ମୋହନଙ୍କ ଶିକ୍ଷକ ଅନ୍ଦାଜ: ମୁଖ୍ୟମନ୍ତ୍ରୀ ହେଲେ କଣ ହେଲା, ଦିନେ ତ ସିଏ ଗୁରୁଜୀ ଥିଲେ ନା, ନିଜ ଆରମ୍ଭକୁ କିଏ କଣ ଭୁଲିପାରିବ...?

guruji mohan majhi

Photograph: (Sambad.in)

ଭୁବନେଶ୍ବର: ହସ ହସ ମୁହଁ, ଚାରି ପାଖରେ କଅଁଳା ଶିଶୁ... କାହାକୁ ତା ହାତ ଧରି ସିଲଟରେ ବ୍ରହ୍ମା... ବିଷ୍ଣୁ... ମହେଶ୍ବର କହି ଶୂନ ବୁଲାଇ ଦେଉଛନ୍ତି ତ କାହା ମଥାରେ ଆଶୀର୍ବାଦର ହାତ ବୁଲାଇ ଆଣୁଛନ୍ତି । ପୁଣି ମଝିରେ ମଝିଲେ ପିଲାଙ୍କ ସହ ମିଶି ଫଟୋ ଉଠାଉଛନ୍ତି, ସେମାନଙ୍କୁ ବ୍ୟାଗ ଓ ଫଟୋ ଚିତ୍ର ଉପହାର ଦେଉଛନ୍ତି... ଏମିତି ଲାଗୁଛି ପିଲାଙ୍କ ଗହଣରେ ଓଡିଶାର ମୁଖ୍ୟମନ୍ତ୍ରୀ ନୁହେଁ ଶିଶୁ ମନ୍ଦିରର ସେ ଗୁରୁଜୀ ଜଣଙ୍କ ଆଜି ଶିଶୁଙ୍କ ଆଦ୍ୟ ଜୀବନରେ ଖଡ଼ି ଛୁଆଁଇ ସେମାନଙ୍କୁ ଏକ ସୁନେଲୀ ଭବିଷ୍ୟତର ରାସ୍ତା ଦେଖାଇବାକୁ ପ୍ରେରଣା ଦେଉଛନ୍ତି... 

ହଁ, ଗୁରୁଜୀ ନୁହେଁ ତ ଆଉ କଣ ? ଦିନେ ତ ସିଏ ଗୁରୁଜୀ ଥିଲେ, ଝୁମ୍ପୁରା ଶିଶୁ ମନ୍ଦିରରେ ଆଚାର୍ଯ୍ୟ ଭାବେ ଅନେକ ପିଲାଙ୍କୁ ପଢାଇଥିଲେ ଆଉ ସେମାନଙ୍କୁ ଉପଯୁକ୍ତ ରାସ୍ତାରେ ଯିବାକୁ ପ୍ରେରଣା ଦେଇଥିଲେ । ଆଉ ଆଜି ଯେତେବେଳେ ସେମିତି ଏକ ସୁଯୋଗ, ସେମିତି ଏକ ପରିବେଶ ସୃଷ୍ଟି ହୋଇଛି ସେତେବେଳେ ସିଏ କାହିଁକି ତାଙ୍କ ଆଦ୍ୟ କ୍ୟାରିୟରର ସେ ତୁଲାଇ ଆସିଥିବା ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବକୁ ପୁନଶ୍ଚ ନିର୍ବାହ ନକରିବେ, ପୁଣି ଥରେ ସେ ରୂପକୁ ଫେରି ନଯିବେ । ତେଣୁ ଡେରି ନକରି ପିଲାଙ୍କ ସହ ଜଣେ ଗୁରୁଜୀ ଭଳି ଆଚରଣ, ଉଚ୍ଚାରଣ କରି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନା ମନରେ ମୁଖ୍ୟମନ୍ତ୍ରୀ ଭଳି ବଡ ପଦବୀର ଅହଙ୍କାର ନା ବ୍ୟବହାର ଓ ଅଙ୍ଗଭଙ୍ଗୀରେ ନିଜକୁ ଭିନ୍ନ ଭାବିବାର ଚିହ୍ନବର୍ଣ୍ଣ... ସେ ପୂରା ସରଳ, ପୂରା ସାଧାରଣ... ନିର୍ଭେଜାଲ ଭଲପାଇବା ଦେଇ ପିଲାଙ୍କ ସହ ଉପଭୋଗ କରିଛନ୍ତି ଖଡିଛୁଆଁ ପର୍ବର ସେ ସମୟକୁ, ନିଜ ପୁରୁଣା ଦିନର କଥାକୁ ମନେପକାଇ ସେ ମନଭରି ସ୍ମୃତିମୟ କରିଛନ୍ତି ସେ ମୁହୂର୍ତ୍ତମାନଙ୍କୁ... ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

cmo
Photograph: (Sambad.in)

 
ଭୁବନେଶ୍ୱରର ବଡ଼ଗଡ ଗାଁ  ବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ 'ପ୍ରବେଶ ଉତ୍ସବ', 'ଖଡିଛୁଆଁ' ଓ 'ଶିଶୁ ବାଟିକା'ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଟିକେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଆଉ ସେଠାରେ ପିଲାଙ୍କ ସହ ସିଏ ବିତାଇଥିବା ମୁହୂର୍ତ୍ତ ଯେତେବେଳେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ସେ କଥାକୁହା ଫଟୋକୁ ବିଭିନ୍ନ ୟୁଜର୍ସ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଖଡ଼ିଛୁଆଁ ହେଉଛି ଓଡ଼ିଆଙ୍କ ବିଦ୍ୟାରମ୍ଭ ପରମ୍ପରା। ଶିଶୁମାନେ ବୋଧ ପାଇବା ପରେ ଖଡ଼ି ଧରି ଲେଖିବା ଆରମ୍ଭ କରିଥାନ୍ତି। ଓଡ଼ିଆ ଘରମାନଙ୍କରେ ଏହାକୁ ଏକ ଉତ୍ସବ ଭାବେ ପାଳନ କରାଯାଏ। ସାଧାରଣତଃ ଗଣେଶ ପୂଜା ଓ ସରସ୍ବତୀ ପୂଜାରେ ଖଡ଼ିଛୁଆଁ କରାଯାଇଥାଏ। ହେଲେ ଆଜି ଏହି ଶୁଭ ଦିନ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ କୁନିକୁନି ପିଲାଙ୍କୁ ତାଙ୍କ ହାତ ଧରି ଖଡି ଛୁଆଁଇବା ପରେ ସାଧାରଣରେ ଚର୍ଚ୍ଚା ହେଉଛି... ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ କଣ ହେଲା, ଦିନେ ତ ସିଏ ଗୁରୁଜୀ ଥିଲେ ନା, ତେଣୁ ନିଜ ଆରମ୍ଭକୁ କିଏ କଣ ଭୁଲିପାରିବ ? ତେଣୁ ପିଲାଙ୍କୁ ଦେଖି ତାଙ୍କ ଭିତରେ ଶୋଇଥିବା ଶିକ୍ଷକପଣ ଆଜି ଜାଗ୍ରତ ହୋଇଗଲା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe