ଓଡ଼ିଆ ମନୋରଞ୍ଜନ ଶିଳ୍ପର ପ୍ରତିଭାବାନ୍ କଳାକାରମାନଙ୍କ ଅକାଳ ବିୟୋଗ ଓଲିଉଡ୍କୁ ସ୍ତବ୍ଧ କରିଛି। ହଜାର ହଜାର ଗୀତ ଗାଇ ନିଜର ସୁମଧୁର କଣ୍ଠସ୍ବରରେ ଓଡ଼ିଆ ଶ୍ରୋତାଙ୍କ ହୃଦୟ ଜିଣିଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବରାବଦ୍ଧ ଜୀବନର ଆକସ୍ମିକ ଅବସାନ ପୂରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଓଡ଼ିଆ ସଂଗୀତାକାଶର ଦୀପ୍ତିମାନ୍ ସୂର୍ଯ୍ୟ ହ୍ୟୁମାନ୍ ଅବେଳରେ ଅସ୍ତ ହୋଇଯାଇଛନ୍ତି। ମାତ୍ର ୩୬ ବର୍ଷ ବୟସରେ ସେ ରୋଗ ସହ ଲଢୁଥିବା ବେଳେ ହାରିଯାଇଛନ୍ତି। ତାଙ୍କ ମନଜିଣା କଣ୍ଠରୁ ଜନ୍ମହେବାକୁ ଥିବା ହଜାର ହଜାର ଗୀତର ବି ମୃତ୍ୟୁ ହୋଇଛି! କେବଳ ସେତିକି ନୁହେଁ, ତାଙ୍କ ସ୍ରଷ୍ଟାମାନସରୁ ସୃଷ୍ଟି ହେବାକୁ ଥିବା ଅଗଣିତ ସ୍ବର ବି ନେଇଛନ୍ତି ସମାଧି। ହ୍ୟୁମାନ୍ଙ୍କ ଅକାଳ ବିୟୋଗ ଆହୁରି ଅନେକ କଳାକାରଙ୍କ ସ୍ମୃତିକୁ ଉଜ୍ଜୀବିତ କରେ, ଯେଉଁମାନେ ଅବେଳରେ ଅଫେରା ରାଇଜକୁ ବାହୁଡ଼ି ଯାଇଛନ୍ତି। ନିୟତିର ଖେଳ ଆଗରେ ହାରିଯାଇଛନ୍ତି।
ଏବେ ବି ବଞ୍ଚିଛି ଅନନ୍ତା
ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଚଳଚ୍ଚିତ୍ର ପରଦାକୁ ଆସିବା ପରେ ବହୁଦର୍ଶକ ମନେପକାଇଥିଲେ ପିଣ୍ଟୁଙ୍କୁ। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ କାହାଣୀ ‘ରାଣ୍ଡିପୁଅ ଅନନ୍ତା’କୁ ନେଇ ନିର୍ମିତ ଟେଲିଫିଲ୍ମରେ ଅନନ୍ତା ଚରିତ୍ରରେ ସେ ଖୁବ୍ ଚମତ୍କାର ଅଭିନୟ କରିଥିଲେ। ହେଲେ ପିଣ୍ଟୁ ଆଜି କେବଳ ଆମ ସ୍ମୃତିରେ ଆବଦ୍ଧ। ନିଜେ ହସି ଦର୍ଶକଙ୍କୁ ହସାଇବା କଳାରେ ନିପୁଣ ପିଣ୍ଟୁ ନନ୍ଦ ମାତ୍ର ୪୫ ବର୍ଷ ବୟସରେ ରୋଗ ସହିତ ଲଢ଼େଇରେ ହାରିଯାଇଥିଲେ। ୨୦୨୩ ମସିହା ମାର୍ଚ୍ଚ ୨ ତାରିଖରେ ଓଡ଼ିଶାବାସୀଙ୍କ ଆଖିର ଲୁହ ହୋଇ ସେ ଝରିଗଲେ। ଗୁରୁତର ଲିଭର୍ସିରୋସିସ୍ରେ ଦୀର୍ଘଦିନ ଧରି ପୀଡ଼ିତ ଥିବା ପିଣ୍ଟୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଭଲପାଉଥିବା ହଜାର ହଜାର ପ୍ରଶଂସକଙ୍କର ସକଳ ପ୍ରାର୍ଥନା ସତ୍ତ୍ବେ ଆଖିବୁଜିଦେଲେ। ହାସ୍ୟ, ଚରିତ୍ର ଓ ଖଳନାୟକୀ ଆଦି ସବୁ ବର୍ଗରେ ମନଛୁଆଁ ଅଭିନୟ କରୁଥିବା ପିଣ୍ଟୁ ଶେଷରେ ଅକାଳରେ ଚାଲିଗଲେ।
ଲିଭର୍ସିରୋସିସ୍ରେ ଆକ୍ରାନ୍ତ ପିଣ୍ଟୁଙ୍କର ଲିଭର୍ ନଷ୍ଟ ହୋଇଯାଇଥିଲା। ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପିଣ୍ଟୁଙ୍କୁ ପ୍ରଥମେ ନୂଆଦିଲ୍ଲୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ୍ ବାଇଲିଆରି ସାଇନ୍ସ (ଆଇଏଲ୍ବିଏସ୍)କୁ ଚିକିତ୍ସା ଲାଗି ନିଆଯାଇଥିଲା। ସେଠାରେ ଲିଭର୍ ପ୍ରତିରୋପଣ ଲାଗି ଡୋନର୍ ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଅଣାଗଲା। ଲିଭର୍ ପ୍ରତିରୋପଣ ପାଇଁ ଦରକାର ଥିଲା ୫୦ ଲକ୍ଷ ଟଙ୍କା। ଜଣେ କଳାକାର ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟକର ଥିଲା। ଆର୍ଥିକ ସମସ୍ୟା ଯୋଗୁଁ ବିଳମ୍ବ ହେଲା ଚିକିତ୍ସା। ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ଓଡ଼ିଶାର ସ୍ଥାନେ ସ୍ଥାନେ ଦୀପ ଜଳିଲା, ମନ୍ଦିରରେ ପ୍ରାର୍ଥନା ହେଲା, ଓଲିଉଡ୍ର ଅନେକ କଳାକାର ସହାୟତାର ହାତ ବଢ଼ାଇଲେ। କିନ୍ତୁ ଶେଷରେ ସବୁ ସାହାଯ୍ୟ, ସମର୍ଥନ ଓ ପ୍ରାର୍ଥନା ନିଷ୍ଫଳ ହୋଇଥିଲା।
ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ପିଣ୍ଟୁ। ଯଦିଓ ‘କୋଇଲି’ ଚଳଚ୍ଚିତ୍ର ଜରିଆରେ ସେ ଓଲିଉଡ୍ରେ ପାଦ ଦେଇଥିଲେ କିନ୍ତୁ୨୦୦୬ରେ ମୁକ୍ତିଲାଭ କରିଥିବା ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଆଲବମ୍ ଗୀତ ‘ଏ ଗଉରା...’ରେ ଅଭିନୟ କରି ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ପିଣ୍ଟୁ ତାଙ୍କ ଅଭିନୟ ଜୀବନରେ ‘ରଙ୍ଗ୍ ନମ୍ବର୍’, ‘ପ୍ରେମଋତୁ ଆସିଲାରେ’, ‘ଦୋସ୍ତି’, ‘ହାତଧରି ଚାଲୁ ଥା’ ‘ରାମ ଲକ୍ଷ୍ମଣ’, ‘ତୋ ଆଖି ମୋ ଆଇନା’, ‘ବାହୁଡ଼ିବେ ମୋ ଜଗା ବଳିଆ’, ‘ଓ ମାଇଁ ଲଭ୍’, ‘ଆଇ ଲଭ୍ ୟୁ’, ‘ପ୍ରେମ ରୋଗୀ’, ‘ଜୟ ଜଗନ୍ନାଥ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ମିତରେ ମିତ’, ‘ମୁଁ କ’ଣ ଏତେ ଖରାପ’, ‘ସ୍ୱୟଂସିଦ୍ଧା’, ‘ପହିଲି ରଜ’, ‘ପ୍ରେମ ଅଢ଼େଇ ଅକ୍ଷର’, ‘ଦୋସ୍ତି’, ‘ଶପଥ’, ‘ଗୁଡ୍ ବୟ’, ‘ଲଭ୍ ମାଷ୍ଟର’, ‘ହରି ଓମ ହରି’, ‘ଡାହା ବାଳୁଙ୍ଗା’, ‘ସୁନା ପିଲା ଟିକେ ସ୍କୃ ଢିଲା’ ଆଦି ବହୁ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ।
ମନେପଡ଼ନ୍ତି ଅଳକା
ଓଡ଼ିଆ ଧାରାବାହିକରେ ଖଳନାୟିକା ଚରିତ୍ର କଥା ଚର୍ଚ୍ଚା ହେଲେ ଆଜି ବି ମନରେ ଭାସିଉଠେ ରାଜେଶ୍ବରୀଙ୍କ ମୁହଁ! ମନଜିଣା ଅଭିନୟ ସାଙ୍ଗକୁ ଦମଦାର୍ ସଂଳାପ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲେ ସେ। ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍କୁମ୍’, ‘ଉଆଁସୀ କନ୍ୟା’, ‘ତୋ ପାଇଁ ମୁଁ’ ଆଦି ଧାରାବାହିକରେ ତାଙ୍କର ଅଭିନୟ ଥିଲା ଚମତ୍କାର। ‘ଉଆଁସୀ କନ୍ୟା’ର ଅଳକା ଚରିତ୍ର ପାଇଁ ସେ ବେଶ୍ ଲୋକପ୍ରିୟ। ଯେତେବେଳେ ସେ ଟିଭି ପରଦାରେ ଦର୍ଶକଙ୍କ ପ୍ରିୟ କଳାକାର ଭାବେ ଝଟକୁଥିଲେ ଠିକ୍ ସେତିକି ବେଳେ ଦର୍ଶକଙ୍କ ପାଖରୁ କର୍କଟ ଛଡ଼ାଇ ନେଲା ତାଙ୍କୁ। ମାତ୍ର ୩୭ ବର୍ଷ ବୟସରେ ୨୦୨୨ ଜୁଲାଇ ୨୦ ତାରିଖରେ ସେ ସବୁଦିନ ପାଇଁ ଆଖି ବୁଜିଦେଲେ। ୨୦୧୯ ମସିହାରେ ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହେଲେ ରାଜେଶ୍ବରୀ ରାୟ ମହାପାତ୍ର। ହେଲେ ଭୟ ନକରି କର୍କଟ ସହ ଲଢ଼ିଥିଲେ ସେ। ଚିକିତ୍ସା ସହିତ ଅଭିନୟ ବି ଜାରି ରଖିଥିଲେ। ଜୀବନକୁ ମନଭରି ଉପଭୋଗ କରୁଥିଲେ। ଗଭୀର ଆତ୍ମବିଶ୍ବାସର ସହ କହୁଥିଲେ, କର୍କଟ ହାରିବ, ଜୀବନ ଜିତିବ। ଅନ୍ୟ କର୍କଟ ପୀଡ଼ିତଙ୍କୁ ସାହସ ବି ଦେଉଥିଲେ। ଏସବୁ ପରେ ସେ ହାରିଗଲେ ଜୀବନଯୁଦ୍ଧରେ।
ରାଜେଶ୍ବରୀ ପ୍ରଥମେ ଟେଲିଭିଜନ୍ ଓ ମଞ୍ଚରେ ଉପସ୍ଥାପନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ। ୨୦୦୮ ମସିହାରେ ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ପରେ ସେ ‘ଆରେ ସାଥୀ ଆ’ ଓ ‘ବ୍ଲାକ୍ମେଲ୍’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏକ ଛୋଟ ଜୀବନରେ ସେ ଦର୍ଶକଙ୍କ ଉପରେ ବଡ଼ ଛାପ ଛାଡ଼ିଯାଇଛନ୍ତି।
ଅଧାସପନରେ ଶୋଇଗଲେ ସୌଦାଗର
‘ମୁଁ ସପନର ସୌଦାଗର’ ଗୀତ କାନରେ ବାଜିଲେ ମନେପଡ଼ନ୍ତି ଓଡ଼ିଆ ସଂଗୀତ ଦୁନିଆର ଅନ୍ୟତମ ଉଜ୍ଜ୍ବଳ ତାରକା ଶାନ୍ତିରାଜ୍ ଖୋସଲା। ‘ଧନରେ ରଖିବୁ ଶପଥ ମୋର’, ‘ତୋ ବିନା ମୋ କାହାଣୀ ଅଧା’ ଓ ‘ମତେ ଆଣିଦେବ ଲକ୍ଷେ ଫଗୁଣ’ ପରି ଚର୍ଚ୍ଚିତ ସିନେମାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ଏହି ସଫଳ ସ୍ରଷ୍ଟା ମାତ୍ର ୫୫ ବର୍ଷ ବସୟରେ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଶାନ୍ତିରାଜ୍ ଜଣେ ଗିଟାର୍ ବାଦକ ଭାବେ ସଂଗୀତ ଦୁନିଆରେ ପାଦ ଥାପିଥିଲେ। ଜନ୍ମସ୍ଥାନ ଜୟପୁରରୁ ସଂଗୀତ ଯାତ୍ରା ଆରମ୍ଭ କରି ପରବର୍ତ୍ତୀ ସମୟରେ କଟକ ଆସି ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମରୁ କିଛି ଭଜନ ଆଲ୍ବମ୍ର ନିର୍ଦ୍ଦେଶନା ଦେଇ ୨୦୦୬ରେ ସେ ‘ରଙ୍ଗ୍ ନମ୍ବର୍’ ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ । ତା’ପରେ ସେ କୋଡ଼ିଏରୁ ଅଧିକ ସିନେମା ଓ ଦୁଇହଜାରରୁ ଅଧିକ ଅାଲ୍ବମ୍ ଗୀତରେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି। ବିଧିର ବିଧାନ ଥିଲା ଭିନ୍ନ। ସଫଳତାର ଶିଡ଼ି ଚଢୁଥିବା ବେଳେ ବାହୁଡ଼ିଗଲେ ଶାନ୍ତିରାଜ। ୨୦୨୧ ମେ ୧୯ ତାରିଖରେ କରୋନା ଆକ୍ରାନ୍ତହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିହେଲେ। ଡାକ୍ତରମାନେ ଶତଚେଷ୍ଟା କରି ବି ତାଙ୍କୁ ବଞ୍ଚାଇ ପାରିଲେନାହିଁ। ମେ ୨୭ ତାରିଖ ଦିନ ଶେଷ ନିଃଶ୍ବାସ ତ୍ୟାଗ କଲେ।
ସଞ୍ଜ ନଇଁଗଲା, ଫେରିଲେନି ତପୁ
‘କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି, ହେଲେ ସଞ୍ଜ ନଇଁଯିବ ଭାବିନଥିଲି...’ ଗୀତଟିକୁ ଯେପରି ନିଜ ପାଇଁ ଗାଇଥିଲେ ତପୁ ମିଶ୍ର। ଶହ ଶହ ଲୋକପ୍ରିୟ ଗୀତ ଗାଇ ସେ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ନିଜର ଘରଟିଏ ଗଢ଼ିଥିଲେ। ୧୯୯୫ ମସିହାରେ ‘କୁଳନନ୍ଦନ’ ଜରିଆରେ ସିନେସଂଗୀତରେ ପାଦ ରଖିଥିବା ତପୁ ୨୦୦୪ରେ ‘ଆଇ ଲଭ୍ ୟୁ’ ଚଳଚ୍ଚିତ୍ରରେ ‘ନା’ରେ ନା ବଜାନା ବଂଶୀ...’ ଗୀତ ଗାଇ ଓଲିଉଡ୍ରେ ରାତାରାତି ସଫଳତା ପାଇଥିଲେ। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଶ୍ରୋତାଙ୍କୁ ଉପହାର ଦେଇଚାଲିଥିଲେ। ନିଜର ବୀଣାଜିଣା ସ୍ବରରେ ଶ୍ରୋତା ମନକୁ ଆଖିପିଛୁଳାକେ ଜିତି ନେଉଥିବା ତପୁ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ। ମହାମାରୀ କରୋନା ତାଙ୍କୁ କବଳିତ କରିବାପରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ହୋଇ କରୋନା ନେଗେଟିଭ୍ ହୋଇଥିଲେ ସତ, କିନ୍ତୁ ଫୁସ୍ଫୁସ୍ ସଂକ୍ରମଣର ଶିକାର ହେଲେ। ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ମୃତ୍ୟୁ ସହ ସଂଘର୍ଷ କରି ୨୦୨୧ ମସିହା ଜୁନ୍ ୧୯ ତାରିଖରେ ମାତ୍ର ୩୬ ବର୍ଷ ବୟସରେ ଚିରଦିନ ଲାଗି ନିରବୀ ଗଲେ ତପୁ।
ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ତପୁଙ୍କ ଶ୍ରଦ୍ଧାନାମ ଥିଲା ଧୃତିତପା। ମାତ୍ର ୧୫ ବର୍ଷ ବୟସରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରେ ମହାଶ୍ବେତାଙ୍କ ପାଇଁ କଣ୍ଠ ଦାନକରି ସେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ତପୁ ଚାରିଥର ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ଅଧାରେ ଲିଭିଗଲା ଦୀପାଙ୍କ
ଜୀବନ ଦୀପ
‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି’ ଗୀତ ବାଜିଲେ ଆଜି ବି ନାଲି ରଂଗର ଓଢ଼ଣି ପକାଇଥିବା ଝିଅ ଟିକେ ଲାଜେଇ ଯାଆନ୍ତି। କିଏ ଜାଣିଥିଲା ‘ଝିଅ ମୁଁ ମେଡ୍ ଇନ୍ ଓଡ଼ିଶା’ କହି ଠୁମ୍କୀ ମାରୁଥିବା ସଭିଙ୍କ ପ୍ରିୟ ଅଭିନେତ୍ରୀ ଅତି କଞ୍ଚା ବୟସରେ ଦିନେ ଓଡ଼ିଶା କ’ଣ ପୂରା ଦୁନିଆରୁ ହିଁ ବିଦାୟ ଦେଇ ଚାଲିଯିବେ!
ଗର୍ଭାଶୟ କର୍କଟ ଆକ୍ରାନ୍ତ ହୋଇ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ଫେରିଥିଲେ ସେ। କିନ୍ତୁ ୨୦୨୦ ମସିହାରେ ଘାତକ ସାଜିଲା କରୋନା ଲକ୍ଡାଉନ୍। ତୃତୀୟ ପର୍ଯ୍ୟାୟ କର୍କଟରେ ଘାରିହେଉଥିବା ଆଲ୍ବମ୍ ନାୟିକା ଦୀପା ସାହୁ ଆଉ ବାହାରକୁ ଯାଇପାରିଲେ ନାହିଁ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେତେକ ଅଭିନେତାଙ୍କ ସହଯୋଗରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଆର୍ଥିକ ସଙ୍କଟ ଉପୁଜିବାରୁ ଅନେକ ସହାୟତାର ହାତ ବି ବଢ଼ିଲା। ହେଲେ ସବୁ ଉଦ୍ୟମକୁ ବ୍ୟର୍ଥକରି ୨୦୨୦ ମସିହା ଜୁଲାଇ ୨୭ ତାରିଖରେ ମାତ୍ର ୩୭ ବର୍ଷ ବୟସରେ ଆଖି ବୁଜିଦେଲେ ଆଲ୍ବମ୍ କୁଇନ୍। ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’,‘ଏକଡ଼ା ଏକଡ଼ା ରା’ ଭଳି ହିଟ୍ ଗୀତରେ ଅଭିନୟକରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ ଦୀପା। ‘ନାରୀ ଆଖିରେ ନିଆଁ’, ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ ଓ ‘କଲେଜ୍ ଟାଇମ୍’ ପରି ସିନେମାରେ ମଧ୍ୟ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ତାଙ୍କ ଅଭିନୟ ବେଶ୍ ଚର୍ଚ୍ଚିତ ଥିଲା।
ଉଦୟ ହେଉ ହେଉ ଅସ୍ତ
ଏସିପି ନିକିତା
ଅନେକ ପ୍ରତିଶ୍ରୁତି ନେଇ ଅଭିନୟ ଦୁନିଆକୁ ଆସିଥିଲେ ଲକ୍ଷ୍ମୀପ୍ରିୟା ବେହେରା (ନିକିତା)। କିନ୍ତୁ ଉଦୟ ହେଉ ହେଉ ଅସ୍ତ ହୋଇଗଲେ ସେ। ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ନିକିତାଙ୍କ ଅକାଳ ବିୟୋଗ ବି ଥିଲା ଆକସ୍ମିକ। ‘ଏସିପି ନିକିତା’ ଓ ‘ତପସ୍ୟା’ ଭଳି ଧାରାବାହିକ ଏବଂ ଓଡ଼ିଆ ସିନେମା ‘ତୁ ମୋ ଆଖିର ତାରା’ ଓ ‘ଚୋରି ଚୋରି ମନଚୋରି’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଥିଲେ। ୨୦୧୯ ମସିହା ଜାନୁଆରି ୫ ତାରିଖରେ କଟକରେ ଘର ଛାତରୁ ଖସିପଡ଼ିବା ପରେ ନିକିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବାଉନରେ ବାହୁଡ଼ିଗଲେ
ପରଦାରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରୁଥିବା ଅଭିନେତା ସଲିଲ୍ ମିତ୍ର ବି ଅବେଳରେ ଅଫେରା ରାଇଜକୁ ଚାଲିଯିବାକୁ ଗ୍ରହଣକରି ପାରି ନଥିଲେ ଓଡ଼ିଆ ଦର୍ଶକ। କାର୍ରେ ଭୁବନେଶ୍ବରରୁ ତାଙ୍କ ଘର କରଞ୍ଜିଆକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ସେ। ଶୁଭେଚ୍ଛୁମାନଙ୍କ ଶତପ୍ରାର୍ଥନା ସତ୍ତ୍ବେ ୨୦୧୯ ମସିହା ଜୁନ୍ ୪ ତାରିଖରେ ସବୁଦିନ ପାଇଁ ସେ ଶୋଇଗଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ଲୋକପ୍ରିୟ ଧାରାବାହିକ ‘ବଡ଼ ଘର ବଡ଼ ଗୁମର କଥା’ରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ପୁଅ ଭାଙ୍ଗିଦେଲା ସୁନାସଂସାର’। ଏହାପରେ ସେ ଓଲିଉଡ୍ର ଅଧିକାଂଶ ନାମୀଦାମୀ ନିର୍ଦ୍ଦେଶକଙ୍କ ୫୦ରୁ ଊର୍ଦ୍ଧ୍ବ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ, ଓଲିଉଡ୍ର ସବୁ ସଫଳ ନାୟକ-ନାୟିକାଙ୍କ ସହ ବି ଅଭିନୟ କରିଛନ୍ତି ସଲିଲ୍ ମିତ୍ର।
ମନେପଡ଼ନ୍ତି ମୀନକେତନ
ସିନେମା, ଧାରାବାହିକ ଓ ମଞ୍ଚ, ଅଭିନୟର ସମସ୍ତ ବିଭାଗରେ ସେ ଥିଲେ ଦକ୍ଷ। ଆଉ ଚରିତ୍ରକୁ ଏମିତି ନିଭାଉ ଥିଲେ ଯେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ। ପୁଣି ଗୁଡ଼ାଖୁ ଛେପ ପକାଇ ପକାଇ ସେ କହୁଥିବା ସଂଳାପ ଶୁଣି ଖିଲି ଖିଲି ହସରେ କୁରୁଳି ଉଠନ୍ତି ଦର୍ଶକ। ବଡ଼ ପରଦାରେ ତାଙ୍କ ଖଳନାୟକୀ ଦେଖି ସେ ହିଁ ଓଲିଉଡ୍କୁ ସମ୍ଭାଳିନେବେ ବୋଲି ଦର୍ଶକ ଆଶା ବାନ୍ଧିଲା ବେଳକୁ ସେ ପଡ଼ି ଯାଇଥିଲେ କର୍କଟ ଯନ୍ତାରେ। ରୋଗ ସହ ଲଢ଼ି ଲଢ଼ି ୨୦୧୭ ମସିହା ଜୁନ୍ ୩୦ ତାରିଖରେ ମାତ୍ର ୫୫ ବର୍ଷ ବୟସରେ ଦର୍ଶକଙ୍କୁ ନିରାଶକରି ଚିରନିଦ୍ରାରେ ଶୋଇଗଲେ ମୀନକେତନ ଦାସ। ଅଭିନେତା, ହାସ୍ୟାଭିନେତା ଓ ଖଳନାୟକ ଆଦି ସବୁ ଧରଣର ଚରିତ୍ରକୁ ନ୍ୟାୟ ଦେଇ ପାରୁଥିବା ମୀନକେତନ ୧୯୯୬ରେ ‘ନୀଳମାଷ୍ଟ୍ରାଣୀ’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ପରେ ୧୯୯୮ରେ ‘ଗଙ୍ଗଶିଉଳି’ରେ ତାଙ୍କ ଖଳନାୟକୀ ଦେଖି ଦର୍ଶକ ଚମତ୍କୃତ ହୋଇଯାଇଥିଲେ। ‘ସିନ୍ଦୂର ନୁହେଁ ଖେଳଘର’, ‘ଧର୍ମନିକିତି’, ‘ଥୁକୁଲ୍’, ‘ବାଳୁଙ୍ଗା ଟୋକା’, ‘ଦିୱାନା ଦିୱାନୀ’, ‘ମାଇଁ ଲଭ୍ଷ୍ଟୋରି’ ଆଦି ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେ।
ସୁନା ଦୂବରେ ଶୋଇଗଲେ ସରୋଜ
‘କେରି କେରି ସୁନା ଦୂବ’, ‘ତୋ ଆଗରେ କିଛି ଧୂପ’, ‘ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ’, ‘ମୁଁ ତ ବଡ଼ ଦେଉଳର ପାରା’, ‘ଛଅଖଣ୍ଡ କାଠରେ ହେବ ସବାରି’, ‘କଳା ଠାକୁର ମୋ କଳା ଠାକୁର’, ‘ଶହେ ଆଠ ବେଲପତର’ ପରି ଲୋକପ୍ରିୟ ଭଜନର ସ୍ରଷ୍ଟା ସଂଗୀତ ନିର୍ଦ୍ଦେଶକ ସରୋଜ ନନ୍ଦ ଥିଲେ ଓଡ଼ିଆ ଶ୍ରୋତାଙ୍କ ଅତିପ୍ରିୟ। କେବଳ ଭଜନ ନୁହେଁ, ‘ବାଟରେ ଚାଲୁ ଚାଲୁ’, ‘ତୁ ଚାଲି ଯିବୁ ତୋ ଶାଶୂଘର’, ‘ପ୍ରଥମ ପ୍ରେମର ପ୍ରଥମ ଚିଠି’, ‘ଗାଁ ମଝିରେ ଚାନ୍ଦିନୀ’, ‘ଆଇନା କେବେ ମିଛ କହେନା’, ‘ନିଝୁମ ରାତିର ସହରରେ’, ‘ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ’, ‘ଆଉ ସେ କଲମ କେବେ ଧରିବି ନାହିଁ’, ‘ସୀମା ମୁଁ ତୁମକୁ ଭଲପାଇ’, ‘କେତେ ଅବିବେକୀ କେତେ ସ୍ବାର୍ଥପର’, ‘ଆଜି ମଙ୍ଗନ କାଲି ତୋର ବାହାଘର’, ‘ଝିଅ ଜନମ ପରଘରକୁ ଲୋ’ ଆଦି ରୋମାଣ୍ଟିକ୍ ଗୀତ ଓଡ଼ିଆ ସଂଗୀତକୁ ଏକ ନୂଆ ସୋପାନକୁ ନେଇ ଯାଇଥିଲା। ସଫଳତାର ଶୀର୍ଷରେ ଥିବା ବେଳେ ମୁମ୍ବାଇରେ ହୃଦ୍ଘାତର ଶିକାରହୋଇ ମାତ୍ର ୪୧ ବର୍ଷ ବୟସରେ ଓଡ଼ିଆ ଶ୍ରୋତାଙ୍କୁ ସବୁଦିନ ପର କରିଦେଇଥିଲେ ସରୋଜ। ସେଦିନ ଥିଲା ୨୦୦୦ ମସିହା ଡିସେମ୍ବର ୫। ‘ଲକ୍ଷ୍ମୀ ପ୍ରତିମା’, ‘ଜୀବନ ସାଥୀ’ ଓ ‘ଆକାଶର ଆଖି’ ସିନେମାରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।
Follow Us