ବିରଳ ସାମଗ୍ରୀ କିଣିବା ପାଇଁ ଉତ୍ସାହୀ କ୍ରେତାମାନେ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ହୋଇଥା’ନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଇଂଲଣ୍ଡରେ। ମାତ୍ର ୩୦ ପେନ୍ସ (ଶହେ ପେନ୍ସ=ଏକ ପାଉଣ୍ଡ୍)ରେ କିଣାଯାଇଥିବା ଏକ ହାରି ପୋଟର ବହି ସାଢ଼େ ୧୦ ହଜାର ପାଉଣ୍ଡ୍ରେ ନିଲାମ ହୋଇଛି। ଏହା ହେଉଛି ‘ହାରି ପୋଟର ଆଣ୍ଡ୍ ଦି ଫିଲୋସୋଫର୍ସ ଷ୍ଟୋନ୍’ର ପ୍ରଥମ ସଂସ୍କରଣର ଏକ ବିରଳ ବହି। ଏହାକୁ ମୂଳ ମୂଲ୍ୟର ୩୫,୦୦୦ ଗୁଣ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥିବା ଜଣାଯାଇଛି। ତେବେ ବହିଟି ୩,୦୦୦ରୁ ୫,୦୦୦ ପାଉଣ୍ଡ୍ ଭିତରେ ବିକ୍ରି ହେବ ବୋଲି ଉକ୍ତ ନିଲାମର ଆୟୋଜକ ଆଶା ରଖିଥିଲେ। ୧୯୯୭ ମସିହାରେ ବ୍ଲୁମ୍ସବରି ପ୍ରକାଶନ ସଂସ୍ଥା ଦ୍ବାରା ଉକ୍ତ ପୁସ୍ତକର ପ୍ରଥମ ସଂସ୍କରଣ ସ୍ବରୂପ ମାତ୍ର ୫୦୦ଟି ବହି ପ୍ରକାଶିତ ହୋଇଥିଲା। ସେଥିରୁ ୩୦୦ଟି ବହି ବିଭିନ୍ନ ପାଠାଗାରକୁ ପଠାଯାଇଥିବା ବେଳେ ବାକି ୨୦୦ଟି ବହିକୁ ସାଧାରଣ ପାଠକ କିଣିବାର ସୁଯୋଗ ପାଇଥିଲେ। ସାଫର୍ଡସାୟାରର ଜଣେ ଉତ୍ସାହୀ ପୁସ୍ତକ ସଂଗ୍ରାହକ ଏହି ନିର୍ଦ୍ଦିଷ୍ଟ ବହିଟିକୁ ଅକ୍ଷୁଣ୍ଣ ତଥା ପଠନଯୋଗ୍ୟ ଅବସ୍ଥାରେ ନିଜ ପାଖରେ ରଖିଥିଲେ, ଯାହାଙ୍କର ଗତବର୍ଷ ମୃତ୍ୟୁ ହୋଇଯାଇଛି। ତେବେ ତାଙ୍କର ଅନ୍ୟାନ୍ୟ ପୁସ୍ତକ ସବୁ ନିଲାମ ହେବା ଅବସରରେ ଉକ୍ତ ହାରି ପୋଟର ବହିଟି ମଧ୍ୟ ମିଳିଥିଲା। ଅନ୍ଲାଇନ୍ ନିଲାମରେ ଲସ୍ ଆଞ୍ଜେଲ୍ସର ଜଣେ କ୍ରେତା ତାହାକୁ ଏପରି ଚଢ଼ା ଦର ଦେଇ କିଣିଛନ୍ତି।
୩୫,୦୦୦ ଗୁଣ ମୂଲ୍ୟରେ ବିକ୍ରି ହେଲା ବହି
Advertisment
Follow Us