ଅନୁଗୁଳ: ୭ ବର୍ଷ ତଳେ ଯେତେବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନୂଆଖୁଲାରେଗଡ଼ାର ଦିନମଜୁରିଆ ଜର୍ଜ ବାର୍ଲାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଘର ମଞ୍ଜୁର ହେଲା, ବେଶ୍‌ ଖୁସି ହୋଇଯାଇଥିଲେ ପତ୍ନୀ ନିକା ଓ ଝିଅ ଉର୍ମିଳା। ଘର ତିଆରି ପରେ କିନ୍ତୁ ସେମାନଙ୍କ ଖୁସି ବେଶି ଦିନ ରହି ନଥିଲା। କୋଠାଘର ପାଇବା ସତ୍ତ୍ବେ ମାଟିଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ମା’ ଝିଅ। କାରଣ ଜାଣିବାରୁ ଜଣାପଡ଼ିଲା, ନୂଆ ପକ୍କାଘର ସଂପୂର୍ଣ୍ଣ ଦୁର୍ବଳ। ଛାତରୁ ରଡ୍‌ ଦେଖାଯାଉଛି। ତାଜାରେ ହାତ ବାଜିଲେ, ଦୋହଲିବା ପରି ଲାଗୁଛି। ବର୍ଷା ହେଲେ ଘରସାରା ପାଣି। ୬ ବର୍ଷ ତଳୁ ପକ୍କାଘର ପାଇଥିଲେ ବି ପୁରୁଣା ଚାଳଛପର ଘରେ ଜୀବନ ଜିଉଁଛନ୍ତି ନିକା ଆଉ ଉର୍ମିଳା। 
ଏ ନେଇ ନିକା କୁହନ୍ତି, ୭ ବର୍ଷ ତଳେ ସ୍ବାମୀ ଜର୍ଜଙ୍କ ନାମରେ ମଞ୍ଜୁର ହୋଇଥିଲା ଏଇ ଆବାସ ଖଣ୍ଡିକ। ଘର ମଞ୍ଜୁର ନେଇ ସେମାନେ ଜାଣିବା ପୂର୍ବରୁ ଠିକାଦାର ତାଙ୍କ ଦୁଆରେ ହାଜର। କହିଥିଲା, ତୁମ ପାଖରେ ପଇସା ନାହିଁ, ଘର କରିବ କେମିତି। ନ ହେଲେ ଟଙ୍କା ଫେରିଯିବ। ଆବାସ ଯୋଜନାରେ ତୁମକୁ ମିଳିବାକୁ ଥିବା ସବୁତକ ଟଙ୍କା ଯଦି ମୁଁ ନେବି, ତା’ହେଲେ ତୁମ ପାଇଁ ପକ୍କା ଘରଟିଏ କରିଦେବି। ମୂଲ ଲାଗିଲେ ଚୁଲି ଜଳୁଥିବାରୁ ପକ୍କାଘର ଆଶାରେ ଠିକାଦାର କଥାରେ ହଁ ଭରିଲୁ। ଏ ଭିତରେ ଜର୍ଜ ବାର୍ଲା ବି ମରିଗଲାଣି। ୬ ବର୍ଷ ତଳୁ ଠିକାଦାର ଏ ଦଦରା ଘର ଧରେଇ ଦେଇ ଟଙ୍କା ନେଇ ପାର। ଘରକୁ ପଶିଲେ କେତେବେଳେ  ଭାଙ୍ଗି ମାଡ଼ିବସିବ ବୋଲି ଡର ଲାଗୁଛି। ପୂର୍ବଭଳି ପୁରୁଣା ମାଟିଘରକୁ ଆଦରି ନେଇଛୁ ବୋଲି କୋହଭରା କଣ୍ଠରେ ବଖାଣିଛନ୍ତି ନିକା।

Advertisment

Sundargarh : ଜଳ ଯନ୍ତ୍ରଣାରେ ଛଟପଟ ସୁନ୍ଦରଗଡ଼

 
କେବଳ ନୂଆଖୁଲାରେଗଡ଼ାର ନିକା ବାର୍ଲା ନୁହନ୍ତି, ଠିକାଦାରଙ୍କ ଆବାସ ଠକାମିର ଶିକାର ହୋଇଛନ୍ତି ପାଖ ଗାଁ ନୂଆବାଲିଖମଣର ଶୁଦ୍ର ପଧାନ। ନିଜେ ଘର କରିବାକୁ ସକ୍ଷମ ନଥିବାରୁ ଠିକାଦାର କଥାରେ ଭଳିଗଲେ। ହେଲେ ଘର ତିଆରି ହେବା ଦିନରୁ ଛାତରୁ ପାଣି ଗଳୁଛି। ଏପଟେ ଠିକାଦାର ସବୁ ଟଙ୍କା ନେଇ ଛୁ। ହଣ୍ଡପା ପଞ୍ଚାୟତରେ ଏମିତି ଅନେକ ଆବାସ ହିତାଧିକାରୀ ଠିକାଦାରର ମାୟାଜାଲରେ ଛନ୍ଦି ହୋଇଛନ୍ତି। ପକ୍କାଘର ପାଇ ମଧ୍ୟ ମାଟିଘରେ ଜୀବନ କାଟୁଛନ୍ତି।

Mountain: ପାହାଡ଼ ଥିଲା, ଏବେ ପୋଖରୀ

 
ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ କହିଛନ୍ତି, ଆବାସ ଯୋଜନାର ଟଙ୍କା ପର୍ଯ୍ୟାୟକ୍ରମେ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଇଥାଏ ଓ ଘର କରିବା ହିତାଧିକାରୀଙ୍କ ଦାୟିତ୍ବ। ତେଣୁ ଏ କ୍ଷେତ୍ରରେ ତାଙ୍କର କିଛି କହିବାର ନାହିଁ। ତେବେଜିଲ୍ଲାର ବୁଦ୍ଧିଜୀବୀ କହିଛନ୍ତି, ଆବାସ ଯୋଜନା ପାଇଁ ବିଭିନ୍ନ ପର୍ଯ୍ୟାୟ କାମ ସରିବା ପରେ ତାହାକୁ ଯାଞ୍ଚ କରି ବ୍ଲକ୍‌ ପ୍ରଶାସନ ଅର୍ଥ ମଞ୍ଜୁର କରିଥାଏ। ଛାତ ପଡ଼ିବା ପରେ ମଧ୍ୟ ଏସବୁ ଘର ରହିବାଯୋଗ୍ୟ ନୁହେଁ ବୋଲି ପ୍ରଶାସନ କିଭଳି ଜାଣିପାରିଲାନି? ଗରିବ ମୁଣ୍ଡରେ ଛାତ ଦେବା ବାହାନାରେ ଆବାସ ଯୋଜନା ପାଣ୍ଠି ଲୁଟ୍‌ ପାଇଁ ଠିକାଦାର ଓ ପ୍ରଶାସନର ଏହା ମିଳିତ ଷଡ୍‌ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି। ଠିକାଦାରଙ୍କ ଠକାମିର ଶିକାର ହୋଇଥିବା ନିକା ଭଳି ଗରିବ ହିତାଧିକାରୀ କିଭଳି ନ୍ୟାୟ ପାଇବେ ସେ କ୍ଷେତ୍ରରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ଜରୁରି।