ଗଙ୍ଗାର ସମ ନାହିଁ ତୀର୍ଥ।
ଶିବରାତ୍ରିରୁ ନାହିଁ ବ୍ରତ ାା
- ଶିବରାତ୍ରି ବ୍ରତକଥା
ଓଡ଼ିଶାର ପ୍ରସିଦ୍ଧ ବ୍ରତକଥାଗୁଡ଼ିକ ମଧ୍ୟରୁ ‘ଶିବରାତ୍ରି ବ୍ରତକଥା’ ଅନ୍ୟତମ। ଏହାର ଅନ୍ୟନାମ ‘ଶିବଚତୁର୍ଦ୍ଦଶୀ ବ୍ରତ କଥା’। ପଦ୍ୟରେ ରଚିତ ଏହି ବ୍ରତକଥା ୧୯୧୦ ମସିହାରେ ପଣ୍ଡିତ ଗୋବିନ୍ଦ ରଥଙ୍କ ଦ୍ବାରା ପୁସ୍ତକ ରୂପେ ପ୍ରକାଶିତ ହୋଇଥିଲା। ପରେ ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ‘ଉତ୍କଳୀୟ ଗ୍ରନ୍ଥମାଳା (ଓଡ଼ିଆ)’ ଅନ୍ତର୍ଗତ ୪୭ତମ ଗ୍ରନ୍ଥରେ ସଂକଳିତ ହେଲା। ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପାଳିତ ହେଉଥିବା ଏହି ବ୍ରତ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଭୁବନେଶ୍ବରର ଲିଙ୍ଗରାଜ, କୋରାପୁଟର ଗୁପ୍ତେଶ୍ବର, ଢେଙ୍କାନାଳର କପିଳାସ, ଶରଣକୂଳର ଲଡ଼ୁବାବା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ଏହା ନିଷ୍ଠା ଓ ପବିତ୍ରତାର ସହିତ ପାଳିତ ହୋଇଥାଏ।
ବ୍ରତକଥା ଅନୁସାରେ, ହିମାଳୟରେ ଦିନେ ପାର୍ବତୀ ଶିବଙ୍କୁ ପଚାରିଲେ- ତାଙ୍କର ପ୍ରିୟ ବ୍ରତ କେଉଁଟି? ତାହାର ଉତ୍ତରରେ ଶିବ ତାଙ୍କୁ ଏହି ବ୍ରତର କଥା କହିଥିଲେ। ଶିବ ତାଙ୍କୁ କହିଲେ- ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀର ଯେଉଁ ତାମସୀ ରାତ୍ରି, ତାହାର ନାମ ଶିବରାତ୍ରି। ସେହି ତିଥିରେ ଯେ ଉପବାସ କରି ବିଧି ଅନୁସାରେ ବ୍ରତ କରେ, ତା’ ଉପରେ ଶିବ ପ୍ରସନ୍ନ ହୁଅନ୍ତି। ବ୍ରତକଥାର ଶେଷରେ ପାର୍ବତୀଙ୍କୁ ଶିବ ଏହି ବ୍ରତର ଫଳ କଥା କହିଛନ୍ତି। ତାହା ଅନୁସାରେ- ଯେପରି ଏ ସଂସାରରେ ଅଶ୍ବମେଧ ଯଜ୍ଞଠାରୁ ବଳି ଆଉ ଯଜ୍ଞ ନାହିଁ; ଯେପରି ଗଙ୍ଗାଠାରୁ ବଳି ଆଉ ତୀର୍ଥ ନାହିଁ; ସେହିପରି ଶିବରାତ୍ରି ବ୍ରତଠାରୁ ବଳି ଆଉ ବ୍ରତ ନାହିଁ। ଏଣୁ, ଅଶ୍ବମେଧ ଯେପରି ଶ୍ରେଷ୍ଠ ଯଜ୍ଞ, ଗଙ୍ଗା ଯେପରି ଶ୍ରେଷ୍ଠ ତୀର୍ଥ, ସେହିପରି ଶିବରାତ୍ରି ଶ୍ରେଷ୍ଠ ବ୍ରତ।
Follow Us