(representational immage) Smithsonian Magazine
ବିଲୁପ୍ତ ଡାଇନୋସର୍ ପରିବାରର ଏକ ନୂଆ ରେକର୍ଡଧାରୀ ସଦସ୍ୟକୁ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ନ୍ୟୁୟର୍କର ଷ୍ଟୋନି ବ୍ରୁକ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଜୁରାସିକ୍ କାଳର ଏକ ଚୀନା ଡାଇନୋସର୍, ଯାହାର ନାମ ‘ମାମେଞ୍ଚିସୋରସ୍ ସିନୋକାନାଡୋରମ୍’କୁ ଆବିଷ୍କାର କରିଛନ୍ତି ଯାହାର ବେକର ଦୈର୍ଘ୍ୟ ୫୦ ଫୁଟ୍। ଚୀନର ଜିନଜିଆଙ୍ଗ୍ ଉଇଘୁର ଅଞ୍ଚଳର ୧୬.୨ କୋଟି ବର୍ଷ ତଳର ପଥର ମଧ୍ୟରୁ ୧୯୮୭ ମସିହାରେ ଏହାର ଜୀବାଶ୍ମ ଆବିଷ୍କୃତ ହୋଇଥିଲା। ଗବେଷକମାନେ ଏହାର ବେକ ଓ ମୁଣ୍ଡର ମାତ୍ର କେତୋଟି ହାଡ଼ ସଂଗ୍ରହ କରିଥିଲେ ମଧ୍ୟ ଏହାର ସମ୍ପକୀୟ ପ୍ରଜାତିର ଡାଇନୋସର୍ ସହିତ ତୁଳନାତ୍ମକ ଅଧ୍ୟୟନ ଦ୍ବାରା ସେମାନେ ଏହାର ସଂପୂର୍ଣ୍ଣ ଅବୟବ ପୁନଃନିର୍ମାଣ କରିପାରିଛନ୍ତି।
୧୭.୪ରୁ ୧୧.୪ କୋଟି ବର୍ଷ ପୂର୍ବେ ଏହି ଡାଇନୋସର୍ମାନେ ପୂର୍ବ ଏସିଆ ସମେତ ସମ୍ଭବତଃ ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ବିଚରଣ କରୁଥିଲେ। ଏହି ଶାକାହାରୀ ଡାଇନୋସର୍ଟି ନିଜର ଲମ୍ବା ବେକ ସାହାଯ୍ୟରେ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ସହଜରେ ଆଖପାଖର ଗଛରୁ ଡାଳପତ୍ର ଖାଇପାରୁଥିଲା। ଏହାର ବେକର ଦୈର୍ଘ୍ୟ ଜିରାଫ୍ ଠାରୁ ଛଅଗୁଣ ବଡ଼। ତେଣୁ ଏହାକୁ ପୃଥିବୀର ସର୍ବକାଳୀନ ଦୀର୍ଘତମ ବେକଧାରୀ ଜୀବ ବୋଲି କୁହାଯାଉଛି। ଏହା ସତ୍ତ୍ବେ ଶରୀରର ଆକାର ଅନୁଯାୟୀ ଏହା ସବୁଠାରୁ ବଡ଼ ଡାଇନୋସର୍ ନୁହେଁ। ‘ପାଟାଗୋଟାଇଟାନ୍ ମାୟୋରମ୍’ ନାମକ ଟାଇଟାନୋସର୍ ହେଉଛି ପୃଥିବୀପୃଷ୍ଠରେ ବିଚରଣ କରିଥିବା ସବୁଠାରୁ ବଡ଼ ଜୀବ।
Follow Us