ସ୍ବାଧୀନତାର ମହାନାୟକ: କସ୍ତୁରବା ଗାନ୍ଧୀ

ସ୍ବାଧୀନତାର ମହାନାୟକ: କସ୍ତୁରବା ଗାନ୍ଧୀ

ଇତିହାସ କସ୍ତୁରବା ଗାନ୍ଧୀଙ୍କୁ ତାଙ୍କ ସ୍ବାମୀ ତଥା ମହାତ୍ମା ଗାନ୍ଧୀଙ୍କର ସହଯୋଗୀ ପ୍ରତିବିମ୍ବ ରୂପେ ଚିତ୍ରିତ କରିଥାଏ। ଜାତିର ଜନକ ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଇ ଏହାକୁ ସଫଳ କରାଇଥିବା ସର୍ବଜନବିଦିତ। ତେବେ ଭାରତୀୟ ସ୍ବାଧୀନତା ସଂଗ୍ରାମକୁ କସ୍ତୁରବାଙ୍କର ଅବଦାନ ମଧ୍ୟ କମ୍ ନୁହେଁ। ତାଙ୍କର ନିଜସ୍ବ ସାମର୍ଥ୍ୟ, ଉପଲବ୍ଧି ଓ ବଳିଦାନ ପାଇଁ ସେ ଚିରସ୍ମରଣୀୟ। ୧୮୬୯ ଏପ୍ରିଲ ୧୧ ତାରିଖ ଦିନ ପୋରବନ୍ଦରର ଏକ ଧନୀକ ବ୍ୟବସାୟୀଙ୍କ ଘରେ କସ୍ତୁରବା କପାଡ଼ିଆ ଜନ୍ମ ହୋଇଥିଲେ। ୧୮୮୩ ମସିହାରେ କସ୍ତୁରବା ୧୪ ବର୍ଷର ଓ ମୋହନଦାସ ୧୩ ବର୍ଷର ହୋଇଥିବା ବେଳେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପୂର୍ବରୁ କସ୍ତୁରବା ନିରକ୍ଷର ଥିଲେ, କିନ୍ତୁ ସେ ଆଜୀବନ ଜଣେ କୌତୂହଳୀ ଶିକ୍ଷାର୍ଥୀ ବୋଲି ପରେ ପ୍ରମାଣିତ କରିଥିଲେ। ଗାନ୍ଧୀ ନିଜେ ସ୍ବୀକାର କରୁଥିଲେ ଯେ କସ୍ତୁରବାଙ୍କର ସାଧାରଣଜ୍ଞାନ ତଥା ଲୋକଙ୍କୁ ବୁଝିବାର କ୍ଷମତା ତାଙ୍କ ନିଜ ଠାରୁ ଅଧିକ। ଉଭୟ ମାନସିକ ଓ ଶାରୀରିକ ରୂପେ ସେ ଅତ୍ୟନ୍ତ ସାହସୀ ଥିଲେ। ୧୮୯୬ରେ ଗାନ୍ଧୀ ଓ କସ୍ତୁରବା ପିଲାଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଚାଲିଯାଇଥିଲେ। ୧୯୦୪ରେ ଡର୍ବାନ୍‍ଠାରେ ଫିନିକ୍ସ ଆଶ୍ରମ ଖୋଲି ଏହାକୁ ଚଳାଇବାରେ କସ୍ତୁରବାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।

୧୯୧୩ରେ ଭାରତୀୟ ପ୍ରବାସୀଙ୍କ ପ୍ରତି ଦୁର୍ବବ୍ୟବହାର ପ୍ରତିବାଦରେ ଆନ୍ଦୋଳନ କରି ସେ ପ୍ରଥମ ଥର ଗିରଫ ହୋଇଥିଲେ। ଜେଲ୍‌ରେ ଥିବା ବେଳେ ଅନ୍ୟ ମହିଳା ବନ୍ଦୀମାନଙ୍କର ମନୋବଳ ବଢ଼ାଉଥିଲେ। ଦକ୍ଷିଣ ଆଫ୍ରିକାରେ ଥିବା ସମୟରୁ ତାଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। ଏହା ସତ୍ତ୍ବେ ୧୯୧୪ରେ ଭାରତ ଫେରି ସେ ମହିଳାମାନଙ୍କ ନେତୃତ୍ବ ନେବାରେ ଅସାଧାରଣ ଭୂମିକା ଗ୍ରହଣ କରିଥିଲେ। ୧୯୧୭ରେ ଚମ୍ପାରଣରେ ମହିଳାଙ୍କ ସାମଗ୍ରିକ ବିକାଶ ଉପରେ ମନୋନିବେଶ କରିଥିଲେ। ସେ ମହିଳାମାନଙ୍କୁ ସ୍ବଚ୍ଛତା, ଶୃଙ୍ଖଳା ଓ ସ୍ବାସ୍ଥ୍ୟରକ୍ଷାର ଶିକ୍ଷା ପ୍ରଦାନ କରୁଥିଲେ। ଗାନ୍ଧୀ ମହିଳାଙ୍କୁ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଆହ୍ବାନ କରୁଥିଲେ ସତ ହେଲେ କସ୍ତୁରବା ହିଁ ମହିଳାଙ୍କ ମନରେ ଦେଶ ପାଇଁ ଲଢ଼ିବାର ପ୍ରତିବଦ୍ଧତା ଭରିଦେଉଥିଲେ। ବୋରସଦ ସତ୍ୟାଗ୍ରହ ଓ ବର୍ଦ୍ଦୋଳି ସତ୍ୟାଗ୍ରହରେ ସେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ବର୍ଦ୍ଦୋଳି ସତ୍ୟାଗ୍ରହରେ ପ୍ରଥମ ଥର ପାଇଁ ଗ୍ରାମୀଣ ମହିଳାମାନେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ପଦଯାତ୍ରା ଓ ଶଗଡ଼ ଗାଡ଼ିରେ ଗାଁରୁ ସହର ବୁଲି ମଦ ଦୋକାନ ବନ୍ଦ କରିବା ଏବଂ ଖଦି ବୁଣି ପିନ୍ଧିବା ପାଇଁ ସେ ମହିଳାଙ୍କୁ ଆହ୍ବାନ କରୁଥିଲେ।

ଦଳିତଙ୍କୁ ସମାନ ଅଧିକାର ପ୍ରଦାନ ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ସେ ଲୋକଙ୍କୁ ଜାତିଭେଦ ତ୍ୟାଗ କରିବାକୁ କହୁଥିଲେ। ଗାନ୍ଧୀଙ୍କ ଅନୁପସ୍ଥିତିରେ ସେ ତାଙ୍କର ଗୁରୁଦାୟିତ୍ବ ତୁଲାଉଥିଲେ। ମୋହନଦାସ କମରଚନ୍ଦ ଗାନ୍ଧୀ ଜାତିର ପିତା ମହାତ୍ମା ଗାନ୍ଧୀକୁ ରୂପାନ୍ତରିତ ହେବାରେ କସ୍ତୁରବାଙ୍କର ମୁଖ୍ୟ ଭୂମିିକା ଥିଲା। ମହାତ୍ମା ଗାନ୍ଧୀ କହୁଥିଲେ ଯେ କସ୍ତୁରବାଙ୍କର ଅମୋଘ ସମର୍ଥନ ବିନା ସେ ହୁଏତ ଦିଗହରା ହୋଇଯାଆନ୍ତେ। ମହାତ୍ମା ଗାନ୍ଧୀ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବା ପରେ କସ୍ତୁରବା ସେଥିରେ ଭାଗନେଇ କାରାବରଣ କରିଥିଲେ। ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହେବା ପରେ ପୁନେର ଆଗା ଖାନ୍ ପାଲେସ୍‍ରେ ଅନ୍ୟାନ୍ୟ ସଂଗ୍ରାମୀଙ୍କ ସହ ତାଙ୍କୁ ବନ୍ଦୀ ରଖାଯାଇଥିଲା। ବନ୍ଦୀ ଅବସ୍ଥାରେ ପୁଲିସ ଅତ୍ୟାଚାର ତଥା ସ୍ବାଧୀନତା ସଂଗ୍ରାମର ସଂଘର୍ଷ ପାଇଁ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଥିଲା। ଭାରତକୁ ସ୍ବାଧୀନତା ମିଳିବାର ତିନି ବର୍ଷ ପୂର୍ବେ ୧୯୪୪ ଫେବ୍ରୁଆରି ୨୨ ତାରିଖରେ ବନ୍ଦୀ ଅବସ୍ଥାରେ ସେ ଇହଧାମ ଛାଡ଼ି ଚାଲିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe