ପରମ୍ପରାର ରକ୍ଷକ ମହୁମାଛି

Advertisment
ପରମ୍ପରାର ରକ୍ଷକ ମହୁମାଛି

ସ୍ଥାପତ୍ୟ ନିର୍ମାଣ କଥା ଉଠିଲେ ମନୁଷ୍ୟ ହିଁ ଶୀର୍ଷରେ ବିଦ୍ୟମାନ ବୋଲି ଆମେ ଭାବୁ। ମାତ୍ର ଏ ଧାରଣା ଭୁଲ୍। ବେଲ୍‌ଜିଅମ୍‌ର ଲିଉଭେନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ମତରେ, ଫେଣାର ନିର୍ମାଣ ନେଇ ମହୁମାଛିମାନଙ୍କର ମଣିଷ ଭଳି ପରମ୍ପରାଗତ ଜ୍ଞାନ ରହିଛି, ଯାହା ପିଢ଼ିକୁ ପିଢ଼ି ହସ୍ତାନ୍ତର ହୋଇଥାଏ। ଫଳରେ ସେମାନେ ସେହି ପାରମ୍ପରିକ ସ୍ଥାପତ୍ୟକୁ ଅନୁକରଣ କରି ଜଟିଳ ତଥା ସମତୁଲ ମହୁଫେଣା ନିର୍ମାଣ କରିଥାନ୍ତି। ବ୍ରାଜିଲରେ ୨୦୨୨ରୁ ୨୦୨୩ ଭିତରେ ସଂଗୃହୀତ ‘ସ୍କାପ୍ଟୋଟ୍ରିଗୋନା ଡେପିଲିସ’ ପ୍ରଜାତିର ମହୁମାଛିମାନଙ୍କ ଦ୍ବାରା ନିର୍ମିତ ୪୦୦ରୁ ଅଧିକ ମହୁଫେଣାକୁ ଅନୁଧ୍ୟାନ କରି ସେମାନେ ଏପରି ନିର୍ଯାସ ପାଇଛନ୍ତି। ସେଗୁଡ଼ିକ ଭିତରୁ ୯୫ ପ୍ରତିଶତ ଫେଣା ସମାନ୍ତରାଳ ସ୍ତରରେ ନିର୍ମିତ ହୋଇଥିବା ବେଳେ ବାକି ତକର ଗଠନ କୁଣ୍ଡଳାକାର ସଦୃଶ। ତେବେ ପ୍ରତ୍ୟେକ କ୍ଷେତ୍ରରେ ପାରମ୍ପରିକ ଶୈଳୀ ବଜାୟ ରହିଥିବା ଦେଖାଯାଇଛି। ଅପରପକ୍ଷେ, ଉଭୟ ଶୈଳୀର କୁଶଳୀ ମହୁମାଛିମାନଙ୍କୁ ସ୍ଥାନାନ୍ତର କରି ଦେଖାଗଲା କି, ସେମାନେ ନିଜର ପାରମ୍ପରିକ ଶୈଳୀକୁ ପ୍ରଥମେ ଜାରି ରଖି କ୍ରମେ ନୂତନ ଶୈଳୀ ଆପଣେଇବାରେ ମଧ୍ୟ ସିଦ୍ଧହସ୍ତ। ସୁତରାଂ ମହୁମାଛି ଆମ ଭଳି ପରମ୍ପରା ରକ୍ଷା କରିବାରେ ସକ୍ଷମ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe