Photograph: (Pinterest)
ଅଶ୍ରଦ୍ଧାନଃ ପାପାତ୍ମା ନାସ୍ତିକଶ୍ଛିନ୍ନମାନସଃ।
ହେତୁବାଦୀ ଚ ପଞ୍ଚୈତେ ନ ତୀର୍ଥଫଳଭାଗିନଃ ାା
–ପଦ୍ମପୁରାଣ, ଉତ୍ତରଖଣ୍ଡ, ୧୧୭/୨୬
କାର୍ତ୍ତିକମାସର ପୁଣ୍ୟଫଳ ଅନେକ। ଏ ମାସର ତୀର୍ଥଫଳ ବି ଅନେକ। ‘ପଦ୍ମପୁରାଣ’ର ‘ଉତ୍ତରଖଣ୍ଡ’ରେ ଶିବ କାର୍ତ୍ତିକେୟଙ୍କୁ ଏ ମାସର ମାହାତ୍ମ୍ୟ କହିଛନ୍ତି ଏବଂ ସୂତମୁନି ଅନ୍ୟ ମୁନିମାନଙ୍କୁ ତାହାର ବିବରଣ ଦେଇଛନ୍ତି।
ଶିବ କାର୍ତ୍ତିକଙ୍କୁ କହିଛନ୍ତି–ସତ୍ୟଯୁଗ ହେଉଛି ବ୍ରାହ୍ମଯୁଗ, ତ୍ରେତାଯୁଗ କ୍ଷତ୍ରିୟଯୁଗ, ଦ୍ବାପରଯୁଗ ବୈଶ୍ୟଯୁଗ ଏବଂ କଳିଯୁଗ ଶୂଦ୍ରଯୁଗ। କଳିଯୁଗରେ ଲୋକେ ସ୍ନାନରେ ଆଳସ୍ୟ କରନ୍ତି। ସେ ଦୃଷ୍ଟିରୁ କାର୍ତ୍ତିକ ମାସରେ ସ୍ନାନ ପୁଣ୍ୟଫଳ ଦେଇଥାଏ। ସେହିପରି ମାଘ ମାସରେ ମଧ୍ୟ ସ୍ନାନର ପୁଣ୍ୟଫଳ ମିଳିଥାଏ। ଏହି ପ୍ରସଙ୍ଗରେ କେଉଁମାନେ ତୀର୍ଥ ଫଳ ପାଆନ୍ତି ଏବଂ କେଉଁମାନେ ତୀର୍ଥ ଫଳ ପାଆନ୍ତି ନାହିଁ, ତାହା ଶିବ କାର୍ତ୍ତିକେୟଙ୍କୁ ଉପରୋକ୍ତ ସୁଭାଷିତରେ କହିଛନ୍ତି। ତାହା ଅନୁସାରେ–ଯାହାଙ୍କର ଦୁଇହାତ, ଦୁଇପାଦ, ମନ ଓ ବାଣୀ ସଦାସର୍ବଦା ସଂଯମପୂର୍ଣ୍ଣ ରହେ, ଯେ ବେଦାଧ୍ୟୟନ କରନ୍ତି ଏବଂ ଯେ କୀର୍ତ୍ତିମାନ୍, ସେ ତୀର୍ଥଫଳ ପାଆନ୍ତି। କିନ୍ତୁ ପାଞ୍ଚ ପ୍ରକାରର ଲୋକ ତୀର୍ଥଫଳରୁ ବଞ୍ଚିତ ହୋଇଥାଆନ୍ତି।
ଯେ ଶ୍ରଦ୍ଧାହୀନ, ଯେ ପାପୀ, ଯେ ନାସ୍ତିକ, ଯେ କ୍ଷୁଣ୍ଣମନା ଏବଂ ଯେ କୁତର୍କବାଦୀ- ସେ ତୀର୍ଥଫଳ ପାଆନ୍ତି ନାହିଁ।
ଏଣୁ ଏହାର ବାର୍ତ୍ତା ହେଉଛି– ଆମେ ସତତ ଶ୍ରଦ୍ଧାଶୀଳ ରହିବା, କେବେ ପାପାଚରଣ କରିବା ନାହିଁ, ସବୁବେଳେ ଈଶ୍ବରଙ୍କଠାରେ ବିଶ୍ବାସ ରଖିବା, କେବେ କୌଣସି କଥାରେ ମନ ଊଣା କରିବା ନାହିଁ ଏବଂ କେବେବି ଅଯଥା ଯୁକ୍ତିତର୍କ କରିବା ନାହିଁ। ତେବେ ଏହା ଯେ କେବଳ ଆମ ପାଇଁ କାର୍ତ୍ତିକମାସର ଆଚରଣ ହେବା ଉଚିତ, ତାହା ନୁହେଁ। ବର୍ଷର ବାରଟିଯାକ ମାସରେ ତଥା ୩୬୫ଟି ଯାକ ଦିନରେ ଏହା ଆମର ଆଚରଣ ହେବା ଉଚିତ। ପ୍ରକୃତରେ ଏହାହିଁ ଆମର ତୀର୍ଥାଟନ।
Follow Us