ସୁଭାଷିତ: କାଳର ସ୍ରୋତରେ ଦେହ-ବୃକ୍ଷ ଅଳ୍ପକାଳର

ସୁଭାଷିତ: କାଳର ସ୍ରୋତରେ ଦେହ-ବୃକ୍ଷ ଅଳ୍ପକାଳର

ଚିରସ୍ଥାୟୀ ନୁହେଁ ଶରୀର ପାଦପ
ଭବ ତରଙ୍ଗିଣୀ ତୀରେ,
ପ୍ରାଣମୂଳ ମାଟି ଧୌତ ହୋଇଗଲେ
ଭାସିଯାଏ କାଳ-ନୀରେ।
-ଇନ୍ଦୁମତୀ, ଗଙ୍ଗାଧର ମେହେର

ଶ୍ରାବଣ ପୂର୍ଣ୍ଣିମା, ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ପୁଣ୍ୟ ଜନ୍ମତିଥି। ସେ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ଜୀବନ ଓ ପ୍ରକୃତିକୁ ନିଜର କାବ୍ୟ-କବିତାରେ ଏକାତ୍ମ କରିବାରେ ସେ ଥିଲେ ପାରଦର୍ଶୀ। ‘ତପସ୍ୱିନୀ’ ପାଇଁ ସେ ସୁପ୍ରସିଦ୍ଧ ହେଲେ ମଧ୍ୟ, ‘ଇନ୍ଦୁମତୀ’ ତାଙ୍କର ଏକ ପ୍ରମୁଖ କାବ୍ୟ। ଏହାର ରଚନାକାଳ ୧୮୯୩। କାଳିଦାସଙ୍କ ‘ରଘୁବଂଶ’ ଆଧାରରେ ଏହା ରଚିତ। ବଙ୍ଗଳାଶ୍ରୀ ରାଗରେ ରଚିତ ଏହି କାବ୍ୟ ‘ପୂର୍ବଭାଗ’ ଓ ‘ଉତ୍ତରଭାଗ’, ଏହିପରି ଦୁଇଭାଗରେ ରଚିତ। ଉପରୋକ୍ତ ସୁଭାଷିତଟି ଉତ୍ତରଭାଗର ଅନ୍ତର୍ଭୁକ୍ତ।

ସ୍ୱଭାବସୁଲଭ ରୀତିରେ, ଏଥିରେ ମଧ୍ୟ ଜୀବନ ଓ ପ୍ରକୃତିକୁ ଏକାତ୍ମ କରିଛନ୍ତି ଗଙ୍ଗାଧର। କହିଛନ୍ତି- ଏ ସଂସାର ଏକ ତରଙ୍ଗିଣୀ ବା ନଦୀ ସଦୃଶ। ସେହି ସଂସାର-ନଦୀର ତୀରରେ ପାଦପ ବା ବୃକ୍ଷଟିଏ ପରି ଆମର ଶରୀର। ପ୍ରାଣ ହେଉଛି ଏହି ଶରୀର-ବୃକ୍ଷର ମୂଳରେ ଥିବା ମାଟି। କାଳର ସ୍ରୋତରେ ଏହି ପ୍ରାଣରୂପକ ମାଟି ଧୋଇଗଲେ, ଶରୀର-ବୃକ୍ଷଟି ସମୟ-ଜଳରେ ଭାସିଯିବ। ଏଣୁ ଆମର ଏହି ଶରୀର ନାମକ ବୃକ୍ଷଟି ଯେ ଚିରସ୍ଥାୟୀ ନୁହେଁ, ଏଥିପ୍ରତି ଆମେ ସବୁବେଳେ ସଚେତନ ରହିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe