ସୁଭାଷିତ: ସାଧୁକାର୍ଯ୍ୟରେ ଜୀବନ ହୁଏ ନିର୍ମଳ ଓ ମଙ୍ଗଳମୟ

Advertisment
ସୁଭାଷିତ: ସାଧୁକାର୍ଯ୍ୟରେ ଜୀବନ ହୁଏ ନିର୍ମଳ ଓ ମଙ୍ଗଳମୟ

ହେ ମାନବ! ଲୋଡ଼ ଯେବେ ଆପଣା ମଙ୍ଗଳ
ସାଧୁକାର୍ଯ୍ୟ ଯୋଗେ କର ଜୀବନ ନିର୍ମଳ।
-ଫକୀରମୋହନ ସେନାପତି,
ବୌଦ୍ଧାବତାର କାବ୍ୟ
ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟର ସଂକ୍ରାନ୍ତିପୁରୁଷ। କାରଣ, ତାଙ୍କର ଜନ୍ମ ହୋଇଥିଲା ମକର ସଂକ୍ରାନ୍ତିରେ ଏବଂ ତିରୋଧାନ ଘଟିଥିଲା ରଜସଂକ୍ରାନ୍ତିରେ।
ଫକୀରମୋହନ ‘ବ୍ୟାସକବି’ ଭାବରେ ମଧ୍ୟ ସୁଖ୍ୟାତ। କାରଣ, ସେ ପଦ୍ୟଛନ୍ଦରେ ‘ମହାଭାରତ’, ‘ଭଗବଦ୍‌ଗୀତା’ ଓ ‘ଖିଳହରିବଂଶ’ର ଅନୁବାଦ କରିଥିଲେ। ପଦ୍ୟଛନ୍ଦରେ ‘ରାମାୟଣ’ର ଅନୁବାଦ କରିଥିବାରୁ କେହି କେହି ମଧ୍ୟ ତାଙ୍କୁ ଉତ୍କଳର ବାଲ୍ମୀକି ବୋଲି କହିଛନ୍ତି।
କିନ୍ତୁ ଏହା ବ୍ୟତୀତ, ସେ କବି ଭାବରେ ସୁଖ୍ୟାତ। ‘ବୌଦ୍ଧାବତାର କାବ୍ୟ’ ତାଙ୍କର ଏକ ଉଲ୍ଲେଖନୀୟ କାବ୍ୟକୃତି। ଏହାର ପ୍ରଥମ ପ୍ରକାଶକାଳ ୧୯୦୯।
ଏହି କାବ୍ୟର ଅନେକ ପଦରେ ବୌଦ୍ଧଗ୍ରନ୍ଥ ‘ଲଳିତ ବିସ୍ତର’ ସହ ସାମ୍ୟ ପରିଲକ୍ଷିତ ହୁଏ। ବୁଦ୍ଧଦେବଙ୍କର ଜନ୍ମ, ଯୌବନ, ଦାମ୍ପତ୍ୟ ଜୀବନ, ସନ୍ନ୍ୟାସ ଗ୍ରହଣ ଓ ବୋଧିପ୍ରାପ୍ତି ପରବର୍ତ୍ତୀ କ୍ରିୟାକଳାପ ଏଥିରେ ବର୍ଣ୍ଣିତ।
ଉପରୋକ୍ତ ସୁଭାଷିତ ‘ବୌଦ୍ଧାବତାର କାବ୍ୟ’ର ‘ପରିଶିଷ୍ଟ’ର ଏକ ଅଂଶ। ସମଗ୍ର କାବ୍ୟରେ ବୁଦ୍ଧଦେବଙ୍କ ଜୀବନର ପ୍ରମୁଖ ଘଟଣାବଳିର ବର୍ଣ୍ଣନା କରିବା ପରେ, ପରିଶେଷରେ ଫକୀରମୋହନ ପ୍ରଶ୍ନ କରିଛନ୍ତି– ଏ ଗ୍ରନ୍ଥ ଅଧ୍ୟୟନ କରି କି ଶିକ୍ଷା ଲାଭ ହେଲା? ଏବଂ ନିଜେ ସେହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇ କହିଛନ୍ତି- ଏହାର ଶିକ୍ଷା ହେଉଛି, ଲୋକେ ନିଜ ନିଜର କର୍ମଫଳ ଭୋଗ କରନ୍ତି। ଏଣୁ ହେ ମାନବ! ଯେବେ ଆପଣାର ମଙ୍ଗଳ ଚାହଁ, ତେବେ ସାଧୁସଙ୍ଗ କରି ନିଜର ଜୀବନକୁ ନିର୍ମଳ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe