ସାଧାରଣତଃ ଆମେ ଅସୁବିଧାରେ ପଡ଼ିଲେ ଅନ୍ୟର ସାହାଯ୍ୟ ଲୋଡ଼ିଥାଉ। କୌଣସି ଜରୁରୀ କାମରେ ଅନ୍ୟତ୍ର ଗଲା ବେଳେ ନିଜର ବା ସାର୍ବଜନୀନ ଗାଡ଼ିମୋଟରର ସୁବିଧା ନଥିଲେ ଆମେ ବାଧ୍ୟ ହୋଇ ଅପରିଚିତ ଯାତ୍ରୀଙ୍କୁ ଅନୁରୋଧ ପୂର୍ବକ ସେମାନଙ୍କ ଗାଡ଼ିରେ କିଛି ବାଟ ଅତିକ୍ରମ କରିଥାଉ। ମାତ୍ର ମହାରାଷ୍ଟ୍ରର ପର୍ଭାନି ଜିଲ୍ଲା ଅନ୍ତର୍ଗତ ସେଲୁ ଗାଁର କାଞ୍ଚନ ଦତ୍ତାତ୍ରେୟ ଯାଦବ ନାମ୍ନୀ ଜଣେ ଯୁବ ସାମ୍ବାଦିକା ଏକ ଭିନ୍ନ ତଥା ମହତ୍ ଉଦ୍ଦେଶ୍ୟରେ ଅପରିଚିତ ଗାଡ଼ିଚାଳକଙ୍କୁ ଲିଫ୍ଟ ମାଗି ମାଗି ସାରା ରାଜ୍ୟ ବୁଲିବା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ପୁରୁଷକୈନ୍ଦ୍ରିକ ସମାଜରେ ମହିଳାମାନଙ୍କ ଗତିବିଧି ଉପରେ ନାନା କଟକଣା ରହିଥାଏ। ବାହାରକୁ ଗଲେ ସେମାନଙ୍କୁ ସଅଳ ଘରକୁ ଫେରିବାକୁ ପଡ଼ିଥାଏ। ସେମାନେ ବାହାରେ ଅଧିକ ସମୟ ରହିପାରିବେ ନାହିଁ, ବାହାରେ ଏକା ଏକା ମଧ୍ୟ ବୁଲିପାରିବେ ନାହିଁ ବୋଲି ତାଙ୍କୁ ବାରଣ କରାଯାଏ।
/sambad/media/post_attachments/wp-content/uploads/2023/04/5465h45sf6hfhhfhs.jpg)
ଏଥି ସହିତ ନିଜକୁ ଶାଳୀନ ବେଶଭୂଷାରେ ସଜ୍ଜିତ କରିବାକୁ କୁହାଯାଏ। ଏତେ ସବୁ କଟକଣା ସତ୍ତ୍ବେ ଆଜିର ମହିଳାମାନେ ନିଜକୁ ନିରାପଦ ମଣୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ଲାଗି କାଞ୍ଚନଙ୍କୁ ଏପରି ନିଆରା ପଦକ୍ଷେପ ନେବାକୁ ପଡ଼ିଛି। କାଞ୍ଚନଙ୍କ ପିତା ଏକ ବିଦ୍ୟାଳୟର ଅଧ୍ୟକ୍ଷ ଥିବା ବେଳେ ମାଆ ହେଉଛନ୍ତି ଜଣେ ଗୃହିଣୀ। ସାମ୍ବାଦିକତାର ଛାତ୍ରୀ କାଞ୍ଚନ ବହୁ ଆଗରୁ ପୁରୁଷତନ୍ତ୍ରର ବିପଦକୁ ହୃଦୟଙ୍ଗମ କରିବା ସହ ତାହା ମହିଳାଙ୍କ ପ୍ରତି କିପରି ଭେଦଭାବ ସୃଷ୍ଟି କରେ, ତାହା ସେ ବୁଝିଥିଲେ। ପାଠ ପଢ଼ିବା ଭିତରେ ଏହା ତାଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଥିଲା। ମହାରାଷ୍ଟ୍ରରେ ମହିଳାମାନେ ସୁରକ୍ଷିତ ନା ନାହିଁ, ତାହା ଜାଣିବା ଲାଗି ସେ ଅଜଣା ବ୍ୟକ୍ତିମାନଙ୍କ ଠାରୁ ଲିଫ୍ଟ ନେଇ ସେମାନଙ୍କ ଗାଡ଼ି ପଛରେ ସାରା ରାଜ୍ୟ ବୁଲିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ଅଭିଯାନରେ ସେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲା ସୁରକ୍ଷିତ ଭାବେ ଅତିକ୍ରମ କରିସାରିଲେଣି।
Follow Us