ଅନିଷ୍ଟାଦିଷ୍ଟଲାଭେଽପି ନ ଗତିର୍ଜାୟତେ ଶୁଭା
ଯତ୍ରାଽସ୍ତେ ବିଷ ସଂସର୍ଗୋଽମୃତଂ ତଦପି ମୃତ୍ୟବେ।
-ପଣ୍ଡିତ ନାରାୟଣ, ହିତୋପଦେଶ, ମିତ୍ରଲାଭ
ସଂସ୍କୃତ ସାହିତ୍ୟରେ ‘ହିତୋପଦେଶ’ ଏକ ମହତ୍ତ୍ୱପୂର୍ଣ୍ଣ କୃତି। ଏହାର ଚାରିଟି ଭାଗ- ମିତ୍ରଲାଭ, ସୁହୃଦ୍ଭେଦ, ବିଗ୍ରହ ଓ ସନ୍ଧି। କେବଳ ଭାରତୀୟ କଥାସାହିତ୍ୟରେ ନୁହେଁ; ବିଶ୍ୱ କଥା ସାହିତ୍ୟରେ ମଧ୍ୟ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି।
‘ହିତୋପଦେଶ’ ଏକ ସଂଗ୍ରହାତ୍ମକ କଥାଗ୍ରନ୍ଥ ଏବଂ ଏହାର ସଂଗ୍ରାହକ ଓ ସଂକଳକ ପଣ୍ଡିତ ନାରାୟଣ। ‘ପଞ୍ଚତନ୍ତ୍ର’ ଓ ଅନ୍ୟାନ୍ୟ ଗ୍ରନ୍ଥ ଆଧାରରେ ସେ ଏହାର ସଂକଳନ କରିଛନ୍ତି।
ଉପରୋକ୍ତ ସୁଭାଷିତ ‘ମିତ୍ରଲାଭ’ର ଦ୍ୱିତୀୟ କଥାର ଅନ୍ତର୍ଗତ। ସେହି କଥାରେ କଙ୍କଣକୁ ଲୋଭ କରି ଜଣେ ପଥିକ କିପରି ଗଭୀର ପଙ୍କରେ ପଡ଼ି ବୃଦ୍ଧ ବ୍ୟାଘ୍ରଦ୍ୱାରା ପ୍ରାଣ ହରାଇ ଥିଲା, ତାହାର ବର୍ଣ୍ଣନା ଅଛି।
ଦକ୍ଷିଣାରଣ୍ୟର କଥା। ସେଠାରେ ବୃଦ୍ଧ ବ୍ୟାଘ୍ରଟିଏ ସ୍ନାନ କରି, ହାତରେ କୁଶ ଓ ସୁବର୍ଣ୍ଣ କଙ୍କଣ ଧରି, ଗୋଟିଏ ପୁଷ୍କରିଣୀରେ ବସି କହୁଥିଲା- “ହେ ପଥିକମାନେ, ଏହି ସୁବର୍ଣ୍ଣ କଙ୍କଣଟି ନିଅ।” ଜଣେ ପଥିକ “ଭାଗ୍ୟରେ ଥିଲେ ଏପରି କଙ୍କଣ ମିଳେ” ବୋଲି ବିଚାର କରି, ତାହାର ଲୋଭରେ ପୁଷ୍କରିଣୀରେ ପଶିବାରୁ ଦୁସ୍ତର ପଙ୍କରେ ପଡ଼ିଗଲା। ସେହି ସୁଯୋଗରେ ବୃଦ୍ଧବ୍ୟାଘ୍ର ତାକୁ ମାରି ଖାଇଲା।
ଏହି କାହାଣୀର ଅବତାରଣା କରି, ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଯେଉଁ ପ୍ରାଣୀ ଦ୍ୱାରା ଅନିଷ୍ଟର ଆଶଙ୍କା ଥାଏ, ତା’ଠାରୁ ଇଷ୍ଟଲାଭର ଆଶା ଥିଲେ ମଧ୍ୟ, ଶୁଭଫଳ ମିଳେ ନାହିଁ। କାରଣ, ଅମୃତ ବିଷରେ ମିଶିଲେ ମଧ୍ୟ ତାହାଦ୍ୱାରା ମୃତ୍ୟୁ ହୋଇଥାଏ। ଏଣୁ ‘କଙ୍କଣ ଲୋଭ’ ବା ଏପରି ଅନିଷ୍ଟକର ବ୍ୟକ୍ତିଙ୍କଠାରୁ କିଛି ପାଇବାର ଲୋଭ ତ୍ୟାଗ କରିବା ଉଚିତ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us