ଅନେକ ପର୍ଯ୍ୟଟକ କୌଣସି ଶାନ୍ତିପୂର୍ଣ୍ଣ ସ୍ଥାନ ଅନ୍ବେଷଣରେ ଥାଆନ୍ତି, ଯେଉଁଠି ଗହଳି ଚହଳି ନଥିବ କି ବ୍ୟସ୍ତ କଲା ଭଳି ପଡ଼ୋଶୀ ନଥିବେ କି ରାତିରେ କୋଳାହଳ ନଥିବ। ତେବେ ସେମାନଙ୍କ ଇଚ୍ଛା ପୂରଣ ପାଇଁ ଏକ ସ୍ବତନ୍ତ୍ର ଦ୍ବୀପ ରହିଛି ଯାହାର ନାମ ହେଉଛି ‘ଜଷ୍ଟ୍ ଏନଫ୍ ରୁମ୍’ ବା କେବଳ ଯଥେଷ୍ଟ କୋଠରି। ଏପରି ନାମକରଣରୁ ମଧ୍ୟ ବୁଝାପଡ଼େ କି ଜଣେ ରହିବା ପାଇଁ ସେଠାରେ ଯଥେଷ୍ଟ ସ୍ଥାନ ରହିଛି, ସୁତରାଂ ସେଠାରେ ଅନ୍ୟ କାହାର ହସ୍ତକ୍ଷେପ ନଥିବାରୁ ଶାନ୍ତି ମିଳିବାଟା ଥୟ। ମାତ୍ର ପ୍ରକୃତରେ ଉକ୍ତ ଦ୍ବୀପରେ କେବଳ ଗୋଟିଏ ବଖରା ଘର ଓ ଗୋଟିଏ ଗଛ ବ୍ୟତୀତ ଅନ୍ୟ କିଛି ରହିବା ପାଇଁ ମଧ୍ୟ ସ୍ଥାନ ନାହିଁ। କେବଳ କୌତୂହଳ ପାଇଁ ପର୍ଯ୍ୟଟକମାନେ ସେଠିକି ଯାଇଥା’ନ୍ତି। କାନାଡ଼ା-ଆମେରିକା ସୀମାରେ ସେଣ୍ଟ୍ ଲରେନ୍ସ ନଦୀରେ ରହିଥିବା ୧,୮୬୪ କ୍ଷୁଦ୍ର ଉପଦ୍ବୀପମାନଙ୍କ ମଧ୍ୟରେ ଏହି ଜଷ୍ଟ୍ ଏନଫ୍ ରୁମ୍ ଗୋଟିଏ। ଏପରି ନିଆରା ଶାନ୍ତ ଦ୍ବୀପ ପଛରେ ରୋଚକ କାହାଣୀଟିଏ ରହିଛି। ୧୯୫୦ ମସିହା ବେଳେ ଏକ ସିଜେଲାଣ୍ଡ୍ ପରିବାର ଏହି ଦ୍ବୀପକୁ କିଣି ସେଠାରେ ଘରଟିଏ ତୋଳିବାକୁ ଚାହିଥିଲେ, ମାତ୍ର ଗୃହନିର୍ମାଣ ପରେ ସେଠାରେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅଭାବରୁ ସେମାନେ ସେଠାରେ ରହିନଥିଲେ। ଏବେ ମଧ୍ୟ ସେହି ଘରଟି ସେମିତି ରହିଛି। ଆଶ୍ଚର୍ଯ୍ୟର କଥା ଘରର କୋଣଗୁଡ଼ିକ ଦ୍ବୀପର ଠିକ୍ ଧାରକୁ ଲାଗି ରହିଛି। ଦୀର୍ଘ ବର୍ଷ ପରେ ମଧ୍ୟ ଘରଟି ସେମିତି ରହିଛି ଓ କୌଣସି ଅଂଶ କୂଳ ଖାଇ ପାଣିରେ କ୍ଷୟପ୍ରାପ୍ତ ହୋଇନାହିଁ। କେବଳ ଡଙ୍ଗା ଯୋଗେ ପର୍ଯ୍ୟଟକମାନେ ସେଠିକି ବୁଲିବାକୁ ଯାଇ ନିଆରା ଅନୁଭୂତି ଧରି ଫେରିଥା’ନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us