ପ୍ରଥମ ସଫଳତା ହିଁ ଭରସା: ବାଣୀ କପୁର

Advertisment
ପ୍ରଥମ ସଫଳତା ହିଁ ଭରସା: ବାଣୀ କପୁର

NDTV.com

ନିଜର ପ୍ରଥମ ସିନେମାରେ ପାଞ୍ଚ ପାଞ୍ଚଟି ଜାତୀୟସ୍ତରର ପୁରସ୍କାର ହାତେଇଥିବା ଅଭିନେତ୍ରୀ ବାଣୀ କପୁରଙ୍କ ପାଇଁ ଅଭିନୟ ଜୀବନ ବେଶ୍‌ ସାବଲୀଳ ହୋଇଛି। ଗ୍ଲାମର ଦୁନିଆରେ ପାଦ ଥାପିବାର ଆଠ ବର୍ଷ ଭିତରେ ସେ ମାତ୍ର ଆଠଟି ଫିଲ୍ମ କରିବାକୁ ସକ୍ଷମ ହୋଇଥିଲେ ହେଁ ସବୁଥିରେ ବଡ଼ ବଡ଼ ତାରକାଙ୍କ ବିପକ୍ଷରେ ଉପସ୍ଥାପିତ ହେବାର ସୌଭାଗ୍ୟ ତାଙ୍କୁ ଜୁଟିଛି। ସେଇ ପ୍ରାରମ୍ଭିକ ସଫଳତାର ଛାପ ହିଁ ତାଙ୍କୁ ଆଗକୁ ବାଟ କଢ଼ାଇନେବାରେ ସହାୟକ ହୋଇଛି। ନୂଆଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ୧୯୮୮ ଅଗଷ୍ଟ ୨୩ରେ ଜନ୍ମ ନେଇଥିବା ବାଣୀ, ପର୍ଯ୍ୟଟନ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶିକ୍ଷା ପରେ ଜୟପୁରର ଏକ ତାରକା ହୋଟେଲରେ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ବାଣୀଙ୍କ ମନରେ କିନ୍ତୁ ଗ୍ଲାମର୍ ଜଗତରେ ନାଁ କମାଇବାର ଏକ ଗୋପନ ଅଭିଳାଷ ସୁଯୋଗ ଅପେକ୍ଷାରେ ରହିଥିଲା। ସୌଭାଗ୍ୟବଶତଃ ଏହି ଅବସରରେ ତାଙ୍କୁ ମଡେଲିଂ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବାରୁ ତାଙ୍କ ସ୍ବପ୍ନ ସାକାର ହେବାକୁ ଲାଗିଥିଲା। ୨୦୧୩ରେ ନାମୀ ସିନେ ପ୍ରଯୋଜନା ସଂସ୍ଥା ଯଶରାଜ ଫିଲ୍ମସ ପକ୍ଷରୁ ତାଙ୍କୁ ତିନିଟି ହିନ୍ଦୀ ସିନେମାରେ ଅଭିନୟ କରିବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ବାସ୍‌, ଏହାପରେ ହିଁ ତାଙ୍କର ଭାଗ୍ୟୋଦୟ ଘଟିଥିଲା। ପ୍ରଥମ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ବାଣୀଙ୍କୁ ଜଣେ ସହଅଭିନେତ୍ରୀ ଭାବେ ଅଭିନୟ କରିବାକୁ ପଡ଼ିଥିଲା। ତେବେ ଏଥିରେ ତାଙ୍କର ନିଖୁଣ ଅଭିନୟକୁ ଦର୍ଶକ ଖୁବ୍‌ ଗ୍ରହଣ କରିବା ସହ ସମୀକ୍ଷକମାନେ ମଧ୍ୟ ସକାରାତ୍ମକ ଟିପ୍ପଣୀ କରିଥିଲେ।

ଏପରିକି ଏହି ସିନେମା ପାଇଁ ତାଙ୍କୁ ୨୦୧୪ ମସିହାରେ ଶ୍ରେଷ୍ଠ ନବାଗତା ଭାବେ ବିଗ୍‌ ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ୍‌ ସମ୍ମାନ, ଫିଲ୍ମଫେଆର ସମ୍ମାନ, ‘ଆଇଫା’ ସମ୍ମାନ, ଷ୍ଟାର ଗିଲ୍‌ଡ ପୁରସ୍କାର ଓ ଜୀ ସିନେ ସମ୍ମାନ ମିଳିଥିଲା। ଏହାପରେ ତାଙ୍କୁ ଆଉ ପଛକୁ ଫେରିବାକୁ ପଡ଼ିନି କି ନୂଆ ଫିଲ୍ମ ପାଇଁ କୋଉଠି ନେହୁରା ହେବାକୁ ପଡ଼ିନି। ତେବେ ନିଜର ପ୍ରଥମ ତାମିଲ ଫିଲ୍ମ ‘ଆହା କଲ୍ୟାଣମ୍‌’ରେ ବାଣୀଙ୍କୁ ଆଶାନୁରୂପ ଲୋକପ୍ରିୟତା ମିଳିନଥିଲା। ସେହିପରି ତାହା ପର ହିନ୍ଦୀ ଫିଲ୍ମ ରଣବୀର କପୁର ଅଭିନୀତ ‘ବେଫିକରେ’ରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଫଳରେ ଦୀର୍ଘ ତିନି ବର୍ଷ କାଳ ତାଙ୍କୁ ମାୟା ନଗରୀରେ ଆଉ ଦେଖିବାକୁ ମିଳିନଥିଲା। ଏହାପରେ ୨୦୧୯ରେ ଯଶରାଜ ଫିଲ୍ମସ ପ୍ରଯୋଜିତ ‘ଵାର୍‌’ ସିନେମାରେ ବାଣୀ ପ୍ରତ୍ୟାବର୍ତ୍ତନ କରି ଦର୍ଶକମାନଙ୍କୁ ଆଶାନୁରୂପ ଆମୋଦିତ କରିପାରିଥିଲେ। ପରବର୍ତ୍ତୀ ସିନେମା ‘ଚଣ୍ଡୀଗଡ଼ କରେ ଆସିକି’ରେ ମଧ୍ୟ ବାଣୀଙ୍କ ଭୂମିକା ଉଚ୍ଚ ପ୍ରଶଂସିତ ହୋଇଥିଲା। ସେହିପରି ଚଳିତବର୍ଷ ମୁକ୍ତିଲାଭ କରିଥିବା ‘ସମସେରା’ ସିନେମାରେ ରଣବୀର କପୁରଙ୍କ ବିପକ୍ଷରେ ବାଣୀଙ୍କ ଭୂମିକା ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ସାଉଁଟି ପାରିଛି। ବର୍ତ୍ତମାନ ପାଇଁ ତାଙ୍କ ହାତରେ ମାତ୍ର ଗୋଟିଏ ଫିଲ୍ମ ଥିବା ବେଳେ ଭବିଷ୍ୟତ ପାଇଁ ସେ ଆଦୌ ବ୍ୟସ୍ତ ନୁହଁନ୍ତି। କାରଣ ତାଙ୍କର ପ୍ରାରମ୍ଭିକ ସଫଳତା ତାଙ୍କୁ ନିରାଶ କରିବନି ବୋଲି ସେ ଭରସା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe