ଭୁବନେଶ୍ବର: ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?
ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି... ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।
ସେପଟେ ଆଜିକାଲି ପୂଜା ପେଣ୍ଡାଲ, ସାଜସଜ୍ଜା, ପୂଜା ସ୍ଥଳୀ ପାଖରେ ମେଲୋଡି, ନୃତ୍ୟକୁ ନେଇ ବି ନିଜର ମନ୍ତବ୍ୟ ରଖିଛନ୍ତି ସ୍ବାମୀଜୀ । ସେକହିଛନ୍ତି- ଏବେ ପୂଜା ଠାରୁ ଭସାଣୀରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଅସୁର ତାକୁ କୁହାଯାଏ, ଯିଏ ମଦ-ମାଂସରେ ବୁଡିକି ରୁହେ । ଏବେ ବିନା ମଦ ମାଂସରେ ଲୋକେ ଭସାଣୀ କରିବାକୁ ବାହାରୁ ନାହାନ୍ତି । ଏପରିସ୍ଥଳରେ ଏମାନଙ୍କୁ କଣ କୁହାଯିବ ? ମହିଷାସୁର ନା ଦୁର୍ଗାଙ୍କ ଭକ୍ତ ? ବୋଲି ପ୍ରଶ୍ନ କରିଛନ୍ତି ସୁଧାନନ୍ଦ ସରସ୍ବତୀ ।
ଦୁର୍ଗା ତ ଆସୁରିକ ପ୍ରବୃତି ବିନାଶ ପାଇଁ ଆସିଥିଲେ । ତେବେ ମଦ୍ୟପାନ କରି, ଅଶାଳୀନ ଗୀତରେ ବିସର୍ଜନ ପାଇଁ ମାଆଙ୍କୁ ନେବା କେତେ ଠିକ୍ ? ଆମେ ଯଦି ଆମ ମାଆ ଆଗରେ ଅଶ୍ଲୀଳ ଗୀତ ଗାଇପାରୁନେ ତେବେ ଜଗତଜନନୀଙ୍କ ଆଗରେ କେମିତି ଅଶ୍ଲୀଳ ଗୀତ-ନୃତ୍ୟ କରିପାରୁଛେ ? ଏଥିରୁ ଜଣା ପଡୁଛି ଆମର କେତେ ଭକ୍ତି ଅଛି ବୋଲି ପ୍ରଶ୍ନ କରିଛନ୍ତି ଗୁରୁଜୀ । ଯାହା ପରମ୍ପରା ନାଁରେ ଆଜିର ଆଧୁନିକ ପୂଜାକୁ ଏକ ବଡ ଝକଟା ଦେଇଛି ବୋଲି କୁହାଯାଇପାରେ ।
ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ ଦେଲେ ସ୍ବାମୀ ସୁଧାନନ୍ଦ ସରସ୍ବତୀ ।
ଅଧିକ ପଢନ୍ତୁ-
ବିନା ନାରୀରେ ସଂସାର ଶୂନ: ଯୁଗେଯୁଗେ ନାରୀ ଉପରେ ଯିଏ କୁଦୃଷ୍ଟି ପକାଇଛି ତାର ବିନାଶ ହୋଇଛି…