। ଏହି ମୁନି ବେଦର ମନ୍ତ୍ରଦ୍ରଷ୍ଟା। ସେ ‘ଅଗସ୍ତ୍ୟ ସଂହିିତା’ ନାମକ ଏକ ଗ୍ରନ୍ଥର ପ୍ରଣେତା। ‘ଋଗ୍‌ବେଦ’ର ବର୍ଣ୍ଣନା ଅନୁଯାୟୀ, ସେ ଅଯୋନିସଂଭୂତ ଏବଂ ମିତ୍ର ବରୁଣଙ୍କର ପୁତ୍ର। ତାଙ୍କର ବିଚିତ୍ର ଜନ୍ମ ତଥା ଅଦ୍ଭୁତ କର୍ମ ସଂପାଦନ ହେତୁ ଦେବତାମାନେ ତାଙ୍କୁ ବହୁ ନାମରେ ସମ୍ବୋଧନ କରିଥାନ୍ତି।

ବିଦର୍ଭ ରାଜକୁମାରୀ, ସାଧ୍ୱୀ ଲୋପାମୁଦ୍ରା ତାଙ୍କର ପତ୍ନୀ ଥିଲେ। ବେଦରେ ବର୍ଣ୍ଣିତ ସପ୍ତର୍ଷିମାନଙ୍କ ମଧ୍ୟରେ ମହର୍ଷି ଅଗସ୍ତ୍ୟ ଜଣେ। ଭଗବାନ ଶଙ୍କରଙ୍କର ଶ୍ରେଷ୍ଠ ସପ୍ତଶିଷ୍ୟମାନଙ୍କ ମଧ୍ୟରୁ ସେ ଅନ୍ୟତମ। ତାଙ୍କ ରଚିତ ‘ଅଗସ୍ତ୍ୟ ସଂହିତା’ରେ ସାଂପ୍ରତିକ କାଳର ଅନେକ ବୈଜ୍ଞାନିକ ଆବିଷ୍କାର ଓ ଉଦ୍‌ଭାବନର ବିସ୍ତୃତ ସୂଚନା ରହିଛି। ସେ ଅସମ୍ଭବ ଧୀଶକ୍ତିସଂପନ୍ନ ଥିବାରୁ ଯେକୌଣସି କାର୍ଯ୍ୟ ସହଜରେ କରିପାରୁଥିଲେ। ବିନ୍ଧ୍ୟପର୍ବତର ଅଯୌକ୍ତିକ ଇଚ୍ଛାର ପ୍ରତିରୋଧ କରିବା, ଇଲ୍ଲଳ ଓ ବାତାପି ନାମକ ଦୁଇ ବ୍ରାହ୍ମଣଦ୍ରୋହୀ ରାକ୍ଷସଙ୍କର ମାୟାଜାଲ ଛିନ୍ନ କରି ସବୁଦିନ ପାଇଁ ତାଙ୍କୁ ନିଷ୍କ୍ରିୟ କରିବା, କାଳକେୟ ରାକ୍ଷସର ବଧ ନିମିତ୍ତ ସଂପୂର୍ଣ୍ଣ ସମୁଦ୍ରଜଳ ପାନ କରି ସମୁଦ୍ରକୁ ଶୁଷ୍କ କରିବା, ସଚିଙ୍କ ଅନୁରୋଧରେ ନହୁଷଙ୍କର ଅହଂକାର ଭଙ୍ଗ କରି ତାଙ୍କୁ ଇନ୍ଦ୍ରପଦରୁ ବିଚ୍ୟୁତ କରିବା ସହିତ ସର୍ପ ଭାବରେ ମର୍ତ୍ତ୍ୟଲୋକକୁ ପ୍ରେରଣ କରିବା, ଦାକ୍ଷିଣାତ୍ୟରେ ପବିତ୍ର ଜଳଧାରାର ଅଭାବ ଅନୁଭବ କରି, କଠୋର ତପସ୍ୟା କରି ଗଙ୍ଗାଙ୍କୁ ସୁବର୍ଣ୍ଣମୁଖରୀ ନଦୀ ଭାବରେ ପ୍ରବାହିତ କରିବା, ଇନ୍ଦ୍ର ଓ ମାରୁତଙ୍କ ମଧ୍ୟରେ ସନ୍ଧି କରାଇବା ଆଦି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସେ କରିଥିଲେ। ଅଗସ୍ତ୍ୟ ଥିଲେ ପ୍ରଥିତଯଶା କୋଶଳାଧିପତି ମହାରାଜ ଦଶରଥଙ୍କର ରାଜଗୁରୁ। ତେଣୁ ବନଯାତ୍ରା କାଳରେ ତାଙ୍କୁ ଦର୍ଶନ କରିବା ନିମିତ୍ତ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଅତ୍ୟନ୍ତ ଆଗ୍ରହୀ ଥିଲେ।

ସୁତୀକ୍ଷ୍‌ଣଙ୍କ ସାହାଯ୍ୟରେ ରାମଚନ୍ଦ୍ର ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ। ଶ୍ରୀରାମଙ୍କୁ ସ୍ୱୟଂ ବିଷ୍ଣୁ ରୂପରେ ଦର୍ଶନ କରି ଅଗସ୍ତ୍ୟ ଆତ୍ମବିଭୋର ହୋଇପଡ଼ିଲେ। ଶ୍ରୀରାମ ଯେଉଁ ଉଦ୍ଦେଶ୍ୟରେ ବନବାସ କରିଛନ୍ତି ତାହା ଅଗସ୍ତ୍ୟଙ୍କୁ ଅଜଣା ନ ଥିଲା। ତେଣୁ ସେ କାର୍ଯ୍ୟସିଦ୍ଧି ନିମିତ୍ତ ଶିବଙ୍କଠାରୁ ପ୍ରାପ୍ତ ଅକ୍ଷୟତୂଣୀର ଓ ବୈଷ୍ଣବଧନୁ ଶ୍ରୀରାମଙ୍କୁ ଅର୍ପଣ କଲେ ଏବଂ ତାଙ୍କୁ ଆଦିତ୍ୟହୃଦୟ ମନ୍ତ୍ର ଶିକ୍ଷା ଦେଲେ। ଏହି ବିଦ୍ୟାଫଳରେ ଶ୍ରୀରାମ ରାକ୍ଷସମାନଙ୍କୁ ବଧ କରିବାକୁ ସମର୍ଥ ହୋଇଥିଲେ। ଅଗସ୍ତ୍ୟଙ୍କଠାରୁ ବିଦାୟ ନେଲା ବେଳେ ଅଗସ୍ତ୍ୟ ତାଙ୍କୁ ଦଣ୍ଡକବନ ମଧ୍ୟରେ ପ୍ରବେଶ କରି ସେହି ବନକୁ ଅଭିଶାପମୁକ୍ତ କରିବା ସହିତ ପଞ୍ଚବଟି ନାମକ ପବିତ୍ର ସ୍ଥାନରେ ଆଶ୍ରମ ନିର୍ମାଣ କରି ବାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଞ୍ଚବଟିରୁ ହିଁ ଶ୍ରୀରାମଙ୍କର ରାବଣବଧ ଯାତ୍ରା ଆରମ୍ଭ ହୋଇଥିଲା।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe