ଗ୍ରୀଷ୍ମ ପର୍ଯ୍ୟଟନ: ପ୍ରକୃତିର ଗୁପ୍ତରତ୍ନ

ଯଦିଓ ଭୂସ୍ବର୍ଗ ଭାବେ କଶ୍ମୀର ସର୍ବଜନବିଦିତ, କିନ୍ତୁ ଦେଶର ଅନ୍ୟ କେତେକ ରାଜ୍ୟରେ ଏପରି ମନୋରମ ସ୍ଥାନ ରହିଛି, ଯାହା ଆପଣଙ୍କୁ ଭୂସ୍ବର୍ଗ ଅନୁଭୂତି ଦେଇପାରେ! ପ୍ରକୃତିର ‘ଗୁପ୍ତ ରତ୍ନ’ ଭାବେ ଅଭିହିତ ହିମାଚଳ ପ୍ରଦେଶର ସ୍ପୀତି ଉପତ୍ୟକା ସଂପର୍କରେ କିଞ୍ଚିତ୍‌।

WRT

ଯଦିଓ ଭୂସ୍ବର୍ଗ ଭାବେ କଶ୍ମୀର ସର୍ବଜନବିଦିତ, କିନ୍ତୁ ଦେଶର ଅନ୍ୟ କେତେକ ରାଜ୍ୟରେ ଏପରି ମନୋରମ ସ୍ଥାନ ରହିଛି, ଯାହା ଆପଣଙ୍କୁ ଭୂସ୍ବର୍ଗ ଅନୁଭୂତି ଦେଇପାରେ! ପ୍ରକୃତିର ‘ଗୁପ୍ତ ରତ୍ନ’ ଭାବେ ଅଭିହିତ ହିମାଚଳ ପ୍ରଦେଶର ସ୍ପୀତି ଉପତ୍ୟକା ସଂପର୍କରେ କିଞ୍ଚିତ୍‌। ଭାରତର ମଧ୍ୟଭୂମି ଭାବେ ବିଦିତ ହିମାଚଳ ପ୍ରଦେଶର ସ୍ପୀତି ଉପତ୍ୟକା ଭାରତ ଓ ତିବ୍ବତ ମଧ୍ୟରେ ଗୁଞ୍ଜିହୋଇ ରହିଛି। କେବଳ ଗୋଟିଏ ଶୈଳନିବାସ ନୁହେଁ, ଏହା ଆତ୍ମମଗ୍ନ ଦୁନିଆଟିଏ। ସ୍ପୀତିର ଚିରହରିତ୍‌ ଅରଣ୍ୟ କୋଳରେ ଥିବା ନିଭୃତ ଗ୍ରାମ, ଶାନ୍ତସ୍ନିଗ୍‌ଧ ବୌଦ୍ଧାଶ୍ରମ ଓ ନୀଳ ଆକାଶକୁ ସ୍ପର୍ଶ କରୁଥିବା ପର୍ବତମାଳା ଦେଖଣାହାରିକୁ ପ୍ରକୃତି ସହିତ ଏକାକାର କରିଦିଏ। ସ୍ପୀତିରେ ପହଞ୍ଚିବାକୁ ଦୁଇଟି ମୁଖ୍ୟ ପଥ ରହିଛି- ଗୋଟିଏ ଶିମ୍‌ଲାରୁ ଏବଂ ଆରଟି ମନାଲିରୁ। ନିକଟତର ହେଲେ ବି ଶିମ୍‌ଲାରୁ ଗଲେ ନଦନଦୀ ପ୍ରବାହିତ ସଂକୀର୍ଣ୍ଣ ପାର୍ବତ୍ୟ ପଥ ଦେଇ ଯିବାକୁ ପଡ଼େ। କିନ୍ତୁ, ମନାଲିରୁ ବାହାରିଲେ ସବୁଜିମା ପରିବେଶ ଓ ସୁନ୍ଦର ରାସ୍ତା ଦେଇ ସେଠାରେ ପହଞ୍ଚି ହୁଏ। ମାତ୍ର ଯାତ୍ରା ପଥ ଅପେକ୍ଷାକୃତ ଦୀର୍ଘତର। ଆଉ ସେଠାରେ ରହିବା ଲାଗି ଗେଷ୍ଟହାଉସ୍‌ ଥିଲେ ହେଁ ‌େହାମ୍‌ ‌ଷ୍ଟେ ସୁବିଧାକୁ ପର୍ଯ୍ୟଟକ ଆପଣାଇପାରି‌ବେ। ସର୍ବୋପରି ସ୍ଥାନୀୟ ଅଧିବାସୀଙ୍କ ବ୍ୟବହାର ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ।

ବର୍ତ୍ତମାନ ଆମ ଏଠାରେ ତାମମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ସେଠାରେ ଦିନର ତାପମାତ୍ରା ବିଯୁକ୍ତ ୪ ଡିଗ୍ରି ରହିଛି। ମେ’ରୁ ଅକ୍ଟୋବର ମଧ୍ୟରେ ସ୍ପୀତି ଗସ୍ତ ସବୁଠାରୁ ଅଧିକ ସୁଖପ୍ରଦ। ଏ ସମୟରେ ବାଟଘାଟ ସବୁ ଉନ୍ମୁକ୍ତ ରହିବା ସହିତ ପାଗ ବି ଅନୁକୂଳ ଥାଏ। କିନ୍ତୁ, ଶୀତଋତୁରେ ଏହି ଉପତ୍ୟକାର ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରିକୁ ଖସିଆସିବା ସହିତ ଚାରିଆଡ଼ ତୁଷାରମୟ ହୋଇଯାଏ। ଅଧିକାଂଶ ବାଟଘାଟ ବି ଅବରୋଧ ହୋଇଯାଇଥାଏ। ସ୍ପୀତି ଗୋଟାଏ ବିସ୍ମୟଭରା ଉପତ୍ୟକା। ଏଠାକାର ପ୍ରତ୍ୟେକ ଗ୍ରାମ ଓ ପ୍ରାକୃତିକ ଦୃଶ୍ୟର ନିଜସ୍ବ ଇତିବୃତ୍ତ ରହିଛି। ସ୍ପୀତିର ମଧ୍ୟସ୍ଥଳରେ ଅବସ୍ଥିତ କ୍ଷୁଦ୍ର ସହର କାଜା ଖୁବ୍‌ ସୁନ୍ଦର। ଏଠାରେ ବଢ଼ିଆ କାଫେ ଓ ହସ୍ତଶିଳ୍ପ ବଜାର ରହିଛି। ଏଠାରୁ ସ୍ବର୍ଗୀୟ ସୁଷମା ବିମଣ୍ଡିତ ସ୍ଫଟିକ-ସ୍ବଚ୍ଛ ଜଳଭରା ଚନ୍ଦ୍ରତାଲ୍‌ ହ୍ରଦ ଦେଖିବାକୁ ଯାଇହେବ। ସେହିପରି ପର୍ବତ ଉପରେ ଅବସ୍ଥିତ ଚିତ୍ର ସଦୃଶ ଦିଶୁଥିବା ସ୍ପୀତିର ବୃହତ୍ତମ ବୌଦ୍ଧପୀଠ ଓ ପ୍ରାଚୀନ ‘କି ମନେଷ୍ଟ୍ରି’ ବୁଲି ପ୍ରାର୍ଥନାରତ ବୌଦ୍ଧଭିକ୍ଷୁମାନଙ୍କ ଦର୍ଶନ କରିହେବ। ‘ଧନକଡ଼ ମନେଷ୍ଟ୍ରି’ ନାମରେ ଆଉ ଗୋଟାଏ ବୌଦ୍ଧପୀଠକୁ ଯାଇ ଉପତ୍ୟକାର ସାମଗ୍ରିକ ଦୃଶ୍ୟ ଉପଭୋଗ କରିହେବ। ଏଠାରେ ଥିବା ସହସ୍ର ବର୍ଷ ପୁରାତନ ‘ତାବୋ ମନେଷ୍ଟ୍ରି’ ବି ଦେଖିଲା ଭଳି ସ୍ଥାନଟିଏ। କିନ୍ତୁ, ଏସବୁ କେବଳ ଧାର୍ମିକ ପୀଠ ନୁହେଁ; ଶାନ୍ତିପ୍ରଦ ସ୍ଥାନ ମଧ୍ୟ। ପ୍ରକୃତିପ୍ରେମୀଙ୍କ ଅମରାବତୀ କୁହାଯାଉଥିବା ‘ପିନ୍‌ ଜାତୀୟ ଉଦ୍ୟାନ’ ବି କମ୍‌ ଆକର୍ଷଣୀୟ ନୁହେଁ। ଏହା ତୁଷାର କଲରାପତ୍ରିଆ ଓ ଅନ୍ୟାନ୍ୟ ଦୁର୍ଲଭ ବନ୍ୟପ୍ରାଣୀଙ୍କ ବାସସ୍ଥଳୀ।

ସ୍ଫୀତିର ଲାଙ୍ଗ୍‌ଜା ଗ୍ରାମ ବିଶାଳ ବୁଦ୍ଧ ପ୍ରତିମା ପାଇଁ ବିଖ୍ୟାତ। ଏହାଛଡ଼ା ଟ୍ରେକିଙ୍ଗ୍‌ରେ ଯାଇ ହିକ୍କଲ୍‌ଠାରେ ବିଶ୍ବର ଉଚ୍ଚତମ ଡାକଘରେ ମଧ୍ୟ ପହଞ୍ଚିହେବ। ସେଠାରେ ରହି ପରିବାରବର୍ଗଙ୍କୁ ପୋଷ୍ଟ୍‌କାର୍ଡରେ ଚିଠି ଖଣ୍ଡେ ଲେଖିବାର ବିଶେଷ ଅନୁଭୂତି ବି ହାସଲ କରିହେବ। ଯାହା ପରବର୍ତ୍ତୀ ସମୟରେ ସାଇତା ସ୍ମୃତିଟିଏ ହୋଇ ରହିବ। ସ୍ପୀତି ବୁଲିବା ଲାଗି ଆପଣଙ୍କୁ ମୁଣ୍ଡପିଛା ୧୫,୦୦୦ରୁ ନେଇ ୫୦,୦୦୦ ମଧ୍ୟରେ ଖର୍ଚ୍ଚ ହୋଇପାରେ। ବିଭିନ୍ନ ଟୁର୍‌ ଅପରେଟର୍‌ଙ୍କ ପାଖେ ଭିନ୍ନ ଭିନ୍ନ ପ୍ୟାକେଜ୍‌ ଉପଲବ୍ଧ ରହିଛି। ସ୍ପୀତି ବାସିନ୍ଦାମାନେ ପ୍ରକୃତରେ ରତ୍ନ ସଦୃଶ। ପ୍ରକୃତି ସଙ୍ଗେ ସହାବସ୍ଥାନ କରି ସେମାନେ ଅତି ସରଳ ଜୀବନଯାପନ କରନ୍ତି। ସେମାନେ ବୌଦ୍ଧ ଧର୍ମାବଲମ୍ବୀ ଏବଂ ନାନାଦି ପର୍ବପର୍ବାଣି ଖୁବ୍‌ ଆନନ୍ଦ ଉତ୍ସାହ ସହକାରେ ପାଳନ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe