ରଥଚକର ଐତିହ୍ୟ

Advertisment
ରଥଚକର ଐତିହ୍ୟ

ପୁରାଣ ଅନୁସାରେ, ଆମ ପୃଥିବୀ ହେଉଛି ସପ୍ତଦ୍ୱୀପା। ଏଥିରେ ଅଛି ସାତଟି ଦ୍ୱୀପ ଓ ସାତ ସାଗର। କିନ୍ତୁ ଆଧୁନିକ ଭୂବିଜ୍ଞାନୀମାନଙ୍କ ଅନୁସାରେ, ପୃଥିବୀରେ ଅଛି ସାତଦ୍ୱୀପ ଓ ପାଞ୍ଚସାଗର। ସେମାନେ ପ୍ରଶାନ୍ତ ମହାସାଗରକୁ ଉତ୍ତର ଓ ଦକ୍ଷିଣ ଭାବରେ ଦୁଇଟି ଏବଂ ଆଟଲାଣ୍ଟିକ୍ ମହାସାଗରକୁ ଉତ୍ତର ଓ ଦକ୍ଷିଣ ଭାବରେ ଦୁଇଟିରେ ବିଭକ୍ତ କରିଛନ୍ତି। ଏ ଦୃଷ୍ଟିରୁ ବିଚାରକଲେ, ପୁରାଣ ଓ ଆଧୁନିକ ଭୂବିଜ୍ଞାନ ମଧ୍ୟରେ ଅମେଳ ନାହିଁ। ଏହି ସାତଦ୍ୱୀପ ଓ ସାତସାଗର କିପରି ସୃଷ୍ଟିହେଲେ, ସେ ସଂପର୍କରେ ପୁରାଣରେ ଅଛି ଏକ ରୋଚକ କାହାଣୀ।

‘ଶ୍ରୀମଦ୍‌ଭାଗବତ’ ମହାପୁରାଣ ଅନୁସାରେ- ସ୍ୱାୟମ୍ଭୁବ ମନୁଙ୍କର ପୁତ୍ର ତଥା ଉତ୍ତାନପାଦଙ୍କର ଭାଇ ହେଉଛନ୍ତି ପ୍ର୍ରିୟବ୍ରତ। ଯେ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର କିରଣ ପଡ଼େ ଏବଂ ତାରାମାନଙ୍କ ସହିତ ଚନ୍ଦ୍ର ଦେଖାଯାଆନ୍ତି, ସେହି ସମଗ୍ର ଭୂମି ତାଙ୍କ ଅଧୀନରେ ଥିଲା। ଅର୍ଥାତ୍‌, ସେ ସମଗ୍ର ପୃଥିବୀର ଅଧିପତି ଥିଲେ। ସେହି ବିସ୍ତୃତ ଭୂମଣ୍ଡଳର ରାଜା ପ୍ରିୟବ୍ରତ ନିଜର ରଥରେ ବସି ଯେଉଁଆଡ଼େ ଯାଉଥିଲେ, ତାଙ୍କ ରଥର ଚକରେ ସେ ଆଡ଼େ ଖାତ ହୋଇଯାଉଥିଲା। ଏହିପରି ଭାବରେ ପୃଥିବୀରେ ସାତଦୀପ ଓ ସାତସାଗରର ସୃଷ୍ଟି ହେଲା। ମେରୁ ପର୍ବତକୁ କେନ୍ଦ୍ର କରି ସେହି ସାତସାଗର ଓ ସାତଦୀପର ବଳୟ ଘେରି ରହିଛି। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ଏ ସଂପର୍କରେ ବର୍ଣ୍ଣନା ଅଛି- “ସେ ରାଜା ରଥଚକ୍ରେ କରି। / ହୋଇଲା ଯେତେକ ବିସ୍ତାରି।ା / ତେଣୁ ସପତ ସିନ୍ଧୁ ହେଲା। / ପୃଥିବୀ ସାତଭାଗ କଲା।ା / ଶାକ ଶାଳ୍ମଳ ଜମ୍ବୁ ପ୍ଲକ୍ଷ। / କୁଶ ପୁଷ୍କର ଆଉ କ୍ରୌଞ୍ଚ।ା” ଏଣୁ, ଏହା ହେଉଛି ରଥଚକର ଐତିହ୍ୟ।

ପୃଥିବୀର ଏହି ସାତଦ୍ୱୀପ ହେଉଛି ସାତମହାଦେଶ। ସେଥିମଧ୍ୟରୁ ‘ଜମ୍ବୁ’ଦ୍ୱୀପ ଗୋଟିଏ। ତାହାରି ମଧ୍ୟରେ ଅଛି ନଅଟି ‘ବର୍ଷ’ ବା ଦେଶ। ସେଥିରୁ ଗୋଟିଏ ‘ବର୍ଷ’ ହେଉଛି ଭାରତ। ଏଣୁ ଆମ ଦେଶର ନାମ ‘ଭାରତବର୍ଷ’। ଏହା ହିମାଳୟର ଦକ୍ଷିଣରେ ଏବଂ ମହୋଦଧିର ଉତ୍ତରରେ ଅବସ୍ଥିତ। ‘ଶ୍ରୀମଦ୍‌ଭାଗବତ ମହାପୁରାଣ’ରେ ଏହାର ବର୍ଣ୍ଣନା ଅଛି। ସେଥିରେ ସମଗ୍ର ଭୂମଣ୍ଡଳକୁ ଗୋଟିଏ ପଦ୍ମ ସହ ତୁଳନା କରାଯାଇଛି। ସାତଦ୍ୱୀପ ହେଉଛି ସେହି ପଦ୍ମର କୋଷ ବା କେଶର ସ୍ୱରୂପ। ସେହି କୋଷର ଅଭ୍ୟନ୍ତର ହେଉଛି ଜମ୍ବୁଦ୍ୱୀପ। ତାହାର ଭାରତ ଭାଗରେ ଆମଦେଶ ଉତ୍କଳ ବା ଓଡ଼ିଶା ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe