ଭୁବନେଶ୍ୱର: କଣ୍ଢେଇ କିଛି ଶୁଣି ପାରେନାହିଁ, ହେଲେ ଭାବରେ ବହୁତ କିଛି ପ୍ରକାଶ କରିଥାଏ। ତାର ଜୀବନ ନଥାଏ କିନ୍ତୁ ଅନେକ ଚରିତ୍ରର ଜୀବନ ସେ ଜିଇଁପାରେ। ର୍ନିଜୀବ କଣ୍ଢେଇଟି ଅନ୍ୟ ହାତରେ ନାଚିଥାଏ। କିନ୍ତୁ ପୌରାଣିକ ଗାଥା, କିଂବଦନ୍ତି ଓ ଇତିହାସକୁ ନିଜ କାନ୍ଧରେ ବୋହି କାହାଣୀକୁ କରିଥାଏ ଜୀବନ୍ତ। ଦର୍ଶକମାନଙ୍କ ମନୋରଞ୍ଜନ କରିବା ସହ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ମଧ୍ୟ ପହଞ୍ଚାଇଥାଏ କଣ୍ଢେଇ ନାଚ। ସତେ ଯେମିତି ଜଣେ ଜୀବନବିହୀନ କଳାକାର ଲୋକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଆପଣାଇ ନେଇଛି ଗୁରୁ ଦାୟିତ୍ବ। ପରଦା ଆଗରେ କଣ୍ଢେଇ ଲୋକଙ୍କ ମନୋରଞ୍ଜନ କରୁଥିବା ବୋଳେ ପରଦା ପଛରେ ସଞ୍ଚାଳକ ଅହରହ ପରିଶ୍ରମ କରୁଥା’ନ୍ତି। ହେଲେ ସମୟ ବଦଳୁଛି। ସମୟ ସହ ତାଳ ଦେଇ ବଦଳୁଛି ପାରମ୍ପରିକ ନୃତ୍ୟ, ଗୀତ ଓ ସଂସ୍କୃତିର ରୂପରେଖ। ଏଭଳି ସ୍ଥଳେ କଣ୍ଢେଇ ନାଚ କରୋନା ପରଠାରୁ ହଜିବାକୁ ବସିଲାଣି। ବର୍ତ୍ତମାନ କେବଳ ଗାଁ ଗହଳିରେ ପୂଜା ପର୍ବରେ କାଁ ଭାଁ ନାଚ ହେଉଛି। ଏହାବ୍ୟତୀତ ସହରରେ ଲୋକଦେଖାଣିଆ ପାଇଁ ଲୋକକଳା ଉତ୍ସବ, ପଥୋତ୍ସବ ପରି କିଛି ଉତ୍ସବରେ ଏହା ସୀମିତ ହୋଇ ରହିଯାଇଛି।
ଯେତେବେଳେ ଟିଭି, ସିନେମା, ମୋବାଇଲ ଫୋନ୍ ନଥିଲା ସେତେବେଳେ ଏହି କଣ୍ଢେଇ ନାଚ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା। ହେଲେ ବର୍ତ୍ତମାନ ଆର୍ଥିକ ପ୍ରୋତ୍ସାହନ ନ ମିଳିବା ହେତୁ ବହୁ କଳାକାର କାମ ଛାଡ଼ିଦେଲେଣି। ନୂଆ କଳାକାର ମଧ୍ୟ ସୃଷ୍ଟି ହେଉନାହାନ୍ତି। ସରକାରଙ୍କ ତରଫରୁ ଯେତେ ସଚେଚତନାମୂଳକ କାର୍ଯ୍ୟକ୍ରମ ହେଉଛି ସେଥିରେ ‘କଣ୍ଢେଇ ନାଚ’ ପାଇଁ ପ୍ରସ୍ତାବ ରହିବା କଥା ବୋଲି ସେ କହିଛନ୍ତି। ଏହାବ୍ୟତୀତ ବିଭିନ୍ନ ଲୋକକଳା ଭଳି ‘କଣ୍ଢେଇ ନାଚ ମହୋତ୍ସବ’ ହେଲେ ଏହି କଳା ବିଲୁପ୍ତ ହେବାରୁ ବଞ୍ଚିଯିବ।
ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କଳାକାର
ପୂର୍ବରୁ କଣ୍ଢେଇ ନାଚ ବହୁଳ ଭାବରେ ହେଉଥିଲା। ପ୍ରତି ବର୍ଷ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ମିଶାଇ ପାଖାପାଖି ୧୦୦ ସୋ’ ହେଉଥିଲା। ହେଲେ କରୋନା ପରଠାରୁ ଏଯାବତ୍ ହାତଗଣତି ସୋ’ ହେଉଛି। କାମ ମିଳୁ ନଥିବାରୁ ବର୍ତ୍ତମାନ ବହୁ କଳାକାର ଏହି ବୃତ୍ତି ଛାଡ଼ି ଅନ୍ୟ ବୃତ୍ତି ଧରିଲେଣି। ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେତିକି ଉଦ୍ୟମ ହେଉଛି, ଯଦି କଣ୍ଡେଇ ନାଚ ପାଇଁ ସେହି ନିଷ୍ଠା ଓ ଉଦ୍ୟମ ହୁଅନ୍ତା ତେବେ ମରିଯାଉଥିବା ଲୋକକଳା ପୁଣି ଲୋକପ୍ରିୟ ହୋଇପାରନ୍ତା।
ଜୟଶ୍ରୀ ଦାସ, ‘କଣ୍ଢେଇଘର’ ପ୍ରତିଷ୍ଠାତା ତଥା କଳାକାର
Follow Us