Advertisment

The Taj Story: ଦାବିରେ ସବଳ, ନିଷ୍କର୍ଷରେ ଦୁର୍ବଳ

Advertisment

ଏକ ବିବାଦୀୟ ପ୍ରସଙ୍ଗରେ ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବାରୁ ଆରମ୍ଭରେ ହିଁ ଏକ ଦୀର୍ଘ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ଯେ ବାସ୍ତବ ଇତିହାସ ସହିତ ଏହାର କୌଣସି ସମ୍ପର୍କ ନାହିଁ, ଏହା ଏକ କାଳ୍ପନିକ କାହାଣୀ ମାତ୍ର।

ଏକ ବିବାଦୀୟ ପ୍ରସଙ୍ଗରେ ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବାରୁ ଆରମ୍ଭରେ ହିଁ ଏକ ଦୀର୍ଘ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ଯେ ବାସ୍ତବ ଇତିହାସ ସହିତ ଏହାର କୌଣସି ସମ୍ପର୍କ ନାହିଁ, ଏହା ଏକ କାଳ୍ପନିକ କାହାଣୀ ମାତ୍ର।

taj story

Photograph: (BookMyShow)

ଏକ ବିବାଦୀୟ ପ୍ରସଙ୍ଗରେ ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବାରୁ ଆରମ୍ଭରେ ହିଁ ଏକ ଦୀର୍ଘ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ଯେ ବାସ୍ତବ ଇତିହାସ ସହିତ ଏହାର କୌଣସି ସମ୍ପର୍କ ନାହିଁ, ଏହା ଏକ କାଳ୍ପନିକ କାହାଣୀ ମାତ୍ର। ଐତିହାସିକ ତଥ୍ୟକୁ ଦର୍ଶକମାନେ ନିଜେ ଯାଞ୍ଚ କରିବା ପାଇଁ ସେଥିରେ ପରାମର୍ଶ ଦିଆଯାଇଛି। କାହାଣୀଟି ଆରମ୍ଭ ହେଉଛି ୧୯୫୯ ମସିହାର ଏକ ଦୃଶ୍ୟରୁ, ଯେଉଁଠି ତାଜ ମହଲର ଭୂତଳ କକ୍ଷରେ ଚାଲିଥିବା ମରାମତି ବେଳେ ପ୍ରତ୍ନତତ୍ତ୍ବ ବିଭାଗର କର୍ମଚାରୀମାନେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ପାଉଛନ୍ତି, କିନ୍ତୁ ତାହା କ’ଣ, ଶେଷ ପର୍ଯ୍ୟନ୍ତ ଗୋପନ ରଖାଯାଇଛି। 
ଏହା ପରେ ୨୦୨୩ ମସିହାର ଘଟଣାବଳୀ ସହ କାହାଣୀ ଆଗକୁ ବଢୁଛି। ବିଷ୍ଣୁ ଦାସ (ପରେଶ ରାଵଲ) ହେଉଛନ୍ତି ଜଣେ ଟୁରିଷ୍ଟ ଗାଇଡ୍‌, ଯିଏ ବନ୍ଧୁମାନଙ୍କ ଗହଣରେ ମଦ ନିଶାରେ ଦାବି କରୁଛନ୍ତି ଯେ ତାଜ ମହଲକୁ ଶାହଜାହାନ ନିର୍ମାଣ କରାଇ ନଥିଲେ, ଏହା ବାସ୍ତବରେ ଏକ ମନ୍ଦିର। ଏହାର ଭିଡିଓ ଭାଇରାଲ୍‌ ହୋଇଯିବା ପରେ ବିଷ୍ଣୁଙ୍କୁ ନିଜ ଗାଇଡ୍‌ ଚାକିରି ହରାଇବାକୁ ପଡୁଛି। ବିଷ୍ଣୁ ତାଜ ମହଲର ‘ଡିଏନ୍‌ଏ ପରୀକ୍ଷା’ ପାଇଁ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରୁଛନ୍ତି କିନ୍ତୁ ତାଙ୍କ ଓକିଲ ଭୟରେ ସେଥିରୁ ଓହରିଯିବା ପରେ ସେ ନିଜେ କୋର୍ଟରେ ମାମଲା ଲଢୁଛନ୍ତି। ତାଙ୍କ ପ୍ରତିପକ୍ଷ ଓକିଲ ରୂପେ ଅଛନ୍ତି ଅନଵର ରାଶିଦ (ଜାହିର ହୁସେନ)। ସକ୍ରେଟିସ୍‌ଙ୍କ ପଥ ଅନୁସରଣ କରି ବିଷ୍ଣୁ ପ୍ରଶ୍ନ ସାହାଯ୍ୟରେ ଇତିହାସରେ ଥିବା ତ୍ରୁଟିଗୁଡ଼ିକୁ ଉଜାଗର କରିବା ଲାଗି ଚେଷ୍ଟା କରୁଛନ୍ତି, ଯାହା ଦର୍ଶକଙ୍କ ମନରେ କୌତୂହଳ ଜାଗ୍ରତ କରିବା ଲାଗି ପର୍ଯ୍ୟାପ୍ତ। ତେବେ ନଅଟି ଶୁଣାଣିରେ ଇତିହାସ, ତଥ୍ୟ, ଐତିହ୍ୟ ଓ ତର୍କର ଯେଉଁ ଯୁକ୍ତି ବିନିମୟ ହେଉଛି ତାହା ଆରମ୍ଭରେ ଠିକ୍‌ ଦିଗରେ ଯାଉଥିବା ଭଳି ମନେ ହେଉଥିବା ବେଳେ ମଝିରେ ଏହା ମୂଳ ପ୍ରଶ୍ନରୁ ଦିଗଭ୍ରଷ୍ଟ ହୋଇ କେତେବେଳେ ମିଛ-ସତ ମଧ୍ୟରେ ରହିଥିବା ପ୍ରଭେଦକୁ ଲିଭାଇଦେଉଛି ତ ଆଉ କେତେବେଳେ ଦେଶର ଐତିହାସିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ବାମପନ୍ଥୀ ଓ ଧର୍ମନିରପେକ୍ଷତାବାଦୀଙ୍କୁ ଭର୍ତ୍ସନା କରୁଛି। 

ବିଷ୍ଣୁଙ୍କ ଯୁକ୍ତିକୁ ଅନଵର କେତେକ ଦୃଶ୍ୟରେ ଶକ୍ତିଶାଳୀ ଢଙ୍ଗରେ ଆହ୍ବାନ କରୁଛନ୍ତି, କିନ୍ତୁ କୋର୍ଟରେ ହାଜର ହୋଇଥିବା ଐତିହାସିକ, ଶିକ୍ଷାବିତ୍‌ ବା ପ୍ରତ୍ନତତ୍ତ୍ବବିତ୍‌ମାନଙ୍କୁ ଜାଣିବୁଝି ଅତି ହାସ୍ୟାସ୍ପଦ ଢଙ୍ଗରେ ଚିତ୍ରଣ କରାଯାଇଛି। ପରେଶ ରାଵଲ ଓ ଜାହିର ହୁସେନଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତାଙ୍କୁ ପାରଦର୍ଶିତା ପ୍ରଦର୍ଶନର ସୁଯୋଗ ମିଳିନାହିଁ। ସିନେମାର ସିଂହଭାଗ କୋର୍ଟରୁମ୍‌ ଭିତରେ ଅଭିନୀତ ହୋଇଥିବାରୁ ପରେଶଙ୍କ ପରି ଉତ୍କୃଷ୍ଟ ଅଭିନେତାଙ୍କ ଉପସ୍ଥିତି ସତ୍ତ୍ବେ ଦ୍ବିତୀୟାର୍ଦ୍ଧରେ ଦର୍ଶକଙ୍କ ମୋହଭଙ୍ଗ ହେବାର ସମ୍ଭାବନା ରହିଛି। ଏହି ଚଳଚ୍ଚିତ୍ରର ଦୁଇଟି ଭଲ ବାର୍ତ୍ତା ରହିଛି। ଗୋଟିଏ ଦୃଶ୍ୟରେ ବିଷ୍ଣୁ ସାମ୍ବାଦିକମାନଙ୍କୁ ଚେତାଇ ଦେଉଛନ୍ତି ଯେ ସେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦ ଚାହାନ୍ତି ନାହିଁ, କେବଳ ଉଭୟ ସଂପ୍ରଦାୟର ମିଳିତ ଇତିହାସକୁ ସେ ଉଜାଗର କରିବାକୁ ଚାହାନ୍ତି। କୋର୍ଟର ଆଉ ଏକ ଦୃଶ୍ୟରେ ଅନଵର ପଚାରୁଛନ୍ତି ଯେ ତା’ହେଲେ କ’ଣ ତାଜ ମହଲକୁ ଭାଙ୍ଗି ଦେବା? ସେତେବେଳେ ବିଷ୍ଣୁ କହୁଛନ୍ତି, ଆମେ ତା’ର ଧ୍ବଂସ ଚାହୁ ନାହିଁ। ଭାଙ୍ଗିବା ବା ଧ୍ବଂସ କରିବା ସବୁ ସମସ୍ୟାର ସମାଧାନ ନୁହେଁ। 

ଏହି ସିନେମା ନିର୍ମାଣରେ ବଜେଟ୍‌ର ସୀମିତତା ସ୍ପଷ୍ଟ ବାରିହୋଇପଡ଼େ। ଇତିହାସର ବ୍ୟାଖ୍ୟା କରୁଥିବା ‘ଏଆଇ’ ନିର୍ମିତ ଦୃଶ୍ୟଗୁଡ଼ିକ ଦେଖିବାକୁ ଯେତିକି କଦାକାର, ସିନେମା ଶିଳ୍ପରେ କାର୍ଯ୍ୟରତ କଳାକାରଙ୍କ ପେସା ପ୍ରତି ସେତିକି ବିପଜ୍ଜନକ। ସେହିପରି କୋର୍ଟରୁମ୍‌ର କେତେକ ଦୃଶ୍ୟ ଗ୍ରିନ୍‌ ସ୍କ୍ରିନ୍‌ ସମ୍ମୁଖରେ ସୁଟିଂ କରାଯାଇଛି, ତେଣୁ ସେଗୁଡ଼ିକ ଦେଖିବାକୁ କୃତ୍ରିମ ଲାଗିଲା। ଏହି ସିନେମାର ଗୋଟିଏ ଦୃଶ୍ୟରେ ବିଷ୍ଣୁ ଦାସ ନିଜ ପରିବାର ସମ୍ମୁଖରେ କହୁଛନ୍ତି, ଆମ ଦେଶରେ ଅନେକ ଜରୁରୀ ପ୍ରସଙ୍ଗ ଥିବାବେଳେ ଆମେ ଅଯଥା କଥା ଆଲୋଚନା କରି ସମୟ ନଷ୍ଟ କରୁ। ପାଖାପାଖି ତିନି ଘଣ୍ଟା ଦୀର୍ଘ ‘ଦି ତାଜ ଷ୍ଟୋରି’ ଲାଗି ମଧ୍ୟ ଏହି ସଂଳାପଟି ଖୁବ୍ ପ୍ରଯୁଜ୍ୟ। କାରଣ ବିଶ୍ବ ଐତିହ୍ୟ ‘ତାଜ ମହଲ’ର ଇତିହାସକୁ କେନ୍ଦ୍ରରେ ରଖି କୋର୍ଟରୁମ୍‌ ଲଢ଼େଇ ଜରିଆରେ ଦର୍ଶକଙ୍କ ମନୋରଂଜନ କରିବା ସହିତ ଏକ ଯୁକ୍ତିଯୁକ୍ତ ନିଷ୍କର୍ଷରେ ପହଞ୍ଚିବା ଏହି ସିନେମା ଠାରୁ ଆଶା କରାଯାଉଥିବା ବେଳେ ସେ ଦୃଷ୍ଟିରୁ ଏହା ସଂପୂର୍ଣ୍ଣ ନିରାଶ କଲା।

‘ଦି ତାଜ ଷ୍ଟୋରି’
ନିର୍ଦେଶକ: ତୁଷାର ଅମରୀଶ ଗୋଏଲ
ମୁଖ୍ୟ ଚରିତ୍ରରେ: ପରେଶ ରାଵଲ, ଜାହିର ହୁସେନ, ନମିତ ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe