ଛାତ୍ରୀମାନେ ଭୟ ଛାଡ଼ନ୍ତୁ, ଚାପମୁକ୍ତ ହୋଇ ଆତ୍ମବିଶ୍ବାସ ବଢ଼ାନ୍ତୁ: ପ୍ରଫେସର ସବିତା ଆଚାର୍ଯ୍ୟ

ପ୍ରତିବର୍ଷ ମାର୍ଚ ୮ ତାରିଖ ଦିନ ସମଗ୍ର ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟତଃ ସମାଜରେ ମହିଳାଙ୍କ ସମ୍ମାନ, ସହଭାଗିତା ଓ ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯାଇ ଆସୁଛି।

njnjn4545

ପ୍ରତିବର୍ଷ ମାର୍ଚ ୮ ତାରିଖ ଦିନ ସମଗ୍ର ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟତଃ ସମାଜରେ ମହିଳାଙ୍କ ସମ୍ମାନ, ସହଭାଗିତା ଓ ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯାଇ ଆସୁଛି। ଏହିକ୍ରମରେ ଭାରତରେ ଶିକ୍ଷା ପରିସରରେ ମହିଳାଙ୍କ ସ୍ଥାନ ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିନିଧିତ୍ବ, କର୍ମଜୀବୀ ମହିଳା ସାମ୍ନା କରୁଥିବା ଆହ୍ବାନ ଓ ନିର୍ବାଚନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଭଳି ପ୍ରସଙ୍ଗକୁ ନେଇ ଦେଶର ଅନ୍ୟତମ ସ୍ବନାମଧନ୍ୟା ନୃତତ୍ତ୍ୱ ବିଜ୍ଞାନୀ, ଶିକ୍ଷାବିତ୍ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି 
ବିଭୂତି ପତି

ଆଜି ବି ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ର ପୁରୁଷ ପ୍ରାଧାନ୍ୟ ହୋଇ ରହିଛି। ଶିକ୍ଷା ଓ ସାକ୍ଷରତା ‌େକ୍ଷତ୍ରରେ ମହିଳାମାନେ ପଛରେ ରହିଛନ୍ତି। ଏ ଅବସ୍ଥା କିଭଳି ବଦଳାଯାଇ ପାରିବ?
ଯଦିଓ ମହିଳାମାନେ ଉଚ୍ଚଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଅଗ୍ରସର ହେଲେଣି ତଥାପି ଜନସଂଖ୍ୟା ତୁଳନାରେ ଆହୁରି ଆଗକୁ ଯିବାକୁ ପଡ଼ିବ। ୨୦୨୧ରେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ହାତରେ ନେତୃତ୍ବ ହାର ମାତ୍ର ୯.୫୫ ପ୍ରତିଶତ ଥିବା ବେଳେ ପୁରୁଷମାନଙ୍କ ହାତରେ ୮୯.୫୭ ପ୍ରତିଶତ ରହିଥିଲା। ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ତୁଳନା କଲେ ଏହି ସ୍ଥାନ ପୂରଣ କରିବା ଆମ ‌ପକ୍ଷେ ଏକ ବିରାଟ ଆହ୍ବାନ। ଅବଶ୍ୟ ଏବେ ଏଥିରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟରେ ୨୫ ପ୍ରତିଶତ ପ୍ରଶାସନିକ ନେତୃତ୍ୱ ପଦବିରେ ମହିଳାମାନେ ରହିଛନ୍ତି। ଅତୀତରେ ଆମ ଦେଶ ସାବିତ୍ରୀବାଈ ଫୁଲେଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନା ଅଗ୍ରଣୀ ମହିଳା ସମାଜ ସଂସ୍କାରକଙ୍କୁ ଦେଖିଛି। ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେଙ୍କୁ ପ୍ରଭାବିତ କରି  ୧୮୪୮ ମସିହାରେ ଝିଅମାନଙ୍କ ପାଇଁ ଭାରତ‌େର ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହା ମହିଳା ଶିକ୍ଷା ଓ ସାମାଜିକ ନ୍ୟାୟକୁ ଯଥେଷ୍ଟ ପ୍ରୋତ୍ସାହିତ କରିଥିଲା। ମୁଁ ଭାବୁଛି ଆଜି ବି ଆମ ସମାଜରେ ସାବିତ୍ରୀବାଈଙ୍କ ଭଳି ମହିଳାଙ୍କର ଆବଶ୍ୟକତା ରହିଛି।

ମହିଳାଙ୍କୁ ଅଧିକ ଶିକ୍ଷିତ କରିବା ଲକ୍ଷ୍ୟ ସାଧନ ପାଇଁ ଆଉ କ’ଣ ଆବଶ୍ୟକ?
ମୁଁ ପ୍ରଥମେ କହିବି ପ୍ରତ୍ୟେକ ପରିବାର କନ୍ୟା ସନ୍ତାନମାନଙ୍କୁ ନିଶ୍ଚିତ ଶିକ୍ଷାଦାନ କରାନ୍ତୁ ଏବଂ ଏଥିପାଇଁ ସବୁକିଛି ଉତ୍ସର୍ଗ କରିବାକୁ ପ୍ରସ୍ତୁତ ରହନ୍ତୁ। ଶୃଙ୍ଖଳିତ ମହିଳାବର୍ଗ ଗଠନ ଆଜିର ବଡ଼ ଆହ୍ବାନ। ମହିଳାମାନେ ଭାରତର ଭବିଷ୍ୟତ ଗଢ଼ିବାରେ ନୂତନ ରୂପକାର ସାଜିଛନ୍ତି। ସମସ୍ତ ଆହ୍ୱାନ ସତ୍ତ୍ୱେ ସେମାନଙ୍କର ଉତ୍କର୍ଷ ଓ ସଫଳତା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସାମର୍ଥ୍ୟ ରଖୁଛି। ସମସ୍ତ ମତପାର୍ଥକ୍ୟ ଓ ପ୍ରତିବନ୍ଧକ ଦୂରକରି ସରକାର ମହିଳା କଲ୍ୟାଣ ଯୋଜନା ଏବଂ ନୀତି ସବୁ କାର୍ଯ୍ୟକାରୀ କରନ୍ତୁ। ଏଥିସହିତ ମହିଳାମାନଙ୍କ ଭାଗୀଦାରିକୁ ଅଧିକ ସକ୍ରିୟ କରି ସାମଗ୍ରିକ ପରିବର୍ତ୍ତନ ମାଧ୍ୟମରେ ଭାରତର ସାମାଜିକ-ଅର୍ଥନୈତିକ ବିକାଶ ଲକ୍ଷ୍ୟ ହାସଲ କରନ୍ତୁ।

ସଂପ୍ରତି ସରକାରୀ ବାଳିକା ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ମାନ ଓ ପରିବେଶ ଉପରେ ଆପଣଙ୍କ ମତ କ’ଣ? ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନେ କିଭଳି ମନୋଭାବ ରଖିବା ଉଚିତ?
ପ୍ରଥମ କଥା ହେଉଛି ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଗତ ଦିନରେ ଯେଭଳି ସମ୍ପର୍କ ଥିଲା, ଏବେ ସେଭଳି ପ୍ରାୟତଃ ଦେଖିବାକୁ ମିଳୁନି। ଆଜିକାଲି ବିଦ୍ୟାଳୟରେ ଶୃଙ୍ଖଳା ଜ୍ଞାନ ମଧ୍ୟ ହ୍ରାସ ପାଇଲାଣି। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ହ୍ରାସପାଉଛି। ଶିକ୍ଷାର ଗୁଣାତ୍ମକ ମାନ ମଧ୍ୟ କମି ଯାଉଛି। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନେକ ଚାପ ଓ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷାଦାନ କରୁଛନ୍ତି। ଏହା ଗୋଟିଏ ସୁସ୍ଥ ଶିକ୍ଷାଦାନ ପରମ୍ପରାର ସୁଯୋଗ ତିଆରି କରିବାରେ ବ୍ୟାଘାତ ଉପୁଜାଉଛି। ଏଭଳି ଅନେକ କାରଣରୁ ସରକାରୀ ବିଦ୍ୟାଳୟର ଅଧୋଽଗତି ହେଉଛି। ବିଦ୍ୟାଳୟର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଁ କେବଳ ଗୋଟିଏ କଥା କହିବି, ସେମାନେ ମନରୁ ଭୟ ପରିତ୍ୟାଗ କରିବା ଜରୁରି। ଚାପମୁକ୍ତ ହୋଇ ଆତ୍ମବିଶ୍ୱାସ ବଢ଼ାଇବାର ଆବଶ୍ୟକତା ବିଦ୍ୟାଳୟ ଜୀବନରୁ ଶିକ୍ଷା କରିବା ଦରକାର। ମନକଥା ନିର୍ଭୟରେ ପ୍ରକାଶ କରିବା ଦରକାର।

ସଂକ୍ଷେପରେ ସବିତା
ଶ୍ରୀକ୍ଷେତ୍ର ଧାମ ପୁରୀରେ ଜନ୍ମଗ୍ରହଣ କରିଥିଲେ ସବିତା ଆଚାର୍ଯ୍ୟ। ତାଙ୍କର ବାପା ସ୍ବର୍ଗତ ଉଦୟନାଥ ଆଚାର୍ଯ୍ୟ ଥିଲେ ଗାନ୍ଧିବାଦୀ ଏବଂ ମା’ ଦିନମଣି ଆଚାର୍ଯ୍ୟ ଥିଲେ ଗୃହିଣୀ। ୧୦ ଭାଇଭଉଣୀଙ୍କ ମଧ୍ୟରେ ସବିତା ଥିଲେ ସବାସାନ ଓ ଗେଲବସର। ପୁରୀ ସରକାରୀ ବାଳିକା ବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର, ନୃତତ୍ତ୍ୱ ବିଜ୍ଞାନରେ ଏମ୍‌ଫିଲ୍‌ ଓ ପିଏଚ୍‌.ଡି ହାସଲ କରିଥିଲେ। ବିଶ୍ୱର ଅନ୍ୟତମ ଖ୍ୟାତିସଂପନ୍ନ ଶିକ୍ଷା ଅନୁଷ୍ଠାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସେ ପୋଷ୍ଟ୍‌ ଡକ୍ଟୋରାଲ୍‌ ଉପାଧି ହାସଲ କରିଥିଲେ। ନିଜ ପାଠପଢ଼ା ସମୟରେ ସେ ସବୁବେଳେ ଶ୍ରେଷ୍ଠସ୍ଥାନ ହାସଲ କରିବା ସହିତ ଖେଳକୁଦ ଓ ଏନ୍‌.ସି.ସି.ରେ ପ୍ରତିନିଧିତ୍ବ କରି ଅନେକ ପୁରସ୍କାର ହାସଲ କରିଛନ୍ତି। ନୃତତ୍ତ୍ୱ ଉପରେ ଉଚ୍ଚତ୍ତର ଗବେଷଣା ପାଇଁ ଆମେରିକା, ୟୁରୋପ୍‌, ଚୀନ୍, ମାଞ୍ଚେଷ୍ଟର୍‌, ବ୍ରାଜିଲ୍‌ ଓ ପୋଲାଣ୍ଡ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ମାନବବିଜ୍ଞାନ କଂଗ୍ରେସରେ ଅଂଶଗ୍ରହଣ କରି ଡକ୍ଟର ସବିତା ଆଚାର୍ଯ୍ୟ ସୁନାମ ଅର୍ଜନ କରିଛନ୍ତି। ସେ ଭାରତୀୟ ସଭ୍ୟତାର ତୀର୍ଥଯାତ୍ରା ଭଳି ପ୍ରସିଦ୍ଧ ପୁସ୍ତକ ସମ୍ପାଦନା କରିଛନ୍ତି। ଶିକ୍ଷାର ବିକାଶ ପାଇଁ ଯ଼ୁଜିସିର ଜଣେ ପ୍ରମୁଖ ଗବେଷିକା ଭାବେ ସଫଳତାର ସହିତ କାର୍ଯ୍ୟ କରିଆସୁଛନ୍ତି। ସାମାଜିକ-ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନରେ ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଡ. ଆଚାର୍ଯ୍ୟ ‘ସ୍କୁଲ୍ ଅଫ୍ ୱିମେନ୍ ଷ୍ଟଡିଜ୍’ର ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ୟୁନାଇଟେଡ୍ ଇଣ୍ଡିଆନ୍ ଆନ୍ଥ୍ରୋପୋଲଜି ଫୋରମ୍‌ର ଜଣେ ସମ୍ମାନଜନକ ସଦସ୍ୟା ମଧ୍ୟ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଓ ଲିଙ୍ଗଗତ ନିରପେକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ଯଜ୍ଞ, ହୋମ ଓ ଶ୍ରାଦ୍ଧ ଦେବାଭଳି ବ୍ରାହ୍ମଣ ପୁରୋହିତ କର୍ମକାଣ୍ଡ କରିବା ସପକ୍ଷରେ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି।

ରାଜନୈତିକ ଦଳମାନେ ଯଦିଓ ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା କହୁଛନ୍ତି, କିନ୍ତୁ ଏହାକୁ ପାଳନ କରୁନାହାନ୍ତି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରୀମାନେ ରାଜନୀତିରେ ଅଧିକ ସକ୍ରିୟ ହେବା ଆବଶ୍ୟକ କି?
ରାଜନୈତିକ ଦଳର ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବାର ଯଥେଷ୍ଟ ଗୁରୁତ୍ୱ ରହିଛି, କିନ୍ତୁ ଏହାକୁ କାର୍ଯ୍ୟକାରୀ କରା ନଯିବା ନିଶ୍ଚିତ ଦୁଃଖଦାୟକ। ମୋ ମତରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରୁ ଛାତ୍ରୀମାନେ ରାଜନୀତିରେ ପ୍ରବେଶ କରିବା ନିତାନ୍ତ ଆବଶ୍ୟକ। କିନ୍ତୁ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରସଙ୍ଗର ରାଜନୀତିକରଣ ଗ୍ରହଣଯୋଗ୍ୟ ନୁହେଁ।

ଯଦିଓ ସଂପ୍ରତି ଦେଶରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବଢ଼ିଛି, ତଥାପି ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ନିରାକରଣ କ’ଣ?
ଏବେ କର୍ମଜୀବୀ ମହିଳା ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ମୁଖ୍ୟତଃ ସାମାଜିକ ଓ ବୃତ୍ତିଗତ। ଗୋଟିଏ ପାର୍ଶ୍ୱରେ ସେମାନଙ୍କ ପାଇଁ ସାମାଜିକ ଓ ପାରିବାରିକ ବନ୍ଧନ ସମସ୍ୟା ଏବଂ ଅନ୍ୟ ପାର୍ଶ୍ୱରେ କେତେକ ଖଳପ୍ରକୃତି ଲୋକଙ୍କ ବିରୋଧ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏପରିକି ଅନେକ ମହିଳା, ବିଶେଷକରି ପାରମ୍ପରିକ କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟକୁ ନେଇ ଭୀଷଣ ପକ୍ଷପାତିତାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ମହିଳାମାନେ ସେମାନଙ୍କ ବୃତ୍ତିଗତ ଉନ୍ନତି ପାଇଁ ଅଧିକରୁ ଅଧିକ ସୁଯୋଗ ପାଇବାରୁ ବଞ୍ଚିତ ହୁଅନ୍ତି। ବିଶ୍ବବ୍ୟାପୀ ମହିଳାମାନଙ୍କ ପାଇଁ କର୍ମକ୍ଷେତ୍ର ଓ ପରିବାର ସଙ୍ଗକୁ ଜୀବନଶୈଳୀରେ ଏକ ସୁରକ୍ଷିତ ସନ୍ତୁଳନ ରକ୍ଷାକରିବା ମୁଖ୍ୟ ପ୍ରସଙ୍ଗ ଭାବେ ଉଭାହୋଇଛି।

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜିର ନାରୀଙ୍କ ଭିତରେ କିଭଳି ସମ୍ଭାବନା ଆପଣ ଲକ୍ଷ୍ୟ କରୁଛନ୍ତି?
ଶିକ୍ଷା, ଗଣମାଧ୍ୟମ, ବିଜ୍ଞାନ, ରାଜନୀତି, ସଶସ୍ତ୍ର ବାହିନୀ ଓ ଆହୁରି ଅନେକ କ୍ଷେତ୍ରରେ ମହିଳାମାନେ ଆଜି ଆଗରେ ରହି ସଫଳ ନେତୃତ୍ୱ ନେଉଛନ୍ତି। ସେଇଭଳି ଶାସନରେ ନାରୀମାନେ ଅଗ୍ରଣୀ ଭୂମିକା ନେଇ ଦେଶରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣୁଛନ୍ତି। ଯୁଦ୍ଧଭୂମିରେ ୟୁକ୍ରେନ୍‌ର ମହିଳା ସୈନିକମାନଙ୍କ ବୀରତ୍ବ ଓ ସାହସ ବିଶ୍ୱକୁ ଆଚମ୍ବିତ କରିଛି। ମୁଁ ଏଠାରେ ଗୋଟିଏ କଥା ନିଶ୍ଚିତ କହିବାକୁ ଚାହିବି,  ବିକଶିତ ଭାରତର ଲକ୍ଷ୍ୟ ହାସଲ ଓ ମହିଳା ସଶକ୍ତୀକରଣକୁ ସଫଳ କରିବାକୁ ହେଲେ କନ୍ୟାରତ୍ନଙ୍କର ସ୍କୁଲ୍‌ ଶିକ୍ଷା ଅପରିହାର୍ଯ୍ୟ। ମାନବ ବିଜ୍ଞାନର ବିବର୍ତ୍ତନ ଧାରାକୁ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହୁଏ, ସମାଜରେ ଶିକ୍ଷିତା ମହିଳାମାନେ ପରିବର୍ତ୍ତନ ଆଣନ୍ତି, ପରିବାରକୁ ଉନ୍ନତ କରନ୍ତି, ସମ୍ପ୍ରଦାୟକୁ ମଜଭୁତ କରନ୍ତି ଏବଂ ଜାତୀୟ ପ୍ରଗତି ତଥା ସଂହତି ସୁରକ୍ଷିତ ରଖନ୍ତି। ଏହା ଭବିଷ୍ୟତ ପିଢ଼ି ପାଇଁ ସ୍ଥାୟୀ ବିକାଶର ମୂଳଦୁଆ ସୃଷ୍ଟିକରେ। ଆଜିର ନାରୀ ସମାଜ ନିକଟରେ ଅସାଧ୍ୟକୁ ସାଧ୍ୟ କରିବାର ସମସ୍ତ କ୍ଷମତା ରହିଛି, ଏଥିପାଇଁ କେବଳ ସୁଯୋଗ ଦେବାର ସମୟ ଆସିଛି।

ଆପଣଙ୍କ ଜୀବନର ପ୍ରଥମ ନାରୀ ଆପଣଙ୍କ ବୋଉ। ତାଙ୍କ ସହିତ ସମ୍ପର୍କ ଓ ତାଙ୍କଠାରୁ ଜୀବନର ପ୍ରଥମ ଶିକ୍ଷାର ସ୍ମୃତି କିଭଳି?
ମୁଁ ପୁରୀ ସହରର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ଆସିଛି, କିନ୍ତୁ ମୋ ବୋଉ ସବୁବେଳେ ନାରୀ ସ୍ୱାଧୀନତାରେ ବିଶ୍ୱାସ ରଖୁଥିଲା। ସେ ସବୁବେଳେ କହୁଥିଲା ଘାସ କାଟ କି ଘୋଡ଼ା ଚଢ଼, କିନ୍ତୁ ଭଲ ମଣିଷ ହୁଅ। ଏହା ମୋ ଉପ‌ରେ ଗଭୀର ପ୍ରଭାବ ପକାଇଥିଲା। ବୋଉର ପ୍ରେରଣା ମୋତେ ମଣିଷ କରିବାରେ ସହାୟକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe