ପଶ୍ଚିମବଙ୍ଗର ଏକ ରକ୍ଷଣଶୀଳ ପ୍ରାନ୍ତରେ ଦୁଇଜଣ ଯୁବତୀ ନିଜ ପ୍ରେମକୁ ବିବାହର ସ୍ବୀକୃତି ଦେବାର ଅଧିକାରକୁ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି, ଆଉ ଗ୍ରାମବାସୀମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଗତ ୪ ତାରିଖରେ ସୁନ୍ଦରବନ ଅନ୍ତର୍ଗତ ଜାଲାବାରିଆରେ ଥିବା ପାଲେର ଚାକ୍ ମନ୍ଦିରରେ ରିୟା ସର୍ଦାର ଓ ରାଖି ନାସକର ଶହଶହ ଅତିଥିଙ୍କ ଗହଣରେ ବିବାହ କରିଛନ୍ତି। ରିୟା ବଧୂ ବେଶରେ ଓ ରାଖି ବର ବେଶରେ ସଜେଇ ହୋଇ ପରସ୍ପରଙ୍କୁ ମାଳ ପିନ୍ଧାଇଥିଲେ ଓ ସାତ ଜନ୍ମର ସାଥୀ ହେବା ଲାଗି ପ୍ରତିଜ୍ଞା କରିଥିଲେ। ଜଣେ ବ୍ରାହ୍ମଣଙ୍କ ଦ୍ବାରା ସମ୍ପନ୍ନ ଏହି ବିବାହ ଚାଲିଥିବା ବେଳେ ଉପସ୍ଥିତ ପରିଜନ ଓ ଗ୍ରାମବାସୀ ହୁଳହୁଳୀ ଦେଇ, ଶଙ୍ଖ ବଜାଇ ସେମାନଙ୍କୁ ଆଶୀର୍ବାଦ ଦେଇଥିଲେ।
ହାଇସ୍କୁଲ ଯାଏ ପାଠ ପଢ଼ିଥିବା ରିୟା ଓ ରାଖି ସାମାଜିକ ଗଣମାଧ୍ୟମରେ ଭେଟିବା ପରେ ସେମାନେ ଫୋନ ନମ୍ବର ଦିଆନିଆ ହୋଇଥିଲେ।
ପରେ ସେମାନେ ଗୋଟିଏ ଡ୍ୟାନ୍ସ ଗ୍ରୁପ୍ରେ ନୃତ୍ୟଶିଳ୍ପୀ ଭାବେ କାମ କରିବା ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଅନାଥ ରିୟାଙ୍କ ସମ୍ପର୍କୀୟ ଏହି ବିବାହ ପାଇଁ ରାଜି ହୋଇଥିବା ବେଳେ ରାଖିଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ପରିବାରର ଚାପକୁ ଖାତିର ନ କରି ରାଖି ଏହି ବିବାହ କରିଛନ୍ତି। ବିବାହ ପରେ ରିୟା କହିଛନ୍ତି, “ଆମେ ଦୁଇଜଣ ପ୍ରାପ୍ତବୟସ୍କ। ଆମ ପାଇଁ କ’ଣ ଠିକ୍ ସେ ନିଷ୍ପତ୍ତି ନେବାକୁ ଆମେ ସକ୍ଷମ। ଜୀବନସାଥୀ ବାଛିବା ବେଳେ ଲିଙ୍ଗର ଭୂମିକା ରହିବ କାହିଁକି?’’
ଏହି ବିବାହ କିଛି ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଥିବା ବେଳେ ଆଉ କିଛି ଏହାକୁ ପ୍ରେମ ଓ ସାହସିକତାର ଏକ ଉତ୍ସବ ଭାବେ ଦେଖୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏ ପର୍ଯ୍ୟନ୍ତ ସମଲିଙ୍ଗୀ ବିବାହକୁ ଆଇନର ସ୍ବୀକୃତି ମିଳି ନାହିଁ ଏବଂ ଏ ପ୍ରସଙ୍ଗ ସୁପ୍ରିମ୍କୋର୍ଟରେ ବିରାଚାଧୀନ ରହିଛି। ତେଣୁ ରିୟା ଓ ରାଖିଙ୍କ ବିବାହକୁ ଆଇନର ଅଭାବ ବିରୋଧରେ ଏକ ପ୍ରତିବାଦ ରୂପେ ଦେଖାଯାଇପାରେ।
Follow Us