ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ଥିବା ଟୁଭାଲୁ ନାମକ ଛୋଟ ଦ୍ୱୀପ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଜନିତ ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଏହାର ୧୧,୦୦୦ରୁ ଅଧିକ ସଂଖ୍ୟକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି। ରିପୋର୍ଟ ଅନୁସାରେ ଟୁଭାଲୁ ୨୦୨୩ରେ ଅଷ୍ଟ୍ରେଲିଆ ସହିତ ଏକ ପ୍ରବାସ ଚୁକ୍ତି ସ୍ୱାକ୍ଷର କରିଛି, ଯେଉଁଥିରେ ପ୍ରତିବର୍ଷ ୨୮୦ ଜଣ ବାସିନ୍ଦା ଏକ ଜଳବାୟୁ ଭିସା କାର୍ଯ୍ୟକ୍ରମ ମାଧ୍ୟମରେ ଅଷ୍ଟ୍ରେଲିଆ ମହାଦେଶରେ ସ୍ଥାୟୀ ଭାବରେ ବସବାସ କରିବେ। ଏହା ହିଁ ହେଉଛି ବିଶ୍ୱ ଉତ୍ତପ୍ତୀକରଣର ସଦ୍ୟତମ କୁପ୍ରଭାବରୁ ଗୋଟିଏ।
ଉଲ୍ଲେଖଯୋଗ୍ୟ, ସମୁଦ୍ର ପତ୍ତନଠାରୁ ହାରାହାରି ମାତ୍ର ୬.୫ ଫୁଟ ଉଚ୍ଚରେ ଟୁଭାଲୁ ଅବସ୍ଥିତ। ସମୁଦ୍ର ପତ୍ତନ ପୂର୍ବାନୁମାନଠାରୁ ଅଧିକ ଦ୍ରୁତ ଭାବରେ ବୃଦ୍ଧି ପାଉଥିବା ଯୋଗୁଁ ସଙ୍କଟର ସମ୍ମୁଖୀନ ହେବାରେ ଟୁଭାଲୁ ଏକମାତ୍ର ଦେଶ ନୁହେଁ। ଜାତିସଂଘ ମାନବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ, ବର୍ଦ୍ଧିତ ଉପକୂଳ ବନ୍ୟା ବିଶ୍ୱର ୭ କୋଟିରୁ ଅଧିକ ଲୋକଙ୍କୁ ବିପଦରେ ପକାଇପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ ସୁଦ୍ଧା ଶହ ଶହ ଜନବହୁଳ ସହର ବନ୍ୟା ବିପଦର ସମ୍ମୁଖୀନ ହେବେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ପଥ ସହିତ ମିଶ୍ରଣ କଲେ, ପ୍ରତିବର୍ଷ ପ୍ରାୟ ୪ ପ୍ରତିଶତ ହାରରେ ଏକ ଦଶନ୍ଧି ଭିତରେ ଟୁଭାଲୁର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟା ସ୍ଥାନାନ୍ତରିତ ହୋଇପାରନ୍ତି।
Follow Us