ସିମ୍ପାଞ୍ଜି ଶାବକର ଦୁଷ୍ଟାମି

ସିମ୍ପାଞ୍ଜି ଶାବକର ଦୁଷ୍ଟାମି

representetional immage - The Harbinger Online

ଜନ୍ତୁମାନଙ୍କ ମଧ୍ୟରେ ସିମ୍ପାଞ୍ଜିକୁ ସବୁଠୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ। ଚିଡ଼ିଆଖାନାରେ ଥିବା ସିମ୍ପାଞ୍ଜିମାନେ ସେମାନଙ୍କର ଏହି ବୁଦ୍ଧିମତା ଯୋଗୁଁ ନାନା କୌତୁକ ଆଚରଣ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ଆମୋଦିତ କରିଥା’ନ୍ତି। ବିଶେଷ କରି ଶାବକମାନଙ୍କର ବ୍ୟବହାର ବେଶୀ ଆକର୍ଷଣୀୟ ହୋଇଥାଏ। ତେବେ ଚୀନର ଏକ ଚିଡ଼ିଆଖାନାରେ ଶାବକ ସିମ୍ପାଞ୍ଜିଟିଏ ଦର୍ଶକମାନଙ୍କୁ ପଥର ଫିଙ୍ଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଛୁଆର ଏହି ଦୁଷ୍ଟାମିକୁ ଜବତ କରିବା ପାଇଁ ମା’ ସିମ୍ପାଞ୍ଜି ଏକ ବାଡ଼ିରେ ତା’କୁ ପିଟୁଥିବାର ଦୃଶ୍ୟ ଆହୁରି ରୋଚକ ହୋଇଛି।

ଏ ସମ୍ପର୍କରେ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ବିଟର ପୃଷ୍ଠାରେ ଛାଡ଼ିଥିବା ଭିଡିଓ କ୍ଲିପିଂ ଏବେ ଖୁବ୍‌ ଲୋକପ୍ରିୟ ହୋଇଛି। ଏଥିରେ ଚିଡ଼ିଆଖାନାର ଏକ ପଥର ଚଟାଣ ଉପରେ ଅନ୍ୟମାନଙ୍କ ସହ ଛୋଟ ସିମ୍ପାଞ୍ଜିଟି ବସି ଖେଳ କସରତ କରୁଥିବାର ଦେଖାଯାଇଛି। ଦର୍ଶକମାନେ ସେ ଦୃଶ୍ୟର ମଜା ନେଉଥିବା ବେଳେ ଛୁଆଟି ହଠାତ୍‌ ଦର୍ଶକମାନଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଛି। ତେବେ କଥା ଏଇଠି ସରିନି। ଏପରି ଅପ୍ରୀତିକର ଘଟଣାକୁ ଦେଖୁଥିବା ମା’ ସିମ୍ପାଞ୍ଜିଟି ଏକ ବାଡ଼ି ଧରି ଛୁଆକୁ ସେଥିରୁ ନିବୃତ୍ତ ହେବାକୁ ପିଟି ଚାଲିଛି। ଏହି ବିରଳ ଦୃଶ୍ୟ ଦେଖି କେହି କେହି ଟିପ୍ପଣୀ କରିଛନ୍ତି କି ଦୁଷ୍ଟାମି ପାଇଁ ଦଣ୍ଡ ହିଁ ମହୌଷଧି। ପୁଣି ମା’ମାନେ ହିଁ ଶିଶୁର ପ୍ରକୃତ ସଂସ୍କାରଦାତ୍ରୀ ବୋଲି ମଧ୍ୟ ଅନେକ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe